‘ପାରମ୍ପରିକ ସୁଫି ସଙ୍ଗୀତ‌’ରେ ଝଙ୍କୃତ ହେଲା ରବୀନ୍ଦ୍ର ମଣ୍ଡପ

‘ସମର୍ପଣ’ର ଦ୍ବିତୀୟ ସଂଧ୍ୟା

ଭୁବନେଶ୍ବର: ଆଜି ବି ଭକ୍ତି ସଙ୍ଗୀତର ସୁମଧୁର ଧ୍ବନି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟକୁ ଭକ୍ତିମୟ କରି ଦେଇଥିଲା। ‘ପାରମ୍ପରିକ ସୁଫି ସଙ୍ଗୀତ’ ଓ ‘ଆତ୍ମାର ସଙ୍ଗୀତ’ର ଝଙ୍କାରରେ ଝଙ୍କୃତ ହୋଇଥିଲା ସମ୍ପୂର୍ଣ୍ଣ ପ୍ରେକ୍ଷାଳୟ। ଅବସର ଥିଲା, ‘ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲ’ ପକ୍ଷରୁ ଆୟୋଜିତ ୧୦ମ ସୁଫି ଓ ଭକ୍ତି ସଙ୍ଗୀତ ବାର୍ଷିକୋତ୍ସବ ‘ସମର୍ପଣ’ର ଦ୍ବିତୀୟ ସଂଧ୍ୟା।

ଏହି ଅବସରରେ ରାଜସ୍ଥାନ ଯୋଧପୁରରୁ ଆସିଥିବା ଜନାବ୍‌ ୟାର୍‌ ମହମ୍ମଦ ଲାଙ୍ଗା ଓ ସାଥୀମାନେ ‘ପରମ୍ପରାଗତ ସୁଫି ସଙ୍ଗୀତ’ ଗାନ କରିଥିଲେ। ଏଥିରେ ମୁଖ୍ୟ ଗା‌ୟକ ଭାବେ ଜନାବ୍‌ ଫାରୁକ୍‌ଖାନ୍‌ ଯୋଗ ଦେଇଥିବା‌ ବେଳେ ୟାସିନ ଖାନ୍‌ ସଙ୍ଗୀତରେ କଣ୍ଠଦାନ କରିବା ସହ ହାର୍‌ମୋନିୟମ୍‌ ବାଦନ କରିଥିଲେ। ବୁନ୍ଦୁଖାନ ମଧ୍ୟ ସଙ୍ଗୀତ ଗାନ କରିଥିଲେ ଓ ଢୋଲକ୍‌ ବାଦନ କରିଥିଲେ ଶାକିର୍‌ ଖାନ୍‌।

କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ‘ଆତ୍ମାର ସଙ୍ଗୀତ’ ପରିବେଷିତ ହୋଇଥିଲା। ପଶ୍ଚିମବଙ୍ଗ ନବଦ୍ବୀପର ବିଦୁଷୀ ଇଲା ଓ ଆୟୁଷୀ ବିଶ୍ବାସ ଏହି ସଙ୍ଗୀତ ପରିବେଷଣ କରିଥିବ‌‌ା ବେଳେ ସେମାନଙ୍କୁ ବଂଶୀରେ କାନାଇ ମଣ୍ଡଲ୍‌, ତବଲା ଓ ଢୋଲରେ ପାର୍ଥ ଘୋଷ୍‌, ହାର୍‌ମୋନିୟମ୍‌ରେ ବିକାଶ କୁମାର ଶର୍ମା ଓ ଦୋ ତାରାରେ ଚନ୍ଦନ ଦାସ ପ୍ରମୁଖ ସହଯୋଗ କରିଥ‌ିଲେ।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ମୁଖ୍ୟ ଅତିଥି, କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ ଅନ୍ୟତମ ଅତିଥି ଭ‌ାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲର ସଭା‌ପତି ଅରବିନ୍ଦ ବେହେରା ଓ ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର