ସମସ୍ତେ କହନ୍ତି, “ମୁଁ ଶାନ୍ତି ଚାହେଁ”, କିନ୍ତୁ ସମସ୍ତେ ଶାନ୍ତି ପାଆନ୍ତି ନାହିଁ। କାହିଁକି? କ’ଣ କଲେ ଜଣେ ଶାନ୍ତି ପାଇ ପାରିବ?
ଏହାର ସୁନ୍ଦର ଉତ୍ତର ବା ଏକ ସୁନ୍ଦର ସମାଧାନ ସତ୍ୟସାଈବାବାଙ୍କ ବାଣୀରେ ଅଛି।
ନଭେମ୍ବର ୨୩ ତାରିଖ ସତ୍ୟସାଈ ବାବାଙ୍କର ଜନ୍ମଦିନ। ୧୯୨୬ ମସିହାର ଏହି ତାରିଖରେ, ସେଦିନର ମାଡ଼୍ରାସ ପ୍ରେସିଡେନ୍ସି ଅଧୀନସ୍ଥ ପୁଟପର୍ତ୍ତିଠାରେ ସେ ଜନ୍ମଗ୍ରହଣ କରିଥିଲେ। ଜୀବଦ୍ଦଶାରେ ସେ ଜଣେ ଭାରତୀୟ ସନ୍ଥ ଭାବରେ ଅନେକ ପ୍ରସିଦ୍ଧି ଅର୍ଜନ କରିଥିଲେ। ‘ସତ୍ୟନାରାୟଣ ରାଜୁ’ରୁ ସେ କିପରି ‘ସତ୍ୟସାଈ ବାବା’ ହେଲେ- ସେ କାହାଣୀ ଖୁବ୍ ଚମକପ୍ରଦ। ୨୪ ଏପ୍ରିଲ୍ ୨୦୧୧ରେ ସେହି ପୁଟପର୍ତ୍ତିଠାରେ ତାଙ୍କର ଦେହାବସାନ ଘଟିଥିଲା।
ଜୀବନ କାଳରେ ସତ୍ୟସାଈବାବାଙ୍କର ଚମତ୍କାରିତାରେ ମୁଗ୍ଧ ହୋଇ ଏବଂ ତାଙ୍କର ବାଣୀରେ ପ୍ରଭାବିତ ହୋଇ, ବହୁ ଭକ୍ତ ଓ ଅନୁଗାମୀ ସୃଷ୍ଟି ହୋଇଥିଲେ। ଏବେ ବି ତାଙ୍କର ଭକ୍ତ ଏବଂ ଅନୁଗାମୀଙ୍କ ସଂଖ୍ୟା ଅଗଣନ। ତାଙ୍କର ଜନ୍ମଦିବସ ଅବସରରେ, ତାଙ୍କର ସୁମହତ୍ ଓ ପ୍ରେରଣାପ୍ରଦ ବାଣୀରୁ ଏଠି ଗୋଟିଏ।
ସତ୍ୟସାଈବାବା କହିଛନ୍ତି- “ମୁଁ ଶାନ୍ତି ଚାହେଁ; ଏହା ସମସ୍ତେ କହନ୍ତି। କିନ୍ତୁ ସେମାନେ କିପରି ଶାନ୍ତି ପାଇବେ? ତାହାର ଗୋଟିଏ ସରଳ ସୂତ୍ର ଅଛି। ‘ମୁଁ - ଶାନ୍ତି - ଚାହେଁ’; ଏଥିରୁ ‘ମୁଁ’ ହେଉଛି ଅହଂ ଏବଂ ‘ଚାହେଁ’ ହେଉଛି କାମନା। ଏଣୁ ‘ମୁଁ - ଶାନ୍ତି - ଚାହେଁ’ରୁ ଯଦି ‘ମୁଁ’ ଓ ‘ଚାହେଁ’, ଏହି ଦୁଇଟିକୁ ହଟାଇ ଦେଇ ପାରିବ, ତେବେ ଶାନ୍ତି ମିଳିଯିବ।” ସତ୍ୟସାଈବାବାଙ୍କର ଏଇ କଥାଟି ଖୁବ୍ ଛୋଟ ଓ ସରଳ ମନେହୁଏ। କିନ୍ତୁ ଏହାକୁ ଆଚରଣରେ କାର୍ଯ୍ୟକାରୀ କରିବା ଅତି କଠିନ। ଆମେ ଯଦି ଏହାକୁ ଆମର ଭାବନା ଓ ଆଚରଣରେ ପ୍ରତିଫଳିତ କରି ଆମର ଅହଂ ଓ କାମନାକୁ ହଟାଇ ଦେଇପାରିବା, ତେବେ ନିଶ୍ଚିତ ଭାବରେ ଶାନ୍ତି ପାଇବା।