ଦୁଇ ଓଡ଼ିଶା ଅର୍ଜୁନଙ୍କ ଅପୂର୍ବ ମିଳନ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଦୁନିଆର ଦୁଇ ଅର୍ଜୁନ ପୁରସ୍କାର ବିଜେତାଙ୍କ ଅପୂର୍ବ ମିଳନ ଘଟିଥିଲା ଗୁରୁବାର। ଏହି ଦୁଇ ଭାରୋତ୍ତୋଳନ ପ୍ରତିଭା ହେଲେ ବ୍ରହ୍ମପୁରର ବିଜୟ କୁମାର ଶତପଥୀ ଓ କେ. ରବି କୁମାର। ଦେଶ ପାଇଁ ଉଭ‌ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ଜିତିଥିବା ବେଳେ ଦୁଇଟି ଅଲଗା ଅଲଗା ପିଢ଼ିର ପ୍ରତିନିଧିତ୍ବ କରିଥିଲେ। ୭୧ ବର୍ଷୀୟ ବିଜୟ ଶତପଥୀ ୧୯୮୧ ମସିହାରେ ଅର୍ଜୁନ ପୁରସ୍କାର ପାଇଥିବା ବେଳେ ଏହାର ୩୦ ବର୍ଷ ପରେ ୨୦୧୧ରେ କେ. ରବି କୁମାର ପାଇଥିଲେ ଖେଳ ଦୁନିଆର ଏହି ମର୍ଯ୍ୟାଦାଜନକ ପୁରସ୍କାର। ଉଭୟଙ୍କ ମିଳନର ଅବସର ଆଣି ଦେଇଥିଲା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)। ବୁଧବାର ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ବିମଳ ରାଉଳଙ୍କ ସଂଯୋଜନାରେ ଅନୁଷ୍ଠିତ ଓସଜା ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବରେ ଶ୍ରୀ ଶତପଥୀ ଅସୁସ୍ଥତା କାରଣରୁ ଉପସ୍ଥିତ ହୋଇପାରି ନଥିଲେ। ଓଡ଼ିଶା ଭା‌‌ରୋ‌େତ୍ତାଳନ ସଂଘର ନବ ନିର୍ବାଚିତ ସମ୍ପାଦକ କେ. ରବି କୁମାର ଏହି ଦାୟିତ୍ବ ନେଇ ଗୁରୁବାର ବ୍ୟକ୍ତିଗତ ଭାବେ ତାଙ୍କୁ ବ୍ରହ୍ମପୁରସ୍ଥିତ ବାସଭବନରେ ଭେଟି ଏହି ବାର୍ଷିକ ପୁରସ୍କାର ପ୍ରଦାନ କରି ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। କିଂବଦନ୍ତି ଭାରୋତ୍ତୋଳନ ବ୍ୟକ୍ତିତ୍ବ ଶ୍ରୀ ଶତପଥୀଙ୍କୁ ଓସ୍‌ଜାର ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି। ରବି କୁମାର ମଧ୍ୟ ବୁଧବାର ଉତ୍ସବ‌େର ଅନ୍ୟତମ ଅତିଥି ଥିଲେ। ଶ୍ରୀ ଶତପଥୀଙ୍କୁ ପୁରସ୍କାର ବାବଦ ୨୫,୦୦୦ ଟଙ୍କାର ଚେକ୍‌ ସହିତ ଫଳକ ଓ ମାନପତ୍ର ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଶ୍ରୀ ଶତପଥୀ ଖେଳ ଜୀବନରେ ୫ରୁ ଅଧିକ ଅନ୍ତର୍ଜାତୀୟ ପଦକ ଜିତିଛନ୍ତି। ୧୯୮୧ ମିନି ରାଜ୍ୟଗୋଷ୍ଠୀ କ୍ରୀଡ଼।ରେ ସ୍ବର୍ଣ୍ଣ, ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଏବଂ ୧୯୮୧ ଓ ୧୯୮୩ରେ ଏସୀୟ ଭାରୋତ୍ତୋଳନରେ ଗୋଟିଏ ଲେଖାଏଁ କାଂସ୍ୟ ପଦକ ଜିତିଥିଲେ। ୧୯୯୦ ଏସୀୟ କ୍ରୀଡ଼ାରେ ମଧ୍ୟ କାଂସ୍ୟ ପଦକ ଜିତିଥିଲେ। ସେହିଭଳି ସୁନ୍ଦରସ୍ବାସ୍ଥ୍ୟରୁ ଭାରୋତ୍ତାଳନକୁ ଆସିଥିବା ୩୬ ବର୍ଷୀୟ କାଟୁଲୁ ରବି କୁମାର ଏକାଧିକ ଥର ଜାତୀୟ ସ୍ବର୍ଣ୍ଣ ବିଜେତା ହୋଇଥିବା ବେଳେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୨ ଲଣ୍ଡନ୍‌ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିବା ବେଳେ ୨୦୧୪ରେ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିଲେ। ୨୦୦୯ ଏସୀୟ ପ୍ରତିଯୋଗିତା ଏବଂ ୨୦୧୧ ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ ଏହି ବ୍ରହ୍ମପୁର ହନୁମାନ କ୍ଲବ୍ ବୀର।

ସମ୍ବନ୍ଧିତ ଖବର