ଖୋଲାରେ ବିଚରଣ କରୁଥିଲେ ସିଂହ: ଜଙ୍ଗଲ ସଫାରୀରେ ଫସିଲେ ପର୍ଯ୍ୟଟକ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଘଟଣ। ସବୁଦିନ ଭଳି ପର୍ଯ୍ୟଟକମାନେ ବାଘ, ସିଂହ, ଭାଲୁ, ତୃଣଭୋଜି ସଫାରୀ ବସରେ ବସି ମଜା ଉଠାଉଥିବା ବେଳେ ଶନିବାର ଦିନ ପର୍ଯ୍ୟଟକମାନେ ସଫାରୀ ବସରେ ବାଘ ସଫାରୀ ବୁଲି ସାରି ସିଂହ ସଫାରୀ ଭିତର ରାସ୍ତାରେ ଯାଉଥିବା ବେଳେ ଏକ ଗାତରେ ପଡ଼ିଯାଇଥିଲେ। ସିଂହମାନେ ଖୋଲାରେ ବିଚରଣ କରୁଥିବା ଯୋଗୁଁ ପର୍ଯ୍ୟଟକମାନେ ଭୟଭୀତ ହୋଇ ପଡ଼ିଥିଲେ।

ବସଟି ପାଖାପାଖି ୧ ଘଣ୍ଟା ରହିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ କର୍ମଚାରୀମାନେ ସିଂହଗୁଡ଼ିକୁ କାବୁ କରି ଫିଡ଼ିଂ ଚାମ୍ବରରେ ରଖିଥିଲେ।  ତାପରେ ଅନ୍ୟ ଏକ ବସରେ ପର୍ଯ୍ୟଟକମାନଙ୍କୁ ବାହାରକୁ ଅଣାଯାଇଥିଲା। ପର୍ଯ୍ୟଟକ ମାନଙ୍କର କୌଣସି ଅସୁବିଧା ହୋଇ ନଥିଲେ ମଧ୍ୟ ଏକ ନିଶ୍ଚିତ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଥିଲେ ପର୍ଯ୍ୟଟକ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏହା ନୂଆ ଘଟଣା ନୁହେଁ। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିଛି। ତେବେ ସେ ଯାହା ହେଉନା କାହିଁକି, ଡ୍ରାଇଭରଙ୍କ ଅସାବଧାନତା ନା ବର୍ଷା ଯୋଗୁଁ ରାସ୍ତାର ମାଟି ଭିଜିଥିବାରୁ ଏଭଳି ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇ ନାହିଁ। ନନ୍ଦନକାନନ ଉପ ନିର୍ଦ୍ଦେଶକ କହିଛନ୍ତି, ଗାଡ଼ିରେ ସମସ୍ୟା ଯୋଗୁଁ ଅଟକି ଯାଇଥିଲା। ଏନେଇ ଅଧିକ ତଦନ୍ତ କରିବା ପାଇଁ ଏଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର