ଫେରୁଛି ଭୂ-ଫେଷ୍ଟ, ଗପ କହିବେ ଅନ୍ତର୍ଜାତୀୟ କଥାକାର

ଭୁବନେଶ୍ବର: ଦେଶବିଦେଶର ଆକର୍ଷଣୀୟ କାହାଣୀ ନେଇ ଭୁବନେଶ୍ବରକୁ ଫେରୁଛି ଭୂ-ଫେଷ୍ଟ ବା ଷ୍ଟୋରି ଟେଲିଂ ଫେଷ୍ଟିଭାଲ୍‌ର ଦ୍ବିତୀୟ ସଂସ୍କରଣ। ଜାନୁଆରି ୧୫ରୁ ୧୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଗାଳ୍ପିକ ଯୋଗ ଦେବେ। ଏଥର ଏହି ଉତ୍ସବ ବୁଦ୍ଧ ଜୟନ୍ତୀ ପାର୍କ, ଇନ୍ଦିରା ଗାନ୍ଧି ପାର୍କ, ଏପିଜେ ଅବଦୁଲ କଲାମ୍‌ ପାର୍କ ଓ କଳାଭୂମିରେ ଆୟୋଜିତ ହେବ। ଏଥିରେ ଓଡ଼ିଶାର ପ୍ରଖ୍ୟାତ କଥାକାର ଓଡ଼ିଆରେ ଗପ କହି‌ବେ। ତା’ ସହ ବାହାରୁ ଆସୁଥିବା ଗାଳ୍ପିକମାନେ ହିନ୍ଦୀ ଓ ଇଂରାଜୀରେ ଗପ କହିବେ। ଏହାକୁ ଆୟୋଜନ କରିବାକୁ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥା ଚୟନ କରିବାକୁ ବିଡିଏ ଟେଣ୍ଡର୍‌ ଆହ୍ବାନ କରିଛି। ଆସନ୍ତା ୨୨ ତାରିଖରେ ପ୍ରି-ବିଡ୍‌ ବୈଠକ ରହିଥିବା ବେଳେ ଡିସେମ୍ବର ୧ ଆବେଦନର ଶେଷ ତାରିଖ ରହିଛି।

୨୦୧୮ ମସିହାରେ ହକି ବିଶ୍ବକପ୍‌ ଚାଲିଥିବା ସମୟରେ ମଧ୍ୟ ଏଭଳି ଭୂଫେଷ୍ଟ ଆୟୋଜିତ ହୋଇଥିଲା। ଏଥିରେ ଆର୍ଜେଣ୍ଟିନାର ପୌଲା ମାର୍ଟିନ୍, କେନିଆର ୱଙ୍ଗାରି ଗ୍ରେସ୍‌, ଥାଇଲାଣ୍ଡର ୱାଜୁପା ଟୋସା, କୋରିଆର ଡୋଙ୍ଗିଓ ବାଙ୍ଗ୍, ଫ୍ରାନ୍ସର ସାବ୍ରିନା ଅନାସ୍ତାସିଆଙ୍କ ଭଳି ବିଶ୍ବର ପ୍ରମୁଖ କଥାକାରମାନେ କାହାଣୀ ଶୁଣାଇଥିଲେ। ଗତଥର ଏଥିରେ ଶିଶୁମାନଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥିଲା। ତାହାକୁ ଆଖି ଆଗରେ ରଖି ବିଡିଏ ଏଥର ଏହାର ପରିସରକୁ ବୃଦ୍ଧି କରିଛି। ପୂର୍ବଥର ୩ଟି ପାର୍କରେ ଆୟୋଜିତ ହୋଇଥିବା ବେଳେ ଏଥର ୪ଟି ସ୍ଥାନରେ ଆୟୋଜନ ହେବାକୁ ଯାଉଛି। ସେହି ଅନୁସାରେ ପାର୍କକୁ ସଜାଇବାକୁ ଯୋଜନା ରହିଛି। ଏହାବାଦ୍‌ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ସମ୍ପୃକ୍ତ ଠିକା ସଂସ୍ଥା ବିଭିନ୍ନ ସ୍କୁଲ୍‌ରେ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ଜରିଆରେ ଅତି କମ୍‌ରେ ୫୦ଟି କର୍ମଶାଳା ଆୟୋଜନ କରିବ। ଏଥିରେ ଯେଭଳି ଅଧିକରୁ ଅଧିକ ଶିଶୁ ଭାଗ ନେଇପାରିବେ ଓ ଗପ ଜରିଆରେ ବୌଦ୍ଧିକ ବିକାଶ ହୋଇପାରିବ, ତାହା ଉପରେ ସଂସ୍ଥା ଗୁରୁତ୍ବ ଦେବ।

ଉଲ୍ଲେଖଯୋଗ୍ୟ, ହକି ବିଶ୍ବକପ୍‌ ଅବସରରେ ଜାନୁଆରି ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆରେ ଡଟ୍‌ଫେଷ୍ଟ ଆୟୋଜିତ ହେବ। ଏଥିରେ ବଲିଉଡ୍‌ କଳାକାରଙ୍କୁ ସାମିଲ କରାଯିବାକୁ ଯୋଜନା ହୋଇଛି। ଗତଥର ପ୍ରସିଦ୍ଧ କମେଡିଆନ୍‌ ସ୍ବର୍ଗତ ରାଜୁ ଶ୍ରୀବାସ୍ତବ ଆସିଥିବା ବେଳେ ଏଥର ସେଭଳି ଜଣେ କମେଡିଆନ୍‌ ଆଣିବାକୁ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥା ଯୋଜନା କରୁଥିବା ଜଣାପଡ଼ିଛି। ଏହି ସବୁ କାର୍ଯ୍ୟକ୍ରମ ସହ ସମାନ୍ତରାଳ ଭାବେ ଭୂଫେଷ୍ଟ ଶିଶୁମାନଙ୍କ ମନୋରଞ୍ଜନ ପାଇଁ ଆୟୋଜିତ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର