ସୁନ୍ଦରଗଡ଼ରେ କରୋନା କାୟା ବିସ୍ତାର କରୁଛି, ସଜାଗ ନହେଲେ ସ୍ଥିତି ଅସମ୍ଭାଳ ହେବ

ସୁନ୍ଦରଗଡ଼: କୋଭିଡ୍ର ଦ୍ରୁତ ସଂକ୍ରମଣ ମଧ୍ୟରେ ସମ୍ଭାବ୍ୟ ତୃତୀୟ ଲହରର  ଚିନ୍ତାରେ ରାଜ୍ୟ ସରକାର। ଏଭଳି ସ୍ଥିତିରେ ଏହାର ଯୁଦ୍ଧକାଳୀନ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ସରକାରୀ, ଘରୋଇ ହସ୍ପିଟାଲରେ ଶଯ୍ୟା, ଆଇସିୟୁ, ଆମ୍ବୁଲାନ୍ସ, ଡାକ୍ତର, ନର୍ସ, ସ୍ବାସ୍ଥ୍ୟ ସହାୟକମାନଙ୍କୁ ସଜାଗ ରଖିବାକୁ  କୁହାଯାଇଛି। କିନ୍ତୁ କରୋନା ସଂକ୍ରମଣରେ ଜାନୁଆରି ମାସ ଆରମ୍ଭରୁ  ରାଜ୍ୟର  ଦ୍ବିତୀୟ ସ୍ଥାନରେ ରହିଥିବା ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଶାସନ ମୁକାବିଲା ପ୍ରସ୍ତୁତିକୁ ଗମ୍ଭୀରତାର ସହ ନେଇ ନଥିବା ଅଭିଯୋଗ ହୋଇଛି। ସଜାଗ ନହେଲେ ସ୍ଥିତି ଅସମ୍ଭାଳ ହେବ ବୋଲି ସ୍ପଷ୍ଟ ହୋଇଛି।

ଜିଲ୍ଲାରେ ଦୈନିକ ଦୁଇଗୁଣା ସଂକ୍ରମିତ ଚିହ୍ନଟ ହେଉଛନ୍ତି।  ଗତ ୩ ତାରିଖରେ ୬୯ ଥିବା ବେଳେ ପରଦିନ ୪ ତାରିଖରେ ତାହା ୧୬୬କୁ ବୃଦ୍ଧି ପାଇଥିଲା। ୫ରେ ୨୬୨, ୬ରେ ୪୫୪ ଓ ୭ରେ ୫୮୨କୁ ପହଞ୍ଚି ଯାଇଥିଲା। ତେବେ ଏହା ପରୀକ୍ଷା ପରର ରିପୋର୍ଟ ଏବେ ବି ବହୁ ସଂକ୍ରମିତ ଭୟରେ ପରୀକ୍ଷା ପାଇଁ ଯାଉ ନଥିବା ଚର୍ଚ୍ଚା ହେଉଛି। ତାକୁ ହିସାବକୁ ନେଲେ ସଂକ୍ରମିତ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଢେର ଅଧିକ ଥାଇପାରେ ବୋଲି ଅନୁମାନ କରାଯାଉଛି। ହେଲେ ସଂକ୍ରମଣର ଉଦବେଗଜନକସ୍ଥିତି ଅନୁସାରେ ମୁକାବିଲା ପାଇଁ ପ୍ରଶାସନ ବିଶେଷ ତତ୍ପର ନଥିବା ଦେଖାଯାଇଛି। କୋଭିଡ୍ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ସୁନ୍ଦରଗଡ଼ ଏନଟିପିସି ଓ ରାଉରକେଲାରେ ସ୍ବତନ୍ତ୍ର କୋଭିଡ୍ କେନ୍ଦ୍ରକୁ ପ୍ରସ୍ତୁତ ରଖି ଆବଶ୍ୟକ ସଂଖ୍ୟକ ଶଯ୍ୟା,  ଅମ୍ଳଜାନ ମହଜୁଦ ରଖାଯାଇଥିବା କୁହାଯାଉଥିଲେ ମଧ୍ୟ ପ୍ରକୃତରେ ଏହି ସବୁ କେନ୍ଦ୍ର ଏଯାଏ ପ୍ରସ୍ତୁତ ହୋଇପାରି ନଥିବା ଅଭିଯୋଗ ହୋଇଛି।

ଘଟଣାକ୍ରମରେ ଶୁକ୍ରବାର ସୁନ୍ଦରଗଡ଼ ସହରର ଜଣେ ମହିଳା ରୋଗୀ ସାମାନ୍ୟ ଲକ୍ଷଣ ମଧ୍ୟରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଯାଇଥିଲେ।  ନମୁନା ପରୀକ୍ଷା ପରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ତାଙ୍କୁ ତୁରନ୍ତ ଏନଟିପିସି କୋଭିଡ କେନ୍ଦ୍ରକୁ  ପଠାଇ ଦିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସନ୍ଧ୍ୟାରେ ଡାକ୍ତର ରାଉରକେଲା ଜେପି ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ଏଠାରେ ରାତିରେ ରଖି ଚିକିତ୍ସା ସେବା ଯୋଗାଇ ଦେବା ଭଳି ପ୍ରସ୍ତୁତି ହୋଇ ନଥିବା ସେ କୁଆଡ଼େ ରୋଗୀଙ୍କ ସମ୍ପର୍କୀୟଙ୍କୁ କହିଥିଲେ।

ଲୋକେ ବେପରୱା, ପ୍ରଶାସନର କଟକଣା ସୀମିତ

ରାତ୍ରିକାଳୀନ କର୍ଫ୍ୟୁ କାମକୁ ନୁହଁ

ସରକାରୀ କୋଭିଡ୍ କେନ୍ଦ୍ରରେ ପ୍ରସ୍ତୁତି ନାହିଁ

ରୋଗୀ ରେଫର୍ ହେଉଛନ୍ତି ଘରୋଇ କୋଭିଡ୍ ହସ୍ପିଟାଲ

ଏହା ପରେ ରୋଗୀଙ୍କୁ ରାଉରକେଲା ନେବା ପରିବର୍ତ୍ତେ ତାଙ୍କ ସମ୍ପର୍କୀୟମାନେ ଘରକୁ ନେଇ ସଂଗରୋଧରେ ରଖିଥିବା ସୂଚନା ମିଳିଛି। ଏହା ପୂର୍ବରୁ ଭଷ୍ମାର ଜଣେ ସଂକ୍ରମିତଙ୍କୁ ମଧ୍ୟ ଏନଟିପିସିରେ ବ୍ୟବସ୍ଥା ହୋଇ ନଥିବା ଦର୍ଶାଇ ରାଉରକେଲା ସ୍ଥାନାନ୍ତର ପାଇଁ ଡାକ୍ତର ଲେଖି ଦେଇଥିଲେ। ରୋଗୀ ରାଉରକେଲାକୁ ନା କହି ଘରକୁ ଚାଲିଯାଇଥିଲେ। ଘରେ କିଛି ଦିନ ସଂଗରୋଧରେ ରହିବା ପରେ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି। ଜରୁରୀ ଚିକିତ୍ସା ପାଇଁ ହସ୍ପିଟାଲ ପ୍ରସ୍ତୁତ ହୋଇ ନଥିବା ବେଳେ କରୋନା ମୁକାବିଲା ନେଇ ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକା ପାଳନ ପାଇଁ ଜନସାଧାରଣଙ୍କୁ ପ୍ରଶାସନ କେବଳ ଅପିଲ୍ କରି ଚୁପ୍ ବସିଯାଇଛି।

ମାର୍ଗଦର୍ଶିକାରେ ‘ମାସ୍କ ପିନ୍ଧିବା, ଭଲଭାବେ ବାରମ୍ବାର ହାତ ଧୋଇବା ଓ ସବୁଠି ସାମାଜିକ ଦୂରତା ରକ୍ଷା କରିବା, ନିହାତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନଆସିବା’ ନିୟମ ଥିବା ବେଳେ ଏହାର କଡ଼ାକଡ଼ି ପାଳନ ବା କଟକଣା ପାଇଁ ପ୍ରଶାସନ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ଲୋକେ ମାର୍ଗଦର୍ଶିକାର ଖୋଲା ଉଲ୍ଲଂଘନ କରି ବିନା ମାସ୍କରେ ବୁଲୁଥିବା, ହାଟବଜାରରେ ଭିଡ଼ କରୁଥିବା ବେଳେ ସେମାନଙ୍କ  କଡ଼ାକଡ଼ି ଯାଞ୍ଚ କରି ତାଗିଦ୍ କରିବା ଆଦି ମୁକାବିଲା ପ୍ରତି ପ୍ରଶାସନ ଆଗ୍ରହ ପ୍ରକାଶ କରୁ ନଥିବା ଅଭିଯୋଗ ହୋଇଛି।

କଟକଣା ନଥିବାରୁ ଗୃହ ସଂଗରୋଧରେ ରହିବାକୁ ନିର୍ଦ୍ଦେଶିତ ସଂକ୍ରମିତ ବ୍ୟକ୍ତି ମଧ୍ୟ ହାଟବଜାରକୁ ଅନାୟାସରେ ଚାଲି ଆସୁଥିବା ଦେଖାଯାଇଛି। ଏହା ଦ୍ବାରା ସଂକ୍ରମଣ ଚେନ୍ ଆହୁରି ଦ୍ରୁତଗତିରେ ଲମ୍ବି ଲମ୍ବି ଚାଲିଛି ବୋଲି କୁହାଯାଉଛି। ଅନ୍ୟପଟେ ମୁକାବିଲାରେ ଜାରି ରାତ୍ରିକାଳୀନ କର୍ଫ୍ୟୁକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ସମସ୍ତେ କର୍ମକ୍ଷେତ୍ରରୁ ଘରକୁ ଫେରି ଶୋଇଗଲା ପରେ ରାତ୍ରିକାଳୀନ କର୍ଫ୍ୟୁ କେଉଁ କାମକୁ ବୋଲି ସଚେତନ ମହଲରେ ଚର୍ଚ୍ଚା ହେଉଛି। ଜିଲ୍ଲା ପ୍ରଶାସନ ସଂକ୍ରମଣର ସ୍ଥିତିକୁ ଦେଖି ତୁରନ୍ତ କଠୋର କଟକଣା ଜାରି କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର