ବାଲିଗାଡ଼ି ତଳେ ଗଲା ଛାତ୍ରଙ୍କ ଜୀବନ

ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସନ୍ଥପୁର ଗ୍ରାମ ଡଉଁରି ନାଳ ପୋଲଠାରେ ଆଜି ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ସନ୍ଥପୁର ଗ୍ରାମର ଚନ୍ଦନ ବେହେରାଙ୍କ ପୁଅ ଶୁଭମ (୧୩) ବୋଲି ଜଣାପଡ଼ିଛି। ବାଲି ବୋଝେଇ ଟିପର୍‌ ତଳେ ଚାପି ହୋଇ ତାଙ୍କ ମୃତ୍ୟୁ ହୋଇଥିଲା ବେଳେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳ ପ୍ରାୟ ୯ଟା ବେଳେ ଏକ ବାଲି ବୋଝେଇ ଟିପର (ଓଆର୍‌-୧୪-କ୍ୟୁ-୭୪୭୯) ସନ୍ଥପୁର ଗ୍ରାମ ପଟୁ ବଜୁରିଆ ଆଡ଼କୁ ଦ୍ରୁତ ଗତିରେ ଯାଉଥିଲା। ଏହି ସମୟରେ ଡଉଁରି ନାଳ ପୋଲ ଉପରେ ଭାରସାମ୍ୟ ହରାଇ ଗାଡ଼ିଟି ପୋଲ ବାଡ଼ ଭାଙ୍ଗି ପ୍ରାୟ ୨୦ଫୁଟ୍‌ ତଳକୁ ଖସି ଓଲଟି ପଡ଼ିଥିଲା। ସେହି ସମୟରେ ପୋଲ ତଳ ନାଳରୁ ଶୁଭମ ଗାଧୋଇ ସାରି ସାଇକଲ୍‌ରେ ଘରକୁ ଫେରୁଥିଲେ। ଦୁର୍ଘଟଣାଗ୍ରସ୍ତ ଟିପରଟି ଶୁଭମଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଓଲଟି ପଡ଼ିଥିଲା।

ଫଳରେ ସେ ବାଲି ତଳେ ଚାପିହୋଇ ରହିଯାଇଥିଲେ। ଖବରପାଇ ଗଁଦିଆ ପୁଲିସ, ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ତଥା‌ ଗ୍ରାମବାସୀଙ୍କ ସହାୟତାରେ ଟିପରଟିକୁ ଉଠାଇ ଶୁଭମଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେ‌ଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଗ୍ରାମବାସୀ ଗାଡ଼ିର ଚାଳକକୁ ଉଦ୍ଧାର କରି ପୁଲିସ ଜିମା ଦେଇଥିଲେ। ଘଟଣାସ୍ଥଳରେ ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ତେବେ ଚୋରା ବାଲି ଗାଡ଼ି ଗ୍ରାମ ରାସ୍ତାରେ ଦ୍ରୁତ ଗତିରେ ଯାଉଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ସେଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର