ଆଜି ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ: ମହାକାଶ ପିଣ୍ଡକୁ ନେଇ ଏବେ ଭୟଭୀତ ହେବାର କାରଣ ନାହିଁ

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଆଲୋଚନାଚକ୍ର

ଭୁବନେଶ୍ବର: ଆଜିକୁ ଠିକ୍‌ ୧୧୪ ବର୍ଷ ତଳେ ୧୯୦୮ ମସିହା ଜୁନ୍‌ ୩୦ ତାରିଖରେ ରୁଷିଆର ସାଇବେରିଆ ଅଞ୍ଚଳରେ ଏକ ଗ୍ରହାଣୁ ଖସିପଡ଼ିବା ଫଳରେ ସେଠାରେ ପ୍ରାୟ ୨ହଜାର ବର୍ଗ କିଲୋମିଟର ଅଞ୍ଚଳର ଜଙ୍ଗଲରେ ଥିବା ୮ କୋଟିରୁ ଅଧିକ ଗଛ ତଥା ଜଙ୍ଗଲରେ ଅନେକ ପଶୁପକ୍ଷୀ ନିମିଷକ ମଧ୍ୟରେ ଜଳିପୋଡ଼ି ଯାଇଥିଲେ। ସୌଭାଗ୍ୟବଶତଃ ଏହା ଜଙ୍ଗଲ ଅଞ୍ଚଳରେ ପଡ଼ିଥିବାରୁ ପ୍ରାୟତଃ କୌଣସି ମଣିଷ ମୃତାହତ ହେବାର ଖବର ନାହିଁ। ଏଭଳି ଏକ ଗ୍ରହାଣୁ ଯଦି ଆମ ଦେଶର ରାଜଧାନୀ ନୂଆଦିଲ୍ଲୀ ଉପରେ ଖସିବ, ତେବେ ନିମିଷକ ମଧ୍ୟରେ ମହାନଗରଟି ଧ୍ବଂସ ପାଇବା ସହ ସେଠାରେ ବସବାସ କରୁଥିବା ୩୦ ଲକ୍ଷରୁ ଅଧିକ ଲୋକ କ୍ଷଣକ ମଧ୍ୟରେ ମରିଯିବେ।

୧୯୦୮ ଜୁନ୍‌ ୩୦ ତାରିଖ ଦିନ ସାଇବେରିଆ ଅଞ୍ଚଳରେ ପଡିଥିବା ଉପରୋକ୍ତ ଗ୍ରହାଣୁ ଦ୍ବାରା ଘଟିଥିବା ଭୟଙ୍କର ପ୍ରଳୟକୁ ମନେପକାଇ ଓ ଗ୍ରହାଣୁ ଧକ୍କା ଦ୍ବାରା ପୃଥ‌ିବୀରେ ହେବାକୁ ଥିବା ସମ୍ଭାବ୍ୟ ପ୍ରଳୟ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ଏହି ବିପଦ ସମୟରେ କିପରି ନିଜକୁ ସୁରକ୍ଷିତ ରଖିପାରିବେ, ସେ ବିଷୟରେ ସଚେତନତା ସୃଷ୍ଟି କରିବାପାଇଁ ପ୍ରତିବର୍ଷ ଜୁନ୍‌ ୩୦ ତାରିଖକୁ ‘ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ’ ରୂପେ ପାଳନ ପାଳନ କରିବା ପାଇଁ ୨୦୧୬ ମସିହା ଡିସେମ୍ବର ମାସରେ ଜାତିସଂଘର ସାଧାରଣ ଅଧିବେଶନରେ ସର୍ବସମ୍ମତିରେ ଅନୁମୋଦିତ ହୋଇଥିଲା।
ଉଲ୍ଲେଖନୀୟ ଯେ ପୃଥ‌ିବୀ ସହ ଧକ୍କା ହେବାର ସମ୍ଭାବନା ଥିବା ପ୍ରାୟ ୨,୦୦୦ ମହାକାଶ ପିଣ୍ଡ ଏପର୍ଯ୍ୟନ୍ତ ଠାବ କରାଯାଇ ସେସବୁର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ସେଥିରୁ ଜଣା ପାଇଛି ଯେ ଆସନ୍ତା କିଛିବର୍ଷ ମଧ୍ୟରେ ଏପରି କୌଣସି ପିଣ୍ଡ ଦ୍ବାରା ପୃଥ‌ିବୀ ପ୍ରତି କିଛି ବିପତ୍ତି ନାହିଁ। ବର୍ତ୍ତମାନ ସୁଦ୍ଧା ମହାକାଶରେ ପ୍ରାୟ ୨,୦୦୦ଟି ଏପରି ପିଣ୍ଡ ଠାବ କରାଯାଇଛି, ଯେଉଁଗୁଡିକ ଭବିଷ୍ୟତରେ ପୃଥ‌ିବୀ ସହ ଧକ୍କା ହେବାର ଆଶଙ୍କା ରହିଛି। ତେଣୁ ସେସବୁର ଗତିବିଧି ଉପରେ ମହାକାଶ ବିଜ୍ଞାନୀ କଡ଼ା ନଜର ରଖିଛନ୍ତି। ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର ପରୀକ୍ଷାନିରୀକ୍ଷା କରୁଛନ୍ତି, ଯେପରିକି ଏହି ପିଣ୍ଡଗୁଡିକୁ ମହାକାଶରେ ଧ୍ୱଂସ କରିଦିଆଯାଇ ପାରିବ ବା ସେମାନଙ୍କ ଗତିପଥକୁ ସାମାନ୍ୟ ବଦଳାଇଦେଇ ପୃଥ‌ିବୀ କକ୍ଷପଥରୁ ଦୂରେଇ ଦିଆଯାଇପାରିବ। ନିକଟ ଅତୀତରେ ଗୋଟିଏ ଧୂମକେତୁ ସହ ଏକ ମହାକାଶ ଯାନର ଧକ୍କା କରାଯାଇ ତାକୁ ଭାଙ୍ଗି ଦିଆଯାଇପାରିଛି। ପୃଥ‌ିବୀକୁ ଗ୍ରହାଣୁ ଧକ୍କାରୁ ବଞ୍ଚାଇବା ପାଇଁ ଏହିଭଳି ଅନେକ କାର୍ଯ୍ୟକ୍ରମ ବୈଜ୍ଞାନିକମାନେ ହାତକୁ ନେଇଛନ୍ତି। ଆମେ ଏବେ ସ୍ଥିର ନିଶ୍ଚିନ୍ତ ଯେ ନିକଟ ଭବିଷ୍ୟତରେ ଗ୍ରହାଣୁ ଧକ୍କାରେ ପୃଥ‌ିବୀର କୌଣସି ବିପୁଳ କ୍ଷୟକ୍ଷତି ହେବନାହିଁ। ତେଣୁ ସେଥ‌ିପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ।

‘ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ’ ଅବସରରେ ଆସନ୍ତାକାଲି, ଅର୍ଥାତ୍‌ ଜୁନ୍‌ ୩୦ ତାରିଖରେ ଭୁବନେଶ୍ବସ୍ଥ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଦିନ ୧୧ଟାରୁ ୧୨ ମଧ୍ୟରେ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଆଲୋଚନାଚକ୍ରର ଆୟୋଜନ କରା ଯାଇଛି ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ପ୍ରାକ୍ତନ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର