ସବୁବେଳେ ପୁଅର ଫଟୋ, ରିଲ୍ସ ପୋଷ୍ଟ୍‌ କରୁଥିବା ଧୱନ ଏବେ ନିଜେ ଭିଡିଓ କଲ୍‌ରେ ଦେଖୁଛନ୍ତି, ସମବେଦନା ଜଣାଇଲେ ପ୍ରଶଂସକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଖେଳାଳି ଶିଖର ଧୱନଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍‌ ହୋଇଥିବା ଫଟୋରେ ଶିଖର ଧୱନ ତାଙ୍କ ପୁଅ ସହିତ ଭିଡିଓ କଲ୍‌ ମାଧ୍ୟମରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଜଣେ ଏକ୍ସ ବ୍ୟବହାରକାରୀ ତାଙ୍କ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ‘‘ଶିଖର ଧୱନ ତାଙ୍କ ପୁଅ ଜୋରାଭାରଙ୍କ ସହିତ ଫେସ୍ ଟାଇମ୍ (ଭିଡିଓ କଲ୍) ରେ କଥାବାର୍ତ୍ତା କରୁଛନ୍ତି।’’ ସୋସିଆଲ ମିଡିଆରେ ଏହି ଭିଡିଓ ଓ ଫଟୋ ଏବେ ଖୁବ୍ ଜୋର୍‌ରେ ଭାଇରାଲ ହେବାରେ ଲାଗିଛି।

ଫଟୋରେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଏହି ଖବର ଲେଖାଯିବା ପର୍ଯ୍ୟନ୍ତ, ୪ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି। ଅନେକ ଲୋକଙ୍କ ମଜାଦାର କମେଣ୍ଟ ବି ଦେଖିବାକୁ ମିଳିଛି। ଜଣେ ଉପଭୋକ୍ତା କମେଣ୍ଟ୍‌ରେ ଲେଖିଛନ୍ତି, ‘‘ଫଟୋଟିକୁ ଦେଖିବା ପରେ ଖୁବ୍‌ କଷ୍ଟ ଲାଗୁଛି। ପୁଅକୁ ଭେଟି ନପାରି ଜଣେ ବାପା କେତେ ଦୁଃଖ ଅନୁଭବ କରୁନଥିବେ!’’ ସେହିଭଳି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘‘ଶିଖର ଧୱନଙ୍କ କାହାଣୀ ଅତ୍ୟନ୍ତ ଭାବପ୍ରବଣ ଅଟେ। ଏପରି କାହା ସହିତ ହେବା ଉଚିତ୍ ନୁହେଁ।’’

ସୂଚନାଯୋଗ୍ୟ,  ଶିଖର ଧୱନଙ୍କର ତାଙ୍କ ପତ୍ନୀଙ୍କ ସହ ଛାଡ଼ପତ୍ର ହୋଇସାରିଛି। ବୁଧବାର ଦିଲ୍ଲୀର ପରିବାର କୋର୍ଟ କ୍ରିକେଟର ଶିଖର ଧୱନ ଓ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଛାଡପତ୍ର ଦେଇଛନ୍ତି। ଅଦାଲତ କହିଛନ୍ତି ଯେ କ୍ରୁରତା ଆଧାରରେ ଆବେଦନକାରୀ (ଶିଖର ଧୱନ) ଛାଡପତ୍ର ପାଇବାକୁ ହକଦାର। ସେମାନଙ୍କର ୧୧ ବର୍ଷର ବିବାହକୁ ‌‌ଶେଷ କରି କୋର୍ଟ କହିଛନ୍ତି ଯେ ଉଭୟ ପକ୍ଷ ପାରସ୍ପରିକ ସମ୍ମତି ଦେଇ ଛାଡପତ୍ର କରିବାକୁ ରାଜି ହୋଇଥିଲେ ଏବଂ ସେମାନଙ୍କର ବିବାହ ବହୁ ପୂର୍ବରୁ ଶେଷ ହୋଇସାରିଛି।

ଧୱନ ତାଙ୍କ ପୁଅକୁ ବହୁତ ଭଲପାଆନ୍ତି। ସୋସିଆଲ ମିଡିଆରେ ସବୁବେଳେ ପୁଅଙ୍କ ଫଟୋ ଏବଂ ରିଲ ସେୟାର କରିଥା’ନ୍ତି। ହେଲେ ଏବେ  ଏଭଳି ପରିସ୍ଥିତି ହେତୁ ସେ ଅନେକ ଦିନ ଧରି ପୁଅକୁ ଭେଟି ପାରିନାହାନ୍ତି।

ସମ୍ବନ୍ଧିତ ଖବର