ଭାରତୀୟ ବଦଳାଇଛନ୍ତି ଉଗାଣ୍ଡା ଭାଗ୍ୟ: ଦୀନେଶ, ରୋନକ, ଅଳ୍ପେଶ ଦେଲେ ବିଶ୍ବକପ୍ ଟିକେଟ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଆସନ୍ତାମାସରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌‌ରେ ପ୍ରଥମ ଥର ଲାଗି ଖେଳିବ ଉଗାଣ୍ଡା। ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡ, ପାପୁଆ ନ୍ୟୁଗିନି ଓ ଅନ୍ୟତମ ଆୟୋଜକ ୱେଷ୍ଟଇଣ୍ଡିଜ୍‌ ସହ ଗ୍ରୁପ୍‌ ‘ସି’ରେ ସ୍ଥାନ ପାଇଥିବା ଏହି ଆଫ୍ରିକୀୟ ଦେଶର ବିଶ୍ବକପ୍ ଦଳରେ ତିନିଜଣ ଭାରତୀୟ ବଂଶୋଦ୍ଭବ ଅଳ୍ପେଶ ରାମଜାନି, ରୋନକ ପଟେଲ ଓ ଦୀନେଶ ନକରାନି ରହିଛନ୍ତି। ସଂଯୋଗବଶତଃ ଏହି ତିନିଜଣଙ୍କ ପୂର୍ବଜ ହେଉଛନ୍ତି ଗୁଜରାଟର କଚ୍ଛ ଅଞ୍ଚଳର। ‌ଦୀନେଶ କଚ୍ଛରେ ଜନ୍ମଗହଣ କରିଛନ୍ତି। ଅଳ୍ପେଶ ମୁମ୍ବାଇ ଓ ରୋନକଙ୍କ ପିଲା ବେଳ ଉଗାଣ୍ଡରେ କଟିଛି।
ଆଫ୍ରିକୀୟ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ନାମିବ୍ୟା ପଛକୁ ଦ୍ବିତୀୟ ସ୍ଥାନରେ ରହି ଉଗାଣ୍ଡା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଟିକେଟ ହାସଲ କରିବାରେ ଏମାନେ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି। ଉଗାଣ୍ଡା ଏହି ପ୍ରତିଯୋଗିତାରେ ଜିମ୍ବାୱେ ଭଳି ଅଭିଜ୍ଞ ଦଳକୁ ହରାଇ ଇତିହାସ ରଚିଥିଲା। ଏହା ମଧ୍ୟ ଅଳ୍ପେଶ, ରୋନକ ଓ ଦୀନେଶଙ୍କ ପାଇଁ ସମ୍ଭବ ହୋଇପାରିଥିଲା। ଫଳରେ ଉଗାଣ୍ଡାରେ ଏମାନଙ୍କ ଲୋକପ୍ରିୟତା ଢେର ବଢ଼ିଯାଇଛି। ସମସ୍ତେ କିନ୍ତୁ ବିଶ୍ବକପ୍‌ରେ ପୂର୍ବ ସଫଳତା ‌ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି। ଭାରତ ବିପକ୍ଷରେ ଖେଳିବାର ସମ୍ଭାବନା କମ୍ ଥିଲେ ମଧ୍ୟ ଭାରତୀୟ କ୍ରିକେଟର୍‌ଙ୍କୁ ଦେଖିବା ଓ ସେମାନଙ୍କ ସହ ମିଶିବା ନେଇ ତିନିଜଣ ଯାକ ବେଶ୍ ଉତ୍ସାହିତ ଅଛନ୍ତି।

ରୋନକ ଓ ଦୀପେଶ ଉଗାଣ୍ଡାରେ ଘରୋଇ କ୍ରିକେଟ୍ ଖେଳି ସେଠାକାର ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ହେଲେ ଅଳ୍ପେଶଙ୍କ ଆଦ୍ୟ ଜୀବନ ଓ ପିଲାବେଳର କ୍ରିକେଟ୍ କ୍ୟାରିୟର ମୁମ୍ବାଇରେ କଟିଛି। ଏପରିକି ସେ ମଧ୍ୟ ଦିନେ ଭାରତୀୟ କ୍ରିକେଟ୍ ଦଳର ପ୍ରତିନିଧିତ୍ବ କରିବାର ସ୍ବପ୍ନ ଦେଖିଥିଲେ। ହେଲେ ଏହା ସମ୍ଭବ ହୋଇ ନଥିଲା। ଏଣୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ମୋହରେ ଭାରତ ଛାଡ଼ି ଉଗାଣ୍ଡା ଚାଲିଯାଇଥିଲେ। ଶେଷରେ ସେଠାକାର ଜାତୀୟ ଦଳର ପ୍ରତିନିଧିତ୍ବ କରି ବିଶ୍ବକପ୍‌ ଖେଳିବାର ସୌଭାଗ୍ୟ ଲାଭ କରିବାକୁ ଯାଉଛନ୍ତି। ଏମାନଙ୍କ ସହ ଦିଲ୍ଲୀର ପୂର୍ବତନ ରଣଜୀ ଖେଳାଳି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଅଭୟ ଶର୍ମା ମଧ୍ୟ ଉଗାଣ୍ଡା ବିଶ୍ବକପ୍ ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ମିଳିତ ଭାବେ ଏହି ଭାରତୀୟମାନେ ଉଗାଣ୍ଡାର ଭାଗ୍ୟ ବଦଳାଇବାକୁ ଯାଉଛନ୍ତି।

ରୋନକ ଓ ଦୀନେଶଙ୍କ ପରିବାର ବହୁ ପୂର୍ବରୁ ଉଗାଣ୍ଡା ଚାଲିଯାଇଥିଲେ ମଧ୍ୟ ଅଳ୍ପେଶ ମୁମ୍ବାଇର କାନ୍ଦିବାଲିର ସିଦ୍ଧାର୍ଥନଗରରେ ୨୦୨୧ ମସିହା ପର୍ଯ୍ୟନ୍ତ ରହୁଥିଲେ। ମାତ୍ର ୩ ବର୍ଷ ତଳେ ସେ ଉଗାଣ୍ଡା ସ୍ଥାନାନ୍ତର ହୋଇଥିଲେ। ଏହା ପୂର୍ବରୁ ମୁମ୍ବାଇ ୧୬ବର୍ଷରୁ କମ୍, ୧୯ ବର୍ଷରୁ କମ୍ ଦଳର ପ୍ରତିନିଧିତ୍ବ କରିବା ସହ ଲଗାତାର ଦୁଇଟି ଋତୁ ପାଇଁ ମୁମ୍ବାଇ ରଣଜୀ ଦଳର ପ୍ରଶିକ୍ଷଣ ଶିବିରରେ ଅଳ୍ପେଶ ଯୋଗ ଦେଇଥିଲେ। ୨୦୧୮ର ମୁମ୍ବାଇ ଟ୍ବେଣ୍ଟି-୨୦ ଲିଗ୍‌ରେ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପାଇଥିଲେ। ସ୍କୁଲ୍‌ସ୍ତରୀୟ କ୍ରିକେଟ୍‌ରେ ସର୍ଫରାଜ ଖାନ୍ ଓ ପୃଥ୍ବୀ ସ’ ଖେଳୁଥିବା ରିଜଭୀ ସ୍ପ୍ରିଙ୍ଗଫିଲ୍ଡ ଦଳର ଅଧିନାୟକ ଥିଲେ। ମୁମ୍ବାଇର ପ୍ରତିଷ୍ଠିତ ପ୍ରଶିକ୍ଷକ ରାଜୁ ପାଠକ ତାଙ୍କ ପ୍ରଶିକ୍ଷକ ଥିଲେ। ମୁମ୍ବାଇର ତୀବ୍ର ପ୍ରତିଦ୍ବନ୍ଦ୍ବିତାରୁ ବାହାରି ଉଗାଣ୍ଡା ଭଳି ଦେଶ ପାଇଁ ଖେଳିବାକୁ ପାଠକ ହିଁ ଅଳ୍ପେଶଙ୍କୁ ପ୍ରଥମେ ପରାମର୍ଶ ଦେଇଥିଲେ। ଫଳରେ ସେଠାକୁ ଯାଇ ୨୦୨୨ ସେପ୍ଟେମ୍ବରରେ ବୋତ୍ସୱାନା ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳିଥିଲେ। ସେବେଠାରୁ ୩୯ ଟ୍ବେଣ୍ଟି-୨୦ ଖେଳି ୫୬୯ ରନ୍ କରିବା ସହ ୭୦ ୱିକେଟ୍ ନେଇ ସାରିଲେଣି ସେ। ଆଇସିସିର ପୁରୁଷ ଟ୍ବେଣ୍ଟି-୨୦ ଦଳ (ଯାହାର ଅଧିନାୟକ ଥିଲେ ସୂର୍ଯ୍ୟକୁମାର ଯାଦବ) ୨୦୨୩ର ସେ ଅନ୍ୟତମ ସଦସ୍ୟ ଥିଲେ। ବିଶ୍ବକପ୍ ଖେଳିବା ଏକ ବଡ଼ ସୁଯୋଗ। ଏହାକୁ ମୁଁ ଅଦୌ ହାତଛଡ଼ା କରିବି ନାହିଁ ବୋଲି ଅଳ୍ପେଶ କହିଛନ୍ତି। ସେହିଭଳି ଉଗାଣ୍ଡାରେ କ୍ରିକେଟ୍ ଧୀରେଧୀରେ ଲୋକପ୍ରିୟ ହେବାରେ ଲାଗିଛି। ଆଗକୁ ଆମେ ଆଇସିସି ଦିନିକିଆ ମାନ୍ୟତା ପାଇବୁ ବୋଲି ଆଶା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ୩୫ ବର୍ଷୀୟ ରୋନକ ୭ ଟ୍ବେଣ୍ଟି-୨୦ ଖେଳିଥିଲା ବେଳେ ୩୨ ବର୍ଷୀୟ ଦୀନେଶ ୫୬ ଟ୍ବେଣ୍ଟି-୨୦ ଖେଳିଛନ୍ତି। ଏହି ଦୁଇ ଜଣ ମଧ୍ୟ ବିଶ୍ବକପ୍‌ରେ ନିଜନିଜ ଛାପ ଛାଡ଼ିବା ଲକ୍ଷ୍ୟରେ ରହିଛନ୍ତି।

ସମ୍ବନ୍ଧିତ ଖବର