କଇଁଛ ଚାଲାଣ ରୢାକେଟ୍‌ ଠାବ: ମହିଳା ସମେତ ୪ ଗିରଫ

୧୧୭ କଇଁଛ ଜବତ, ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଏ ଲମ୍ବିଛି ଚେର

ଭୁବନେଶ୍ବର,: ଏକ ବଡ଼ ଧରଣର କଇଁଛ ଚୋରା ଚାଲାଣକୁ ଆର୍‌ପିଏଫ୍‌ ପୁଲିସ ପଣ୍ଡ କରିଛି। ରୢାକେଟ୍‌ର ଜଣେ ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି। ସେମା‌ନେ ହେଲେ ପଶ୍ଚିମ ମେଦିନପୁର ଅଞ୍ଚଳର ଅଜୟ ମୋହନା(୪୩), ବିମଲ ସିଟ୍‌(୩୭), ଶୁଭାଶିଷ ପରିଡ଼ା(୨୫) ଓ ସୁଷମା ବାରିକ(୫୦)। ସେମାନଙ୍କ ନିକଟରୁ ୧୧୭ଟି କଇଁଛ ଜବତ କରାଯାଇଛି। ଏହି ରୢାକେଟର ଚେର ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଏଁ ଲମ୍ବିଥିବା ଆର୍‌ପିଏଫ୍‌ ପୁଲିସ ଜାଣିବାକୁ ପାଇଛି। ‌ରୢାକେଟ୍‌ରେ ଅଧିକ ସଦସ୍ୟ ସାମିଲ୍‌ ଥିବା ସନ୍ଦେହ କରାଯାଉଛି। ତେଣୁ ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ ଆର୍‌ପିଏଫ୍‌ ପୁଲିସ ଯୋଜନା କରୁଥିବା ଜଣାପଡ଼ିଛି।

ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଉତ୍କଳ ଏକ୍ସପ୍ରେସ୍‌ରେ ପୁରୀ ସାକ୍ଷୀଗୋପାଳ ଅଞ୍ଚଳରୁ କଇଁଚ ନେଇ ଭୁବନେଶ୍ବର ରେଳଷ୍ଟେସନ ଆସିଥିଲେ। ସେମାନେ ଷ୍ଟେସନରେ ପହଞ୍ଚିବା ପରେ ପଶ୍ଚିମ ମେଦିନପୁର ଯିବା ପାଇଁ ଯୋଜନା କରିଥିଲେ। ତେବେ ‌ଏକ ବିଶେଷ ସୂତ୍ରରୁ ଖବର ପାଇ ଆର୍‌ପିଏଫ୍‌ ଅଧିକାରୀ ଅମରେଶ ବେହେରାଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଅଭିଯୁକ୍ତମାନେ ହଡ଼ବଡ଼େଇ ଯାଇଥିଲେ। ସେମାନଙ୍କ ଆଚରଣ ‌ସନ୍ଦେହଜନକ ହେବାରୁ ପୁଲିସ ସେମାନଙ୍କ ବ୍ୟାଗ୍‌ଗୁଡ଼ିକୁ ଯାଞ୍ଚ କରିଥିଲା। ସେଥିରୁ ୧୧୭ଟି କଇଁଛ ଜବତ କରାଯାଇଥିଲା। ତୁରନ୍ତ ଆର୍‌ପିଏଫ୍‌ ପୁଲିସ ମଞ୍ଚେଶ୍ବର ସିଟି ଫରେଷ୍ଟ ଡିଭିଜନ୍‌ ସହ ଯୋଗାଯୋଗ କରିଥିଲା। ଖବର ପାଇ ବନାଞ୍ଚଳ ଅଧିକାରୀ ସତ୍ୟାନନ୍ଦ ପାଲ୍‌ଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ପହଞ୍ଚି ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଇଁଚକୁ ଜବତ କରିଥିଲେ। ସେମାନେ ପୂର୍ବରୁ ଏଭଳି ଚାଲାଣ କରିଥିବା ସ୍ବୀକାର କରିଥିଲେ। କଇଁଚଗୁଡ଼ିକୁ ସେମାନେ ୭୨୦୦ଟଙ୍କାରେ କିଣିଥିଲେ। ବିଶେଷ କରି ଏହି କଇଁଛଗୁଡ଼ିକୁ ଖାଇବା ଉଦ୍ଦେଶ୍ୟରେ କିଲୋ ପିଛା ୩୦୦ରୁ ୪୦୦ଟଙ୍କା ହିସାବରେ ବିକ୍ରି କରାଯାଏ।

ପୂର୍ବରୁ ପଶ୍ଚିମବଙ୍ଗରେ ବିକ୍ରି କରାଯାଉଥି‌ବା ବେଳେ ଚଳିତ ଥର କଇଁଛକୁ ଜଳେଶ୍ବର ଅଞ୍ଚଳରେ ବିକ୍ରିପାଇଁ ଯୋଜନା କରିଥିବା ମାନିଥିଲେ। ଓଡ଼ିଶାରେ ସେମାନଙ୍କର ଏକାଧିକ ସ୍ଥାନରେ ଲୋକ ଅଛନ୍ତି। ସେମାନେ ଖବର ଦେବା ପରେ କଇଁଛ ସଂଗ୍ରହ କରାଯାଇଥାଏ। ଅପର ପକ୍ଷରେ ସେମାନଙ୍କ ଅପରାଧିକ ଇତିହାସ ଯାଞ୍ଚ ବେଳେ ଆଉ ଏକ ତଥ୍ୟ ପଦାକୁ ଆସିଥିଲା। ବିମଲ୍‌ ସିଟ୍‌ ପୂର୍ବରୁ କଇଁଛ ଚାଲାଣ ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲା। ଜାମିନ୍‌ରେ ଆସିବା ପରେ ପୁଣି ଏହି କାରବାରରେ ସକ୍ରିୟ ରହିଛି। ତେବେ ଗ୍ୟାଙ୍ଗର ଓଡ଼ିଶା ଲିଙ୍କ ଓ ପଶ୍ଚିମବଙ୍ଗ ଲିଙ୍କର ଗୁମର ଖୋଲିବାକୁ ଅଧିକ ଖୋଳତାଡ଼ କରିଛି ବନ ବିଭାଗ। ଦରକାର ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଅଣାଯାଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର