ଚଳିତ ବର୍ଷ ରାଜ୍ୟର ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ପାଇଁ ଏକ ଭଲ ବର୍ଷ ଥିଲା। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ତଥ୍ୟ ଅନୁସାରେ ଆଠ ମାସରେ ରାଜ୍ୟରେ ୧୬ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ସୃଷ୍ଟି ହୋଇଛନ୍ତି। ଅନେକ ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ସେବା ପହଞ୍ଚିବା ଓ ଲୋକମାନଙ୍କ ଆକାଂକ୍ଷାରେ ହୋଇଥିବା ବୃଦ୍ଧି ପ୍ରଭାବରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ୍ ସଂଯୋଗ ପହଞ୍ଚିପାରିଛି। ଫଳରେ ରାଜ୍ୟର ଡିଜିଟାଲ୍ ସ୍ଥିତି ଆହୁରି ସୁଦୃଢ଼ ହୋଇଛି। ଲୋକମାନଙ୍କ ହାତପାଆନ୍ତାରେ ଡିଜିଟାଲ୍ ସେବା ପହଞ୍ଚିଛି।
ଓଡ଼ିଶାରେ ମୋବାଇଲ୍ ଫୋନ ବ୍ୟବହାରକାରୀଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ଗତବର୍ଷ ଶେଷରେ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୪୩ ଲକ୍ଷ ୪୬ ହଜାର ୯୮ ଥିଲା। କିନ୍ତୁ ଗତ ୧୦ ମାସ ମଧ୍ୟରେ ଅର୍ଥାତ୍ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟର ମୋବାଇଲ୍ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୫୯ ଲକ୍ଷ ୮୧ ହଜାର ୯୦୨ ଛୁଇଁଛି। ଅର୍ଥାତ୍ ଗତ ୧୦ ମାସ ମଧ୍ୟରେ ରାଜ୍ୟରେ ପ୍ରାୟ ୧୬ ଲକ୍ଷ ୩୫ ହଜାର ନୂଆ ମୋବାଇଲ୍ ଗ୍ରାହକ ସୃଷ୍ଟି ହୋଇଛନ୍ତି। ମୋବାଇଲ୍ ନେଟ୍ୱର୍କରେ ଉନ୍ନତି ଓ ଅନ୍ୟାନ୍ୟ କାରଣରୁ ରାଜ୍ୟରେ ମୋବାଇଲ୍ ଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିଛି। ଚଳିତବର୍ଷ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଓଡ଼ିଶାରେ ମୋବାଇଲ୍ ଫୋନ ଗ୍ରାହକଙ୍କ ସଂଖ୍ୟାରେ ୦.୪୫ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ଓଡ଼ିଶାର ସମଗ୍ର ଟେଲି ସାନ୍ଦ୍ରତା ଅକ୍ଟୋବର ବେଳକୁ ୮୨.୯୮ ପ୍ରତିଶତରେ ପହଞ୍ଚିଥିଲା। ଏହି ସମୟ ମଧ୍ୟରେ ଦେଶର ଟେଲି ସାନ୍ଦ୍ରତା ୮୬.୭୬ ପ୍ରତିଶତ ରହିଥିଲା। ତେଣୁ ଟେଲିଫୋନ ବ୍ୟବହାର କ୍ଷେତ୍ରରେ ଓଡ଼ିଶା ଏବେ ବି ଅନେକ ପଛରେ ପଡ଼ିଛି। ମୁଖ୍ୟତଃ ୪ଟି କମ୍ପାନି ଓଡ଼ିଶାରେ ଗ୍ରାହକଙ୍କୁ ଟେଲିଫୋନ୍ ସେବା ପ୍ରଦାନ କରୁଛନ୍ତି।
Nine things about fog: କୁହୁଡ଼ି ବିଷୟରେ ନଅଟି କଥା
Free trade: ନ୍ୟୁଜିଲାଣ୍ଡ ସହ ମୁକ୍ତ ବାଣିଜ୍ୟ ରାଜିନାମା
ସେମିକଣ୍ଡକ୍ଟର ଭିତ୍ତି ପଡ଼ିଲା
ଚଳିତବର୍ଷ ଅଗଷ୍ଟରେ କେନ୍ଦ୍ର ସରକାର ଓଡ଼ିଶାରେ ଦୁଇଟି ସେମିକଣ୍ଡକ୍ଟର କାରଖାନା ସ୍ଥାପନକୁ ମଞ୍ଜୁରି ଦେଇଛନ୍ତି। ଭୁବନେଶ୍ବରର ଇନ୍ଫୋଭ୍ୟାଲିରେ ସିକ୍ସେମ୍ ପ୍ରାଇଭେଟ ଲିମିଟେଡ୍ ଓ ୩ଡି ଗ୍ଲାସ୍ ସଲ୍ୟୁସନ୍ସ ପକ୍ଷରୁ ଏହି କାରଖାନା ନିର୍ମାଣ ହେବ। ସିକ୍ସେମ୍ ପକ୍ଷରୁ ସିଲିକନ କାର୍ବାଇଡ୍ ଡିଭାଇସ ଉପକରଣ ନିର୍ମାଣ ହେବାକୁ ଥିବାବେଳେ ୩ଡି ଗ୍ଲାସ୍ ସଲ୍ୟୁସନ୍ସ ପକ୍ଷରୁ ଅତ୍ୟାଧୁନିକ ପ୍ୟାକେଜିଂ ଓ ଗ୍ଲାସ୍ ସବ୍ଷ୍ଟ୍ରେଟ୍ସ ଉତ୍ପାଦନ କରାଯିବ। ଏସବୁ ସାମଗ୍ରୀ ଉତ୍ପାଦନ ଦ୍ବାରା ଦେଶର ପ୍ରତିରକ୍ଷା, ଇଭି, ଏଆଇ ଓ କମ୍ପ୍ୟୁଟିଂ ଆପ୍ଲିକେସନ ଉପକୃତ ହେବ। ସିକ୍ସେମ୍ ପ୍ରକଳ୍ପରେ ୨୦୬୬କୋଟି ଏବଂ ୩ଡି ଗ୍ଲାସ୍ ସଲ୍ୟୁସନ୍ସ ସ୍ଥାପନ ପାଇଁ ୧୯୪୩ କୋଟି ଟଙ୍କା ନିବେଶ ହେବ। ଏହାଦ୍ବାରା ରାଜ୍ୟରେ ଉଚ୍ଚ ଦକ୍ଷତା ସଂପନ୍ନ ବୈଷୟିକ ମାନବ ସମ୍ବଳ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଯୁବପିଢ଼ିଙ୍କ ଉଦ୍ୟୋଗୀ ନିଶା
ପ୍ରଯୁକ୍ତି କ୍ଷେତ୍ରର ଷ୍ଟାର୍ଟଅପ୍ ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଆଗକୁ ବଢ଼ୁଛି। ରାୟଗଡ଼ା ଜିଲ୍ଲାର ବିଷମ କଟକରେ ଜନ୍ମିତ ରିତେଶ ଅଗ୍ରୱାଲ ଓୟୋ ରୁମ୍ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସେହିଭଳି ଯାଜପୁରର ସୁବ୍ରତ କର ଅନ୍ୟ କେତେଜଣଙ୍କ ସହ ମିଶି ଭିଡୁଲି ନାମକ ଏକ ଭିଡିଓ ବିଶ୍ଳେଷଣ ଷ୍ଟାର୍ଟଅପ୍ ଏବଂ ମୋଟରଫ୍ଲୋର ନାମରେ ଗାଡ଼ି ମୂଲ୍ୟ ସଂପର୍କିତ ସୂଚନା ପ୍ରଦାନକାରୀ ଷ୍ଟାର୍ଟଅପ୍ ସ୍ଥାପନ କରିଛନ୍ତି। କଟକର ସୀତାକାନ୍ତ ରାୟ ମାଇଁସ୍ମାର୍ଟପ୍ରାଇସ୍ ଭଳି ଷ୍ଟାର୍ଟଅପ୍ ସ୍ଥାପନ କରି ଓଡ଼ିଶାର ଉଦ୍ୟୋଗୀଭାବେ ପରିଚିତି ହାସଲ କରିଛନ୍ତି। ଏମାନଙ୍କ ଛଡ଼ା ଅମୃତ ଆଚାର୍ଯ୍ୟ, ଶିବାଶିଷ ମିଶ୍ର, ହିମାଂଶୁ ଶେଖର ପଣ୍ଡା, ଜ୍ଞାନରଞ୍ଜନ ଦାସ ଓ ସୁମନା କାର୍ଜୀ ମିଶ୍ରଙ୍କ ଭଳି ପ୍ରତିଷ୍ଠିତ ଷ୍ଟାର୍ଟଅପ୍ ଉଦ୍ୟୋଗୀ ମଧ୍ୟ ରହିଛନ୍ତି। ରାଜ୍ୟରେ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଏବଂ ସେମାନଙ୍କୁ ସହଯୋଗ କରିବା ପାଇଁ ୩୪ଟି ଉଷ୍ମାୟନ କେନ୍ଦ୍ର ରହିଛି। ରାଜ୍ୟ ସରକାରଙ୍କ ଓ-ହବ୍ ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଏସବୁ ସ୍ଥାପନ କରାଯାଇଛି। ଏମାନଙ୍କ ବ୍ୟତୀତ ଓଡ଼ିଶାର ବହୁ ଯୁବ ଉଦ୍ୟୋଗୀ ପ୍ରଯୁକ୍ତି କ୍ଷେତ୍ରରେ ନାମ କମାଇଛନ୍ତି। ୟୁନିକର୍ଣ୍ଣ ମଧ୍ୟ ଓଡ଼ିଶାରୁ ସୃଷ୍ଟି କରିପାରିଛନ୍ତି।
/filters:format(webp)/sambad/media/media_files/2025/12/23/untitled-9-2025-12-23-07-38-31.jpg)
ଆଦିବାସୀ ଅଞ୍ଚଳର ଡିଜିଟାଲ୍ ଦୂତ ମଞ୍ଜୁଲତା
ଭାରତ ଡିଜିଟାଲ୍ ଇଣ୍ଡିଆରେ ପରିଣତ ହୋଇଛି। ଏହାର ପ୍ରତିଧ୍ବନି କେବଳ ସହରାଞ୍ଚଳରେ ସୀମିତ ନାହିଁ। ଦୁର୍ଗମ ଆଦିବାସୀ ଅଞ୍ଚଳରେ ମଧ୍ୟ ତାହାର ଲାଭ ପହଞ୍ଚିପାରିଛି। ଯେଉଁମାନଙ୍କ ପାଇଁ ସେହି କାର୍ଯ୍ୟ ସମ୍ଭବ ହୋଇଛି ସେଭଳି ଜଣେ ମହିଳା ହେଉଛନ୍ତି ମଞ୍ଜୁଲତା ଦେବୀ। ବାରିପଦାଠାରୁ ୧୨୦ କିମି ଦୂର ଚତ୍ରାଞ୍ଜଳି ଗାଁର ମଞ୍ଜୁଲତା ନିଜ ଗାଁ ସହ ଆଖପାଖ ୧୨ ଖଣ୍ଡ ଗାଁର ଲୋକଙ୍କୁ ଡିଜିଟାଲ୍ ସେବା ଯୋଗାଉଛନ୍ତି। ତାଙ୍କ କାହାଣୀ ସେତେବେଳେ ସାମନାକୁ ଆସିଲା ଯେତେବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ତାଙ୍କ ବିଷୟରେ ଜାତୀୟ ମଞ୍ଚରେ କହିଥିଲେ ଏବଂ ତାଙ୍କୁ ପରିଚିତ କରାଇଥିଲେ। ଦିଲ୍ଲୀରେ ସିଏସ୍ସି ଦିବସ ପାଳନ ଅବସରରେ ଶ୍ରୀ ବୈଷ୍ଣବ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜନସେବା କେନ୍ଦ୍ର ଜରିଆରେ ସେ ନିଜ ଅଞ୍ଚଳରେ ଡିଜିଟାଲ୍ ବିପ୍ଳବ ଆଣିଛନ୍ତି। ଜଣେ ଗୃହିଣୀରୁ ସେ ଡିଜିଟାଲ୍ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି। ଜନସେବା କେନ୍ଦ୍ର ଜରିଆରେ ସେ ନିଜେ ସ୍ବାବଲମ୍ବୀ ହୋଇଥିବା ବେଳେ ସ୍ଥାନୀୟ ଲୋକମାନଙ୍କୁ ଡିଜିଟାଲ୍ ସାକ୍ଷରତା, ବ୍ୟାଙ୍କ ସେବା, କୃଷି ତାଲିମ ଓ ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ପାଇବାରେ ସହାୟତା କରୁଛନ୍ତି। ସେ ୧୦ଟି ସ୍ବୟଂ ସହାୟକ ଗୋଷ୍ଠୀର ୧୦୦ରୁ ଅଧିକ ମହିଳାଙ୍କୁ ସଞ୍ଚୟ, ଏଇପିଏସ୍, ମୋବାଇଲ୍ ୱାଲେଟ୍ ଓ ଯୋଜନା ସମ୍ପର୍କରେ ପ୍ରଶିକ୍ଷଣ ଦେବା ସହ ୧୫୦୦ ମହିଳାଙ୍କୁ ସୁଭଦ୍ରା ଯୋଜନାର ସୁଫଳ ପାଇବାରେ ସହାୟତା କରିଛନ୍ତି।
ଡିଜିଟାଲ୍ ସାକ୍ଷର ହେଉଛି ଓଡ଼ିଶା ଲୋକଙ୍କୁ କମ୍ପ୍ୟୁଟର ଓ ଡିଜିଟାଲ୍ ଜ୍ଞାନ ଦେବାଲାଗି ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମ ଚାଲିଛି। କେନ୍ଦ୍ର ସରକାରଙ୍କ ପିଏମ୍ଜିଡିଆଇଏସ୍ଏଚ୍ଏ (ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ)ଗ୍ରାମୀଣ ପରିବାରଗୁଡ଼ିକ ପାଇଁ ଉଦ୍ଦିଷ୍ଟ। ଏଥିରେ ଗ୍ରାମୀଣ ପରିବାରର ଜଣେ ବ୍ୟକ୍ତିଙ୍କୁ ମୌଳିକ ଡିଜିଟାଲ୍ ଦକ୍ଷତା, ଇଣ୍ଟରନେଟ୍ ବ୍ୟବହାର ଓ ଡିଜିଟାଲ୍ ପେମେଣ୍ଟ ସଂପର୍କରେ ତାଲିମ ଦିଆଯାଉଛି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ (ଓଏସ୍ଡିଏ) ପକ୍ଷରୁ ମଧ୍ୟ ଡିଜିଟାଲ୍ ତାଲିମ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟରେ ଡିଜିଟାଲ୍ ଶିକ୍ଷା ପାଇଁ ୫ଟି ଡିଟିଏଚ୍ ଚ୍ୟାନେଲ୍ ରହିଛି। ବିଦ୍ୟାଳୟସ୍ତରରେ ମଧ୍ୟ ପିଲାଙ୍କୁ ଡିଜିଟାଲ୍ ସାକ୍ଷର କରାଯାଉଛି। ଏହା ସତ୍ତ୍ବେ ରାଜ୍ୟର ଗ୍ରାମାଞ୍ଚଳର ଅନେକ ଅଞ୍ଚଳରେ ଡିଜିଟାଲ୍ ସାକ୍ଷରତା କାର୍ଯ୍ୟକ୍ରମ ଭିତ୍ତିଭୂମି ଜନିତ ଅଭାବ କାରଣରୁ ପହଞ୍ଚି ପାରିନାହିଁ। କେଉଁଠି ନେଟ୍ୱର୍କ ନାହିଁ ତ ଆଉ କେଉଁଠି ଲୋକଙ୍କ ପାଖରେ କମ୍ପ୍ୟୁଟର, ଲାପଟପ୍ ଭଳି ଉପକରଣ ନାହିଁ। ଲୋକଙ୍କ ଆର୍ଥିକ ସ୍ଥିତି ଏ କ୍ଷେତ୍ରରେ ପ୍ରତିବନ୍ଧକ ହୋଇଛି। ଡିଜିଟାଲ୍ ସାକ୍ଷରତା ବଢ଼ାଇବା ଏବଂ ଏ କ୍ଷେତ୍ରରେ ଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ ସରକାରଙ୍କୁ ଆହୁରି ପଦକ୍ଷେପ ନେବାକୁ ପଡ଼ିବ।
ବହୁ ଗାଁରେ ଇଣ୍ଟରନେଟ୍ ସ୍ବପ୍ନ
ଓଡ଼ିଶାରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଛି। ଗତ ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ଗ୍ରାମାଞ୍ଚଳରେ ପ୍ରାୟ ୧.୮ କୋଟି ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ସହରାଞ୍ଚଳରେ ଏମାନଙ୍କ ସଂଖ୍ୟା ୧ କୋଟିରୁ ଅଧିକ ରହିଛି। ଗ୍ରାମାଞ୍ଚଳରେ ପ୍ରତି ୧୦୦ ଜଣରେ ୪୯.୯୭ ଜଣଙ୍କ ନିକଟରେ ଇଣ୍ଟରନେଟ୍ ଅଛି। ତେଣୁ ଗ୍ରାମାଞ୍ଚଳରେ ୫୦ ପ୍ରତିଶତରୁ ଅଧିକ ଲୋକ ଏବେ ବି ଇଣ୍ଟରନେଟ୍ ଠାରୁ ଦୂରରେ ଅଛନ୍ତି। କିନ୍ତୁ ସହରାଞ୍ଚଳରେ ସ୍ଥିତି ଅପେକ୍ଷାକୃତ ଭଲ ରହିଛି। ସହରାଞ୍ଚଳରେ ଇଣ୍ଟରନେଟ ସାନ୍ଦ୍ରତା ୧୧୭ ପ୍ରତିଶତ ରହିଛି। ଅର୍ଥାତ୍ କିଛି ବ୍ୟକ୍ତିଙ୍କ ପାଖରେ ଏକାଧିକ ଇଣ୍ଟରନେଟ୍ ସଂଯୋଗ ରହିଛି। ସାମଗ୍ରିକ ଭାବେ ଦେଖିଲେ ରାଜ୍ୟରେ ଇଣ୍ଟରନେଟ୍ ସାନ୍ଦ୍ରତା ୬୩ ପ୍ରତିଶତ ରହିଛି। ଅର୍ଥାତ୍ ୧୦୦ ଲୋକରେ ୬୩ ଜଣ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ୨୦୨୫ ମସିହାର ପ୍ରଥମ ୯ ମାସରେ ଇଣ୍ଟରନେଟ୍ ସାନ୍ଦ୍ରତାରେ ପାଖାପାଖି ୫ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷ ଡିସେମ୍ବର ବେଳକୁ ଇଣ୍ଟରନେଟ୍ ସାନ୍ଦ୍ରତା ଗ୍ରାମାଞ୍ଚଳରେ ୪୭.୭୨ ପ୍ରତିଶତ ଓ ସହରାଞ୍ଚଳରେ ୧୦୨.୧୨ ପ୍ରତିଶତ ରହିଥିଲା। ସଂଖ୍ୟା ଦୃଷ୍ଟିରୁ ଗ୍ରାମାଞ୍ଚଳରେ ୧.୭୧ କୋଟି ଏବଂ ସହରାଞ୍ଚଳରେ ୮୭.୫ ଲକ୍ଷ ଇଣ୍ଟରନେଟ୍ ବ୍ୟବହାରକାରୀ ରହିଥିଲେ। ୫ଜି ଆସିବା ପରେ ଲୋକମାନେ ଅଧିକରୁ ଅଧିକ ସ୍ପିଡ୍ରେ ଇଣ୍ଟରନେଟ୍ ସେବା ପାଇପାରୁଛନ୍ତି। ଏହା ସତ୍ତ୍ବେ ଆଦିବାସୀ ଅଧ୍ୟୁଷିତ ଓ ମାଓବାଦୀ ପ୍ରବଣ ଜିଲ୍ଲା ଓ ଅଞ୍ଚଳରେ ଲୋକଙ୍କୁ ନେଟ୍ୱର୍କ ପାଇବା ପାଇଁ ଗଛ ଓ ପାହାଡ଼ରେ ଚଢ଼ିବାକୁ ପଡ଼ୁଛି। ଅନେକ ସ୍ଥାନରେ ଇଣ୍ଟରନେଟ୍ ସେବା ମାନରେ ସେତେଟା ଉନ୍ନତି ଆସିନାହିଁ। ଇଣ୍ଟରନେଟ୍ ଗତି ଅତ୍ୟନ୍ତ ଧିମା ରହୁଛି। ଓଡ଼ିଶାର ୫୧,୧୭୬ଟି ଗାଁରୁ ୧୫୬୨ଟି ଗାଁରେ ମୋବାଇଲ ଓ ଇଣ୍ଟରନେଟ୍ ସଂଯୋଗ ନାହିଁ। ରାଜ୍ୟର ୪୯,୬୧୪ଟି ଗ୍ରାମରେ ମୋବାଇଲ ସଂଯୋଗ ଥିବାବେଳେ ୪୯,୦୨୫ଟି ଗାଁରେ ୪ଜି ମୋବାଇଲ ନେଟ୍ୱର୍କ ସୁବିଧା ରହିଛି। ସଂଖ୍ୟାକୁ ଦେଖିଲେ ରାଜ୍ୟର ୯୬ ପ୍ରତିଶତ ଗାଁରେ ଇଣ୍ଟରନେଟ୍ ସୁବିଧା ଥିବା ସମୟରେ ଅବଶିଷ୍ଟ ୪ ପ୍ରତିଶତ ଗ୍ରାମରେ ଏହି ସୁବିଧା ନାହିଁ। ଗ୍ରାମାଞ୍ଚଳର ଅପହଞ୍ଚ ଓ ସୀମାନ୍ତ ଅଞ୍ଚଳରେ ମୋବାଇଲ ଟାୱାର ସ୍ଥାପନ ପାଇଁ ସରକାର ଡିଜିଟାଲ୍ ଭାରତ ନିଧିରୁ ବିଭିନ୍ନ ଯୋଜନାରେ ପାଣ୍ଠି ଯୋଗାଇ ଦେଉଛନ୍ତି। ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଏହି ଯୋଜନାରେ ଓଡ଼ିଶାରେ ୩୩୫୫ଟି ମୋବାଇଲ ଟାୱାର ସ୍ଥାପନ କରାଯାଇଛି। ଏହାଦ୍ବାରା ୪୯୧୫ଟି ଗ୍ରାମକୁ ମୋବାଇଲ ସଂଯୋଗ ସୁବିଧା ମିଳିପାରିଛି ବୋଲି ନିକଟରେ ରାଜ୍ୟସଭାରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ପି ଚନ୍ଦ୍ରଶେଖର ସୂଚନାରୁ ଜଣାଯାଇଛି।
/filters:format(webp)/sambad/media/media_files/2025/12/23/untitled-10-2025-12-23-07-40-04.jpg)
ଡିଜିଟାଲ୍ ଓଡ଼ିଶା ପାଇଁ ନୀତିରେ ସଂସ୍କାର
ରାଜ୍ୟରେ ଉନ୍ନତ ଡିଜିଟାଲ୍ ପରିବେଷ୍ଟନୀ ସୃଷ୍ଟି କରିବା ପାଇଁ ସରକାର ଅନେକ ସମୟରେ ନୂଆ ସୂଚନା ଓ ଯୋଗାଯୋଗ ନୀତି ପ୍ରଣୟନ କରି କାର୍ଯ୍ୟକାରୀ କରିଛନ୍ତି। ଚଳିତବର୍ଷ ସରକାର ଆଇଟି ନୀତି ୨୦୨୫ କାର୍ଯ୍ୟକାରୀ କରିଛନ୍ତି। ଗ୍ଲୋବାଲ୍ କାପାବିଲିଟି ସେଣ୍ଟର ନୀତି-୨୦୨୫ ମଧ୍ୟ ଅଣାଯାଇଛି। ୨୦୨୫ ଆଇଟି ନୀତି ଆସିବା ପୂର୍ବରୁ ରାଜ୍ୟରେ ଆଇଟି ନୀତି ୨୦୨୨ କାର୍ଯ୍ୟକାରୀ ହେଉଥିଲା। ତା ପୂର୍ବରୁ ଆଇସିଟି ନୀତି ୨୦୧୪ ରହିଥିଲା। ଏସବୁ ନୀତିର ଉଦ୍ଦେଶ୍ୟ ଥିଲା ରାଜ୍ୟକୁ ଆଇଟି ଓ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ରରେ ଆଗକୁ ନେବା। ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ଅନେକ ରାଷ୍ଟ୍ରାୟତ୍ତ କମ୍ପାନି ଭୁବନେଶ୍ବରରେ ସେମାନଙ୍କ ଡେଭଲପମେଣ୍ଟ ସେଣ୍ଟର ଖୋଲିଛନ୍ତି। ସେମାନଙ୍କ ମଧ୍ୟରେ ଟିସିଏସ୍, ଇନ୍ଫୋସିସ, ୱିପ୍ରୋ, ଆକ୍ସେଞ୍ଚର ଆଦି ରହିଛନ୍ତି। ଏସବୁ କମ୍ପାନିରେ ମହିଳା କର୍ମଚାରୀଙ୍କ ସଂଖ୍ୟା ଗତ କିଛିବର୍ଷ ମଧ୍ୟରେ ବୃଦ୍ଧି ପାଇଛି। କମ୍ପ୍ୟୁଟର ସାଇନ୍ସ ଓ ଆଇଟିରେ ଶିକ୍ଷା ଲାଭ କରୁଥିବା ଝିଅମାନେ ଆଇଟି କମ୍ପାନିଗୁଡ଼ିକରେ ବହୁସଂଖ୍ୟାରେ କାର୍ଯ୍ୟ କରୁଛନ୍ତି।
ଇ-ଗଭର୍ଣ୍ଣାନ୍ସରେ ୩୭ ବିଭାଗର ୬୪୦ ସେବା
ପ୍ରଶାସନିକ ସେବାକୁ ବେଶି ସ୍ବଚ୍ଛ, ଦକ୍ଷ ଓ ନାଗରିକ କୈନ୍ଦ୍ରିକ କରିବା ପାଇଁ ଓଡ଼ିଶା ସରକାର ୱେବସାଇଟ୍ ଓ ଆପ୍ ଭଳି ଡିଜିଟାଲ୍ ପ୍ଲାଟଫର୍ମ ଜରିଆରେ ଲୋକମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦେଉଛନ୍ତି। ୟୁନିଫାଏଡ ପୋର୍ଟାଲ୍ ଜରିଆରେ କୃଷି ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ରାଜସ୍ବ ଭଳି ୩୭ଟି ବିଭାଗର ୬୪୦ ପ୍ରକାର ସେବା ନାଗରିକମାନେ ଅନ୍ଲାଇନ୍ରେ ପାଇବା ସୁବିଧା ରହିଛି। ଜନ୍ମ ମୃତ୍ୟୁ ପଞ୍ଜୀକରଣ ଠାରୁ ଆରମ୍ଭ କରି ଯାବତୀୟ ସେବା ଲୋକମାନେ ନିଜ ହାତ ପାଆନ୍ତାରେ ପାଇ ପାରୁଛନ୍ତି। ଏଥିପାଇଁ କାର୍ଯ୍ୟାଳୟଗୁଡ଼ିକୁ ବାରମ୍ବାର ଦୌଡ଼ିବାକୁ ପଡ଼ୁନାହିଁ। ଏହା କେବଳ ସେବା ପ୍ରଦାନକୁ ତ୍ବରିତ କରିନାହିଁ ବରଂ ବ୍ୟବସ୍ଥିତ କରିଛି। ଅନ୍ଲାଇନ୍ରେ ସେବା ମିଳିବା ଦ୍ବାରା ଲୋକଙ୍କୁ ଲାଞ୍ଚ କିମ୍ବା ହାତଗୁଞ୍ଜା ଦେବାକୁ ପଡ଼ୁନାହିଁ। ସେହିଭଳି କେତେ ଦିନରେ ସେବା ମିଳୁଛି ତାହା ଉପରେ ମଧ୍ୟ ନଜର ରଖାଯାଇ ପାରୁଛି। ଡିଜିଟାଲ୍ ସାକ୍ଷର ଲୋକଙ୍କ ମଧ୍ୟରୁ ଅନେକ ବ୍ୟକ୍ତି ନିଜେ ଅନ୍ଲାଇନ୍ ସେବାର ଉପଯୋଗ କରୁଛନ୍ତି। ଅନ୍ୟ କେତେକ ସେବା ଜନସେବା କେନ୍ଦ୍ର ଗୁଡ଼ିକରେ ମିଳିପାରୁଛି। ଶିକ୍ଷା ବିଭାଗର ଇ-ବିଦ୍ୟାଳୟ, ସାମ୍ସ ବା ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ; ସ୍ବାସ୍ଥ୍ୟ ବିଭାଗର ଇ-ବ୍ଲଡ୍ ବ୍ୟାଙ୍କ, ଏଚ୍ଏମ୍ଆଇଏସ୍, ଟେଲିମେଡିସିନ୍; ରାଜସ୍ବ ବିଭାଗର ଭୂଲେଖ ଆଦି ବ୍ୟବସ୍ଥା ଲୋକଙ୍କ ପାଇଁ ବେଶ୍ ସହାୟକ ହେଉଛି। ଇସ୍ପାତ ଓ ଖଣି ବିଭାଗ ଦ୍ବାରା ଖଣିଜ ସାମଗ୍ରୀ ପରିଚାଳନାରେ ସ୍ବଚ୍ଛତା ଆଣିବା ପାଇଁ ଆଇ୩ଏମ୍ଏସ୍ (ସମନ୍ବିତ ଖଣି ଓ ଖଣିଜ ପରିଚାଳନା ବ୍ୟବସ୍ଥା) କାର୍ଯ୍ୟକାରୀ କରାଯାଇଛି। ନିବେଶକମାନଙ୍କୁ ଗୋଟିଏ ସ୍ଥାନରେ ପ୍ରକଳ୍ପ ସଂପର୍କିତ ସୁବିଧା ପ୍ରଦାନ ପାଇଁ ଗୋସ୍ବିଫ୍ଟ ନାମରେ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ରହିଛି। ସଚିବାଳୟରେ ଓଡ଼ିଶା ସେକ୍ରେଟେରିଏଟ୍ ୱର୍କଫ୍ଲୋ ଅଟୋମେସନ ସିଷ୍ଟମ୍ (ଓସ୍ବାସ୍) କାର୍ଯ୍ୟକାରୀ କରାଯାଇଛି। ଏଥିସହିତ ଇ-ଅଭିଯୋଗ ଜରିଆରେ ଅନ୍ଲାଇନ୍ରେ ଅଭିଯୋଗ ସମାଧାନର ବ୍ୟବସ୍ଥା କରାଯାଇଛି। ସେହିଭଳି ଇ-ଗେଜେଟ୍ ଜରିଆରେ ସରକାରୀ ବିଜ୍ଞପ୍ତିଗୁଡ଼ିକ ଅନ୍ଲାଇନ୍ରେ ପ୍ରକାଶ କରାଯାଉଛି। ନେଭା(ନ୍ୟାସନାଲ ଇ ବିଧାନ ଆପ୍ଲିକେସନ୍) ଜରିଆରେ ବିଧାନସଭାର କାର୍ଯ୍ୟାବଳୀ ସଂପର୍କରେ ସୂଚନା ମିଳିପାରୁଛି।
୯ ଜିଲ୍ଲାରେ ଟେକ୍ ବିଜନେସ୍ ପାର୍କ
ରାଜ୍ୟର ନଅଟି ଜିଲ୍ଲାରେ ଟେକ୍ ବିଜନେସ୍ ପାର୍କ ସ୍ଥାପନ କରିବା ପ୍ରସ୍ତାବ ରହିଛି। ଏହି ପାର୍କଗୁଡ଼ିକୁ କେନ୍ଦୁଝର, ବଲାଙ୍ଗୀର, ସମ୍ବଲପୁର, ରାୟଗଡ଼ା, ପୁରୀ, ଝାରସୁଗୁଡ଼ା, କଟକ, କଳାହାଣ୍ଡି ଓ ଗଜପତିରେ ସ୍ଥାପନ ଯୋଜନା ରହିଛି। ଏହା ଜରିଆରେ ସରକାର ଆଞ୍ଚଳିକ ଅଭିବୃଦ୍ଧିରେ ସନ୍ତୁଳନ ଆଣିବା ଏବଂ ସୂଚନା ପ୍ରଯୁକ୍ତି ନେତୃତ୍ବାଧୀନ ଅଭିବୃଦ୍ଧିକୁ ସକ୍ଷମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ରାଜ୍ୟରେ ମୋଟ ୨୧ଟି ଆଇଟି ପାର୍କ ସ୍ଥାପନ କରିବା ଲାଗି ପ୍ରସ୍ତାବ ଆସିଛି। ସେଗୁଡ଼ିକ ଉପରେ ସରକାର ବିଚାର କରୁଛନ୍ତି। ଏହି ବିଚାର ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ରହିଛି। ସେଥିରୁ କିଛି ପ୍ରସ୍ତାବକୁ ଅନୁମୋଦନ ମିଳିସାରିଥିବା ବେଳେ ଆଉ କିଛି ପ୍ରସ୍ତାବର ସମୀକ୍ଷା କରାଯାଉଛି। ଆଇଟି ଏସ୍ଇଜେଡ୍, ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ କ୍ଲଷ୍ଟର୍ ସମେତ ରାଜ୍ୟରେ ୭୫୦ ଏକରରୁ ଅଧିକ ବିକଶିତ ଶିଳ୍ପ ସ୍ଥଳ ରହିଛି ବୋଲି ସରକାର କହିଛନ୍ତି।
ଉଦାହରଣ ସୃଷ୍ଟି କଲା ଶୁଆକାଟୀ ଗ୍ରାମ ପଞ୍ଚାୟତ
ଡିଜିଟାଲ୍ ରୂପାନ୍ତରଣ ଆଣିବାରେ ସାରା ଭାରତରେ ଉଦାହରଣ ପାଲଟିଛି କେନ୍ଦୁଝର ଜିଲ୍ଲା ଶୁଆକାଟୀ ଗ୍ରାମ ପଞ୍ଚାୟତ। ଓଡ଼ିଶାୱାନ୍ ଭଳି ପ୍ଲାଟ୍ଫର୍ମ ଜରିଆରେ ସାର୍ବଜନୀନ ସେବା ପ୍ରଦାନ କରିବା, ମହିଳା ଓ ଯୁବପିଢ଼ିଙ୍କ ଡିଜିଟାଲ୍ ସାକ୍ଷରତାରେ ଉନ୍ନତି ଆଣିବା, ୟୁପିଆଇ କାରବାର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଆଦି କ୍ଷେତ୍ରରେ ଏହା ଉଲ୍ଲେଖନୀୟ କାର୍ଯ୍ୟ କରୁଛି। ସେଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ଏହି ଗ୍ରାମ ପଞ୍ଚାୟତକୁ ‘ଜାତୀୟ ଇ-ଗଭର୍ଣ୍ଣାସ ଆୱାର୍ଡ-୨୦୨୫’ ପ୍ରଦାନ କରାଯାଇଥିଲା। ଗ୍ରାମୀଣ ଇ-ଗଭର୍ଣ୍ଣାସ୍ କ୍ଷେତ୍ରରେ କେନ୍ଦୁଝରର ବାଂଶପାଳ ବ୍ଲକ୍ ଅଧୀନ ଶୁଆକାଟୀ ଗ୍ରାମ ପଞ୍ଚାୟତ ନୂତନ ମାନଦଣ୍ଡ ନିର୍ଦ୍ଧାରଣ କରିଛି। ମହିଳାମାନଙ୍କ ଉପକାର ପାଇଁ ଏହା ୨୪ ଘଣ୍ଟିଆ ଡିଜିଟାଲ୍ ସେବା ପ୍ରଦାନ କରୁଛି। ଅତ୍ୟାବଶ୍ୟକ ସେବା ଯୋଗାଇବା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ସେହିପରି ଡିଜିଟାଲ୍ ବୈଷମ୍ୟ ଦୂର କରିବା ଲାଗି ଏହା ମହିଳା ଓ ଯୁବପିଢ଼ିଙ୍କୁ ଡିଜିଟାଲ୍ ଦକ୍ଷତା ଓ ୟୁପିଆଇ ସୁରକ୍ଷା ପରାମର୍ଶ ପ୍ରଦାନ କରୁଛି। ସ୍ବଚ୍ଛତାର ସହ ସେବା ପ୍ରଦାନ କରିବା ଲାଗି ଓଡ଼ିଶାୱାନ ଓ ସେବା ଓଡ଼ିଶା ଭଳି ପ୍ରଯୁକ୍ତିକୁ ଏହା ସହଜରେ ବ୍ୟବହାର କରୁଛି। ତୃଣମୂଳ ସ୍ତରର ନବସୃଜନ ପାଇଁ ଏହି ଗ୍ରାମପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାସ୍ ଆୱାର୍ଡସ୍ରେ ଜୁରି ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶାଖାପାଟଣାରେ ଅନୁଷ୍ଠିତ ଜାତୀୟ ଇ-ଗଭର୍ଣ୍ଣାସ୍ ଆୱାର୍ଡସ୍ ସମାରୋହରେ ପୁରସ୍କାର ଦିଆଯାଇଥିଲା।
/filters:format(webp)/sambad/media/media_files/2025/12/23/untitled-11-2025-12-23-07-41-31.jpg)
୮୫୦୦ କୋଟିର ସଫ୍ଟୱେର୍ ରପ୍ତାନି
ସଫ୍ଟୱେର୍ ରପ୍ତାନି କ୍ଷେତ୍ରରେ ଓଡ଼ିଶା ଆଗକୁ ବଢ଼ୁଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ୮୫୦୦ କୋଟି ମୂଲ୍ୟର ସଫ୍ଟୱେର ରପ୍ତାନି କରି ଦେଶର ପ୍ରମୁଖ ୧୦ଟି ରାଜ୍ୟ ମଧ୍ୟରେ ରହିଛି। ବିଧାନସଭାରେ ଆଇଟି ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୧୬-୧୭ରେ ରାଜ୍ୟରୁ ୩୪୦୦ କୋଟି ଟଙ୍କାର ସଫ୍ଟୱେର ରପ୍ତାନି ହୋଇଥିଲା। ତା’ପରଠାରୁ ଲଗାତାର ଭାବେ ସେଥିରେ ବୃଦ୍ଧି ହେଉଛି। ଗତ ପାଞ୍ଚଟି ଆର୍ଥିକ ବର୍ଷ ମଧ୍ୟରୁ ୨୦୨୦-୨୧ରେ ୫୦୦୦ କୋଟି ଟଙ୍କା, ୨୦୨୧-୨୨ରେ ୫୫୦୦ କୋଟି ଟଙ୍କା, ୨୦୨୨-୨୩ରେ ୬୧୦୪ କୋଟି ଟଙ୍କା, ୨୦୨୩-୨୪ରେ ୭୪୦୦ କୋଟି ଟଙ୍କା ଓ ୨୦୨୪-୨୫ରେ ୮୫୦୦ କୋଟି ଟଙ୍କାର ସଫ୍ଟୱେର ରପ୍ତାନି ହୋଇଛି।
୧୬ ମାସରେ ୩୩ଟି ନୂଆ ଆଇଟି କମ୍ପାନି
ରାଜ୍ୟରେ ଗତ ୧୬ ମାସରେ ୩୩ଟି ନୂଆ ସୂଚନା ପ୍ରଯୁକ୍ତି (ଆଇଟି) କମ୍ପାନି ସେମାନଙ୍କ ୟୁନିଟ୍ ସ୍ଥାପନ କରିଛନ୍ତି। ୩୩ଟି କମ୍ପାନିରେ ୨୫୨୮ ଜଣଙ୍କୁ ନିଯୁକ୍ତି ମିଳିଛି। ସେଥିରୁ ୧୭୩୦ ଜଣ ପୁରୁଷ ହୋଇଥିବା ବେଳେ ୭୯୮ ଜଣ ହେଉଛନ୍ତି ମହିଳା। ଗତ ୧୬ ମାସରେ ଓଡ଼ିଶା ଆସିଥିବା କମ୍ପାନିଗୁଡ଼ିକ ହେଉଛି ଇନ୍ଜେନି ଇନ୍ଫୋସିଷ୍ଟମ୍ସ, କୋସେଣ୍ଟ, କ୍ଲାଉଡ୍ଟ୍ରି ଏଆଇ ଇଣ୍ଡିଆ, ପ୍ରୋସେସ୍ଏମ୍ଏପି ଇଣ୍ଡିଆ, ନେତାନ୍ତ୍ର ଟେକ୍ନୋଲୋଜିସ୍, ବାହାନିକ୍ସ ଟେକ୍ନୋଲୋଜିସ୍, ଡାଏଟାରି ବିଜନେସ୍ ଇଣ୍ଟେଲିଜେନ୍ସ, ଆଡ୍ସଫ୍ଟ ଟେକ୍ନୋଲୋଜିସ୍, ଆଇ-ମ୍ୟାକ୍ସ ସର୍ଭିସେସ୍, ଓ ସ୍ମାର୍ଟଆଇମେଟ୍ ଟେକ୍ ସଲ୍ୟୁସନ୍ସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/23/untitled-8-2025-12-23-07-37-30.jpg)