କୁମ୍ଭୀରର ଦାନ୍ତଘଷା

କୁମ୍ଭୀର ପରି ଏକ ହିଂସ୍ର ମାଂସାଶୀ ଜଳଚର ଜୀବର ପୁଣି ଦାନ୍ତଘଷା! ଶୀର୍ଷକଟି ଶୁଣିଲେ ମନରେ କୌତୂହଳ ସୃଷ୍ଟି ହେବ ନିଶ୍ଚୟ। କୁମ୍ଭୀରର ମୁନିଆଁ ଦାନ୍ତଗୁଡ଼ିକୁ ଘଷିବା ପାଇଁ ଏକ ବିଚିତ୍ର ପ୍ରାକୃତିକ ଉପାୟ ଈଶ୍ବର ଖଞ୍ଜିଦେଇଛନ୍ତି। ଇଜିପ୍ଟିଆନ୍‌ ପ୍ଲୋଭର ନାମକ ଏକ ପ୍ରକାର କ୍ଷୁଦ୍ର ପକ୍ଷୀ ଏହି କାର୍ଯ୍ୟଟି ତୁଲାଇଥାଏ। ଉଲ୍ଲେଖଯୋଗ୍ୟ, ବିଭିନ୍ନ ଜଳଚର ପ୍ରାଣୀ ସମେତ ଉପକୂଳରେ ବୁଲୁଥିବା ସ୍ଥଳଚର ପ୍ରାଣୀଙ୍କୁ କୁମ୍ଭୀର ଶିକାର କରି ଖାଦ୍ୟ ରୂପେ ଗ୍ରହଣ କରିଥାଏ। ବିଭିନ୍ନ ପ୍ରକାର ପକ୍ଷୀ ମଧ୍ୟ ଏହା କବଳରୁ ନିସ୍ତାର ପାଇନଥାନ୍ତି। ତେବେ ଭୁରି ଭୋଜନ ପରେ କୁମ୍ଭୀର ପାଣିରୁ ଉଠି ଆସି ଉପକୂଳ ବାଲିରେ ପଡ଼ିରହି ନିଜ ପାଟିକୁ ମେଲା କରି ବିଶ୍ରାମ କରିଥାଏ।

ଏତିକି ବେଳେ ଉକ୍ତ ପ୍ଲୋଭର ପକ୍ଷୀ କୁମ୍ଭୀର ପାଟିରେ ପଶି ତାହାର ଦାନ୍ତ ସନ୍ଧିଗୁଡ଼ିକରେ ଲାଖିଥିବା ଖାଦ୍ୟପଦାର୍ଥକୁ ଖୁମ୍ପି ନିଜେ ଖାଦ୍ୟ ରୂପେ ଗ୍ରହଣ କରିଥାଏ। ପ୍ଲୋଭରଟି ଏପରି ଦୁଃସାହସିକ କାର୍ଯ୍ୟ କରୁଥିବା ବେଳେ କୁମ୍ଭୀର କିନ୍ତୁ ତା’ର ହିଂସ୍ରତା ଦେଖାଇ ନଥାଏ। ଅପରପକ୍ଷେ, ଏହା ଶାନ୍ତ ଭାବରେ ନିଜର ପାଟିକୁ ଅଧିକରୁ ଅଧିକ ମେଲା କରିଥାଏ। ଏହାଦ୍ବାରା ଉଭୟ ପ୍ରାଣୀ ଉପକୃତ ହୋଇଥା’ନ୍ତି। ପ୍ଲୋଭରକୁ ସହଜରେ ତାହାର ଭୋଜନ ମିଳିଯିବା ସହ କୁମ୍ଭୀରର ଦାନ୍ତ ମଧ୍ୟ ସଫା ହୋଇଯାଇଥାଏ। ବଡ଼ ଚମତ୍କାର ଏଇ ପ୍ରକୃତିର ଲୀଳା!

ସମ୍ବନ୍ଧିତ ଖବର