ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ଦଶମ ଶ୍ରେଣୀର ପିଲା ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି

ପୁରୀ: ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ଦଶମ ଶ୍ରେଣୀର ଜଣେ ଛାତ୍ର ଆହତ ହୋଇଛି। ଆହତ ଛାତ୍ରକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁରୀ କୁମ୍ଭାରପଡ଼ା ଥାନା ଅଧିନ ପୁଲିସ ଲାଇନ୍‌ ହାଇସ୍କୁଲରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ପୁଲିସ ଲାଇନ୍‌ ହାଇସ୍କୁଲରେ ଆଜି ବ୍ଲକସ୍ତରୀୟ ବିଜ୍ଞାନ ମେଳାର ଆୟୋଜନ ହୋଇଥିଲା। ବିଜ୍ଞାନ ମେଳା ଆରମ୍ଭ ହେବା ପୂର୍ବରୁ ଏକ ସ୍କୁଟିରେ ୩ ଜଣ ପିଲା ପୁଲିସ ଲାଇନ୍‌ ହାଇସ୍କୁଲ ସାମ୍ନାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ସ୍କୁଲ ବାହାରେ ଅପରାହ୍ଣ ପାୟ ୧୨ଟା ୧୫ରେ ଅଟୋ ଉପରେ ବସିଥିବା ଦଶମ ଶ୍ରେଣୀ ଛାତ୍ରକୁ ତଳକୁ ଓହ୍ଲାଇବାକୁ କହି ଗାଳି କରିଥିଲା। ସେ ପ୍ରଥମେ ଦଶମ ଶ୍ରେଣୀ ଛାତ୍ରର ଗାଲରେ ଏକ ଚାପୁଡ଼ା ମାରିଥିଲା। ମାଡ଼ ଖାଇଲା ପରେ ଦଶମ ଶ୍ରେଣୀ ଛାତ୍ର ଘଟଣାସ୍ଥଳରୁ ସାଇକେଲରେ ଘରକୁ ଫେରୁଥିବା ବେଳେ ଅଷ୍ଟମ ଶ୍ରେଣୀର ଛାତ୍ର ପୁଣି ଥରେ ଆସି ଛୁରୀରେ ଆକ୍ରମଣ କରିଥିଲା।

ତେବେ ‌ଆକ୍ରମଣ ସ୍ଥଳରୁ ଆହତ ଛାତ୍ରକୁ ଜଣେ ସ୍ଥାନୀୟ ଲୋକ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରୁଛି। ଏହି ଘଟଣା ନେଇ ଆସନ୍ତାକାଲି (ଗୁରୁବାର) ବିଦ୍ୟାଳୟରେ ଅଭିଭାବକ ଓ ପରିଚାଳନା କମିଟିର ବୈଠକ ହେବ।

ସମ୍ବନ୍ଧିତ ଖବର