ଷୋଡ଼ଶ ବିଧାନସଭା: ବିଷ୍ଣୁ ସେଠୀଙ୍କୁ ମିଶାଇ ୫ ବିଧାୟକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ସୋମବାର ସକାଳେ ଅକାଳ ବିୟୋଗ ହୋଇଛି। ସ୍ବର୍ଗତ ସେଠୀଙ୍କୁ ମିଶାଇ ଚଳିତ ଷୋଡ଼ଶ ଓଡ଼ିଶା ବିଧାନସଭାର ମୋଟ ୫ ବିଧାୟକଙ୍କ ମୃତ୍ୟୁ ହେଲାଣି। ୨୦୨୦ ରେ ତିନି ବିଧାୟକଙ୍କ ମୃତ୍ୟୁ ହୋଇଥିଲା। ଜୁନ୍‌ ୧୭, ୨୦୨୦ରେ ବାଲେଶ୍ବର ବିଧାୟକ ମଦନ ମୋହନ ଦତ୍ତ, ଜୁଲାଇ ୭, ୨୦୨୦ରେ ତି‌ର୍ତ୍ତୋଲ ବିଧାୟକ ବିଷ୍ଣୁ ଦାଶ, ଅକ୍ଟୋବର ୪, ୨୦୨୦ରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଓ ଡିସେମ୍ବର ୩୦, ୨୦୨୧ରେ ବ୍ରଜରାଜନଗର ବିଧାୟକ କିଶୋର ଚନ୍ଦ୍ର ମହାନ୍ତିଙ୍କ ମୃତ୍ୟୁ ହୋଇଥିଲା। ବାଲେଶ୍ବର ଓ ତିର୍ତ୍ତୋଲ ଆସନ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ନଭେମ୍ବର ୩, ୨୦୨୦ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହିଭଳି ସେ‌‌ପ୍ଟେମ୍ବର ୩୦, ୨୦୨୧ରେ ପିପିଲି ଓ ମେ ୩୦, ୨୦୨୨ରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ କରାଯାଇଥିଲା।

ନିୟମ ଅନୁସାରେ ଖାଲି ବିଧାନସଭା ଆସନ ପାଇଁ ଛଅ ମାସ ଭିତରେ ଉପନିର୍ବାଚନ କରାଯାଇଥାଏ। ବିଧାୟକ ସ୍ବର୍ଗତ ସେଠୀଙ୍କ ବିୟୋଗ ତଥା ଆସନ ଖାଲି ହୋଇଥିବା ସଂପର୍କିତ ଓଡ଼ିଶା ବିଧାନସଭା ଦ୍ବାରା ପ୍ରଥମେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଅବଗତ କରାଯିବ। ଏହା ପରେ ସିଇଓ ଭାରତୀୟ ନିର୍ବାଚନ ଆୟୋଗ(ଇସି)ଙ୍କୁ ଜଣାଇବେ। ଏହି ଆଧାରରେ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ।

ସମ୍ବନ୍ଧିତ ଖବର