ଲକ୍ଷ୍ନୌକୁ ହରାଇଲା ଦିଲ୍ଲୀ

ଲକ୍ଷ୍ନୌ: ଆଇପିଏଲ୍‌ ପଦାର୍ପଣରେ ଜ୍ୟାକ୍‌ ‌ଫ୍ରେସର୍ ମ୍ୟାକ‌୍‌ଗର୍କଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ପରାଜୟ ଧାରା ଭାଙ୍ଗିଛି। ଗୁରୁବାର ୨୨ତମ ଜନ୍ମଦିନ ପାଳନ କରିଥିବା ଏହି ଅଷ୍ଟ୍ରେଲୀୟ ଯୁବ ତାରକା ମାତ୍ର ୩୧ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ଦିଲ୍ଲୀକୁ ଷଷ୍ଠ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ଦେଇଛନ୍ତି। ଅନ୍ୟପକ୍ଷରେ ଘରୋଇ ପରିବେଶରେ ଲକ୍ଷ୍ନୌ ପରାଜୟ ବରଣ କରିଛି। ଲମ୍ବା ସମୟ ପରେ କେଏଲ୍ ରାହୁଲଙ୍କ ଦଳ ୧୬୦+ ସ୍କୋର୍‌ କରିବା ପରେ ପ୍ରତିପକ୍ଷକୁ ଅଟକାଇବାରେ ବିଫଳ ହୋଇଛି। ଦ୍ବିତୀୟ ଥର ପାଇଁ ଦିଲ୍ଲୀ କ୍ରମାଗତ ପରାଜୟ ପରେ ବିଜୟୀ ହୋଇଛି। ଏଥି ସହିତ ଋଷଭ ପନ୍ତ୍‌ଙ୍କ ଦଳ ପଏଣ୍ଟ୍‌ ଟେବୁଲ୍‌ର ଶେଷ ସ୍ଥାନ ପରିତ୍ୟାଗ କରିଛି। ଶୁକ୍ରବାର ଟସ୍ ଜିତି ବ୍ୟାଟିଂ କରିଥିଲେ ମଧ୍ୟ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ୧୬୭ ରନ୍ କରିଥିଲା। ଜବାବରେ ମ୍ୟାକ୍‌ଗର୍କ (୩୫ ବଲ୍‌ରୁ ୫୫ ରନ୍) ଓ ପନ୍ତ୍ (୨୪ ବଲ୍‌ରୁ ୪୧ ରନ୍)ଙ୍କ ମଧ୍ୟରେ ହୋଇଥିବା ୭୭ ରନ୍ ଭାଗୀଦାରି ବଳରେ ଦିଲ୍ଲୀ ୧୧ ବଲ୍ ପୂର୍ବରୁ ୬ ୱିକେଟ୍‌ରେ ସହଜ ବିଜୟ ହାସଲ କରିଛି। ଏହି ପାଳି ଅବସରରେ ପନ୍ତ୍ ମଧ୍ୟ ଆଇପିଏଲ୍‌ରେ ୩୦୦୦ ରନ୍ ପୂରଣ କରିଛନ୍ତି। ୧୯ତମ ଓଭରରେ ବୋଲିଂକୁ ଆସିଥିବା ଅର୍ସଦ ଖାନ୍‌ଙ୍କ ପ୍ରଥମ ବଲ୍‌କୁ ତ୍ରିଷ୍ଟନ୍‌ ଷ୍ଟବ୍ସ ଛକା ମାରି ବିଜୟ ମୁଣ୍ଡି ମାରିଛନ୍ତି। କୁଲଦୀପ ୟାଦବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଆୟୁଷ ବଡ଼ୋନୀଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସକୁ ୧୬୭ ରନ୍‌ର ଲଢ଼ୁଆ‌ ସ୍କୋର୍‌ ଦେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ବୋଲରମାନେ ପୁଣି ଥରେ ଡେଥ୍ ଓଭରରେ ନିୟନ୍ତ୍ରଣ ହରାଇବାରୁ ଘରୋଇ ଲକ୍ଷ୍ନୌ ଏଭଳି ସ୍କୋର୍‌ କରି ନେଇଛି। କେଏଲ୍ ରାହୁଲ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ପରମ୍ପରାଠାରୁ ଭିନ୍ନ କୌଶଳରେ ଚାଲିଥିଲେ। କ୍ବିଣ୍ଟନ୍ ଡି’କକ୍ ଓ ରାହୁଲ ଭଲ ଆରମ୍ଭ କରିଥିଲେ ମଧ୍ୟ ଲମ୍ବା ଭାଗୀଦାରି କରିପାରି ନଥିଲେ। ତୃତୀୟ ଓଭରରେ ଡି’କକ୍‌ଙ୍କୁ ଖଲିଲ୍ ଅହମ୍ମଦ ଆଉଟ୍ କରି ଦେଇଥିଲେ। ପରବର୍ତ୍ତୀ ଓଭରରେ ଦେବଦତ୍ତ ପଡ଼ିକଲଙ୍କୁ ଖଲିଲ୍ ଦ୍ବିତୀୟ ଶିକାର କରିଥିଲେ। ଏହା ପରେ କୁଲଦୀପ ଗୋଟିଏ ଓଭର‌େର ଲଗାତାର ବଲ୍‌ରେ ମାର୍କସ ଷ୍ଟୋଇନିସ୍ ଓ ନିକୋଲାସ ପୂରନଙ୍କୁ ଆଉଟ୍ କରିବା ସହ ପରବର୍ତ୍ତୀ ଓଭରରେ କେଏଲ୍ ରାହୁଲଙ୍କୁ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ଏଥି ସହିତ ଦଶମ ଓଭର ବେଳକୁ ଲକ୍ଷ୍ନୌ ୭୭/୫ରେ ସଂଘର୍ଷ କରିଥିଲା। ଦୀପକ ହୁଡ଼ା ଓ କ୍ରୁନାଲ୍ ପାଣ୍ଡ୍ୟାଙ୍କ ବିଫଳତା କାରଣରୁ ଲକ୍ଷ୍ନୌ ୧୩ ଓଭର ବେଳକୁ ୯୪/୭ରେ ପହଞ୍ଚି ଚାପରେ ଥିଲା। ଏହି ସମୟରେ ଦୁଇ ଯୁବ ତାରକା ଆୟୁଷ ବଡ଼ୋନୀ (୩୫ ବଲ୍‌ରୁ ୫୫* ରନ୍) ଏବଂ ଅର୍ସଦ ଖାନ୍ (୧୬ ବଲ୍‌ରୁ ୨୦* ରନ୍) ଅତୁଟ ଅଷ୍ଟମ ୱିକେଟ୍‌ରେ ୪୨ ବଲ୍‌ରୁ ୭୩ ରନ୍ (ଆଇପିଏଲ୍‌ ରେକର୍ଡ) ଯୋଡ଼ିଥିଲେ।

ସଂକ୍ଷିପ୍ତ ସ୍କୋର: ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ ୨୦ ଓଭରରେ ୧୬୭/୭ (ଆୟୁଷ ବଡ଼ୋନୀ-୫୫*, କେଏଲ୍ ରାହୁଲ-୩୯, ଅର୍ସଦ ଖାନ୍-୨୦*, କୁଲ୍‌ଦୀପ ୟାଦବ-୩/୨୦, ଖଲିଲ ଅହମ୍ମଦ-୨/୪୧, ଈଶାନ୍ତ ଶର୍ମା-୧/୩୬, ମୁକେଶ କୁମାର-୧/୪୧)।
ଦିଲ୍ଲୀ କ୍ୟାପିଟାଲ୍ସ ୧୮.୧ ଓଭରରେ ୧୭୦/୪ (ଜ୍ୟାକ୍‌ ଫ୍ରେସର ମ୍ୟାକ୍‌ଗର୍କ-୫୫, ଋଷଭ ପନ୍ତ-୪୧, ପୃଥ୍ବୀ ସ’-୩୨, ରବି ବିଷ୍ଣୋଇ-୨/୨୫, ନୀବନ ଉଲ୍‌ ହକ୍‌-୧/୨୪, ୟଶ ଠାକୁର-୧/୩୧)।

ସମ୍ବନ୍ଧିତ ଖବର