ଝାଡ଼ଖଣ୍ଡ କ୍ରିକେଟ୍‌ ସଂଘରେ ଦୁର୍ନୀତି: ତଦନ୍ତ ଆରମ୍ଭ କଲା କମ୍ପାନି ବ୍ୟାପାର ମନ୍ତ୍ରାଳୟ

ରାଞ୍ଚି: ଝାଡ଼ଖଣ୍ଡ କ୍ରିକେଟ୍‌ ସଂଘ (ଜେଏସ୍‌ସିଏ) ରେ ଦୁର୍ନୀତି ଅଭିଯୋଗରେ କେନ୍ଦ୍ର କମ୍ପାନି ବ୍ୟାପାର ମନ୍ତ୍ରାଳୟ (ଏମ୍‌ସିଏ) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଜେଏସ୍‌ସିଏ ସହିତ ଏହାର ବ୍ୟାବସାୟିକ ସହଯୋଗୀ କଣ୍ଟ୍ରି କ୍ରିକେଟ୍‌ କ୍ଲବ୍‌ (ସିସିସି) ଏହି ଦୁର୍ନୀତିରେ ସଂଶ୍ଳିଷ୍ଟ ଥିବା ଜଣାପଡ଼ିଛି। ଜେଏସ୍‌ସିଏର ପରିଚାଳନା ସିସିସି ଦାୟିତ୍ବ ହାତକୁ ନେଇଛି। ପୂର୍ବରୁ ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ନିର୍ମଳ କୌର ଏବଂ ଜେଏସ୍‌ସିଏର ପୂର୍ବତନ ସଭାପତି ଅମିତାଭ ଚୌଧୁରୀଙ୍କ ପତ୍ନୀଙ୍କ ଅଭିଯୋଗକୁ ଭିତ୍ତିକରି ଏମ୍‌ସିଏ ପକ୍ଷରୁ ମାର୍ଚ୍ଚ ୭ ତାରିଖରେ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ସିସିସି ପରିଚାଳନା ଉପରେ ତଦନ୍ତ କରିବାକୁ ନ‌ିର୍ଦ୍ଦେଶ ଦିଆଯାଇଥିଲା। ଜେଏସ୍‌ସିଏରେ ବ୍ୟାପକ ଦୁର୍ନୀତି ହେଉଥିବା ସହ ଆର୍ଥିକ ହେରଫେର୍‌, ବେଆଇନ୍‌ ନିର୍ବାଚନ ଉପରେ ଅମିତାଭ ଚୌଧୁରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଥିଲା।

ବର୍ତ୍ତମାନ ସଂଜୟ ସହାୟ ଜେଏସ୍‌ସିଏର ସଭାପତି ଥିଲେ ମଧ୍ୟ ସ୍ଥାନୀୟ ରାଜନେତାମାନେ ସଂଘର ପରିଚାଳନାରେ ହସ୍ତକ୍ଷେପ କରୁଥିବା ଅଭିଯୋଗରେ ଦର୍ଶାଯାଇଛି। ସେହିପରି ନିର୍ମଳ କୌର ପାଟଣାସ୍ଥିତ ଜଣେ ଆଇନ୍‌ଜୀବୀ ତଥା ସିସିସିର ପୂର୍ବତନ ନିର୍ଦ୍ଦେଶକ ରାଜୀବ କୁମାର ସିଂହଙ୍କ ଉପରେ ଦୁର୍ନୀତି ଓ ଦ୍ବୈତ ସ୍ବାର୍ଥ ଜନିତ ଅଭିଯୋଗ ଆଣିଛନ୍ତି। କ୍ଲବ୍‌ର ଆର୍ଥିକ ପରିଚାଳନା ଉପରେ ସେ ପ୍ରଶ୍ନ ଉଠାଇବା ସହ ଏହାର ବିଜୁଳି ବିଲ୍‌ ଓ ମରାମତି ବିଲ୍‌ ବିସିସିଆଇ ଅନୁଦାନରୁ ଭରଣା କରାଯାଉଛି। ଏଥିସହିତ ପାଟଣାରେ ରାଜୀବଙ୍କ ଘର ଥିଲେ ମଧ୍ୟ ଜେଏସ୍‌ସିଏ ଷ୍ଟାଡିୟମ୍‌ ଭିତରେ ସେ ଏକ ସ୍ଥାୟୀ କ୍ବାର୍ଟର ନିର୍ମାଣ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର