‘ବୁଲବୁଲ’ ପ୍ରଭାବରେ ଆରମ୍ଭ ହେଲା ବର୍ଷା, କାଲି ଯାଏଁ ଭିଜିବ ଓଡ଼ିଶା

ବାଲେଶ୍ୱର: ଆରମ୍ଭ ହୋଇଛି ‘ବୁଲବୁଲ’ ପ୍ରଭାବ | ବାଲେଶ୍ୱର ସହ ଉପକୂଳ ଜିଲ୍ଲାମାନଙ୍କରେ ବର୍ଷା ଆରମ୍ଭ ହୋଇଛି | ବାଲେଶ୍ୱରରେ ଏବେ ବର୍ଷାର ପରିମାଣ କମ ଥିଲେ ବି ଧୀରେ ଧୀରେ ବର୍ଷା ପରିମାଣ ବଢିବ ବୋଲି ଜଣାପଡିଛି | ଆଜିଠୁ ୯ ତାରିଖ ଯାଏ ୯ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି | ଆଜି ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁରରେ ବର୍ଷା ଆଶଙ୍କା ଥିବାବେଳେ କାଲି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କଟକ ଓ ଯାଜପୁରର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା କରାଯାଇଛି | ପାରାଦୀପ ଉପକୂଳରୁ ୧୩୪ କିମି ଦୂରରେ ‘ବୁଲ୍‌ବୁଲ୍‌’ ଅତିକ୍ରମ କରିବାକୁ ଥିବାବେଳେ ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମବାହିନୀ ନିୟୋଜିତ କରାଯାଇଛି |

ତେବେ ଆଜିଠାରୁ ଭଦ୍ରକରେ ଦିନ ୧୧ଟାରୁ ବର୍ଷା ଆରମ୍ଭ ହୋଇଥିବାବେଳେ କେନ୍ଦ୍ରାପଡାରେ ସକାଳ ୧୦ଟାରୁ ଝିପିଝିପି ବର୍ଷା ହେଉଥିବାବେଳେ ହାଲକା ପବନ ବୋହୁଛି | କୌଣସି ଲୋକଙ୍କୁ ସ୍ଥାନାନ୍ତର କରାଯାଇନଥିଲେ ବି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରି ରଖାଯାଇଛି | ଜିଲ୍ଲାର ଅଧିକାରୀମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀର ଦାୟିତ୍ୱ ଦିଆଯାଇଛି |

ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଛୁଟି ବାତିଲ କରାଯାଇଥିବେଳେ ଆବଶ୍ୟକ ହେଲେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ଜଗତସିଂହପୁରରେ ମଧ୍ୟ ତିନିଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି | ପ୍ରଥମେ ୨ ଦିନ ଛୁଟି ଘୋଷଣା କରାଯାଇଥିଲେ ବି ଅରେଞ୍ଜ୍ ୱାର୍ଣ୍ଣିଂ ଘୋଷଣା ପରେ ଆଉ ଗୋଟିଏ ଦିନ ଛୁଟି ବଢ଼ାଇ ଦିଆଯାଇଛି | ସମୁଦ୍ର ମଧ୍ୟକୁ ନଯିବାକୁ ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିବାବେଳେ ପୁରୀର ନୋଳିଆ ସାହିରେ ମଧ୍ୟ ବାଜା ବଜାଇ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି |

ସମ୍ବନ୍ଧିତ ଖବର