ରକ୍ତ କର୍କଟ ସହ ଲଢ଼ୁଛନ୍ତି ପୂର୍ବତନ ଭାରତୀୟ ଫୁଟ୍‌ବଲର୍‌

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଫୁଟ୍‌ବଲ୍‌ ତାରକା ସୁରଜିତ ବୋଷ ପ୍ରଥମ ପର୍ଯ୍ୟାୟ ରକ୍ତ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଛି। ସଂପ୍ରତି ସେ ନୂଆଦିଲ୍ଲୀସ୍ଥିତ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି। ମହିନ୍ଦ୍ରା ୟୁନାଇଟେଡ୍‌ ଜାତୀୟ ଫୁଟ୍‌ବଲ୍ ଲିଗ୍ (୨୦୦୫-୦୬) ବିଜୟୀ ଦଳର ପ୍ରମୁଖ ସଦସ୍ୟ ଥିବା ଏହି ୩୩ ବର୍ଷୀୟ ଖେଳାଳି ଏବେ ଘୋର ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ସୁରଜିତ ପୁଣେସ୍ଥିତ ଏକ ପ୍ରଶିକ୍ଷଣ ଏକାଡେମିରେ କାମ କରୁଥିଲେ, ହେଲେ ‌କରୋନା ପାଇଁ ୪ ମାସର ଦରମା ପାଇନାହାନ୍ତି। ଅର୍ଥାଭାବ ସାଙ୍ଗକୁ ରକ୍ତ କର୍କଟ ତାଙ୍କ ମନୋବଳକୁ ପୂରା ଦୁର୍ବଳ କରିଦେଇଛି। ହେଲେ ସେ ହାର୍‌ ମାନିନାହାନ୍ତି। ଜୀବନର ଏହି ଯୁଦ୍ଧରେ ବିଜୟୀ ହେବାକୁ ଆଶା ରଖିଛନ୍ତି।

ମୁଁ ପଡ଼ିଆରେ ଲ‌ଢ଼ିଛି, ଏବେ ଜୀବନ ପାଇଁ ଲଢ଼ୁଛି। ତଥାପି କେବେ ହାର୍‌ ମାନିବିନି। ଯେ‌ କୌଣସିମତେ ସୁସ୍ଥ ହୋଇ ପରିବାର ଓ ଘରକୁ ଫେରିବି ବୋଲି ମଙ୍ଗଳବାର ପ୍ରଥମ ଥର କେମୋ ନେବା ପରେ ସୁରଜିତ କହିଛନ୍ତି। ତାଙ୍କର ଆର୍ଥିକ ଅବସ୍ଥା ବିଷୟରେ ଜାଣିବା ପରେ, ଡେନସନ୍ ଦେବଦାସଙ୍କ ଦ୍ୱାରା ପରିଚାଳିତ ପୂର୍ବତନ ଓ ଏବର ଫୁଟ୍‌ବଲ୍‌ରଙ୍କ ସହ ଜଡ଼ିତ ଏକ ସଂସ୍ଥା ‘ପ୍ଲେୟାର୍ସ ଫର୍‌ ହ୍ୟୁମାନିଟିଜ୍’ ପ୍ରଥମ ମାସର ଚିକିତ୍ସା ଖର୍ଚ୍ଚ ବହନ କରିଛି। ଆମେ ଅନୁମାନ କରିଛୁ ଯେ ପ୍ରଥମ ମାସରେ ଚିକିତ୍ସା ଖର୍ଚ୍ଚ ପ୍ରାୟ ଅଢ଼େଇ ଲକ୍ଷ ହେବ। ଏହି ଖର୍ଚ୍ଚ ଆମେ ବହନ କରିବୁ ବୋଲି କେରଳ ଜନ୍ମିତ ପୂର୍ବତନ ଭାରତୀୟ ମିଡ୍‌ଫିଲ୍ଡର ଦେବଦାସ କହିଛନ୍ତି।

ବାଜୁ ନାମରେ ପରିଚିତ ସୁରଜିତ ୨୦୦୪-୦୮ ପର୍ଯ୍ୟନ୍ତ ପ୍ରଶିକ୍ଷକ ସୁଖବିନ୍ଦର ସିଂହଙ୍କ ଅଧୀନରେ ଭାରତ ପକ୍ଷରୁ ଖେଳିଥିଲେ। ଇଷ୍ଟ ବେଙ୍ଗଲ, ମୋହନ ବ‌ାଗନ, ମହମ୍ମଡାନ୍‌ ସ୍ପୋର୍ଟିଂ ଓ ଭାରତ ଏଫ୍‌ସି କ୍ଲବ୍‌ ପକ୍ଷରୁ ଖେଳିଥି‌ଲେ। ସେ ଶେଷ ଥର ଲାଗି ୨୦୧୪ (ଭାରତ ଏଫ୍‌ସି)ରେ ଆଇଲିଗ୍‌ ଖେଳିଥିଲେ।

ସମ୍ବନ୍ଧିତ ଖବର