ରୋଗୀଙ୍କ ଜୀବନ ସହିତ ଖେଳ : ସମ୍ବଲପୁର ସଦର ଡାକ୍ତରଖାନାରେ ଦିଆଯାଉଛି ଏକ୍ସପାଏରି ସାଲାଇନ୍, ଓଆର୍‌ଏସ୍‌

ସମ୍ବଲପୁର : ସମ୍ବଲପୁର ସଦର ଡାକ୍ତରଖାନାରେ ଚାଲିଛି ରୋଗୀଙ୍କ ଜୀବନ ସହିତ ଖେଳ। ରୋଗୀମାନଙ୍କୁ ଦିଆଯାଉଛି ଅବଧି ସରିଥିବା ସାଲାଇନ୍ ଏବଂ ଓଆର୍‌ଏସ୍‌। ଅବଧି ସରିଥିବା(ଏକ୍ସପାଏରି) ଔଷଧ ଯୋଗୁଁ ରୋଗୀମାନଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟ ଦେଖିବାକୁ ମିଳିଛି।

ପ୍ରାପ୍ତ ସୂଚନା ଅନୁସାରେ, ରବିବାର ରାତିରେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ସାମ୍ବାଦିକ ସରୋଜ ସାହୁ ସମ୍ବଲପୁର ସଦର ଡାକ୍ତରଖାନାର ଆଶୁଚିକିତ୍ସା ବିଭାଗରେ କାର୍ଯ୍ୟରତ ଡାକ୍ତର ପଙ୍କଜ ପଟେଲଙ୍କୁ ଦେଖାଇଥିଲେ। ତାଙ୍କ ପରାମର୍ଶ କ୍ରମେ ସଂକ୍ରାମକ ରୋଗ ବିଭାଗ ଶଯ୍ୟା ସଂଖ୍ୟା ୧୮୧ରେ ସାମ୍ବାଦିକ ଶ୍ରୀ ସାହୁଙ୍କୁ ଭର୍ତ୍ତି କରାଯାଇଥିଲା। ରାତ୍ର ସାଢ଼େ ୯ଟାରେ ୱାର୍ଡ ଦାୟିତ୍ବରେ ଥିବା ଷ୍ଟାପ୍ ନର୍ସ ସାମ୍ବାଦିକ ଶ୍ରୀ ସାହୁଙ୍କୁ ସାଲାଇନ ଲଗାଇଥିଲେ। ସାଲାଇନ ଡୋଜ୍ ତାଙ୍କ ଶରୀରରେ ଚଢିବା ମାତ୍ରେ ଶରୀର କୁଣ୍ଡାଇ ହେବା ସହିତ ଶ୍ରୀ ସାହୁ ସଂଜ୍ଞାହୀନ ହୋଇପଡ଼ିଥିଲେ। ଏଭଳି ସ୍ଥିତି ଦେଖି ୨ଟି ଇଂଜେକ୍‌ସନ ଦିଆଯିବା ପରେ ତାଙ୍କ ଚେତା ଫେରିଥିଲା।

ରାତି ୩ଟାରେ ଶ୍ରୀ ସାହୁଙ୍କ ନିକଟ ଶଯ୍ୟା ସଂଖ୍ୟା ୧୮୨ ରେ ମହାନଗର ନିଗମ ଅନ୍ତର୍ଗତ ଭତରାର ପଙ୍କଜ ପ୍ରସାଦ ସୋହେଲା(୩୮)ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ। ପଙ୍କଜଙ୍କ ସାନଭାଇ ପ୍ରେମାନନ୍ଦ ଏକ୍ସପାଏରି ତାରିଖ ସରିଯାଇଥିବା ସାଲାଇନ ପଙ୍କଜଙ୍କୁ ଦେବା ପାଇଁ ଶଯ୍ୟାରେ ରଖାଯାଇଥିବା ଦେଖି ଷ୍ଟାଫ ନର୍ସଙ୍କୁ କହିବାରୁ ନୂଆ ସାଲାଇନ୍‌ ପଙ୍କଜଙ୍କୁ ଦିଆଯାଇଥିଲା। ସାମ୍ବାଦିକ ଶ୍ରୀ ସାହୁ ଏ ସଂପର୍କରେ ଅବଗତ ହେବା ପରେ ସୋମବାର ୱାର୍ଡ ପରିଦର୍ଶନରେ ଆସିଥିବା ଡାକ୍ତର ସୀମା ରଏଙ୍କୁ ଗତ ରାତ୍ରିରେ ତାଙ୍କୁ ସାଲାଇନ ଦେବା ପରେ ସଂଜ୍ଞାହୀନ ହୋଇପଡିଥିବା ଏବଂ ତାଙ୍କୁ ମଧ୍ୟ ଏକ୍ସପାଏରି ତାରିଖ ସରିଯାଇଥିବା ସାଲାଇନ ଦେଇଥିବା ଶ୍ରୀ ସାହୁ ଅଭିଯୋଗ କରିଥିଲେ। ସେହିପରି ଶଯ୍ୟା ସଂଖ୍ୟା ୧୬୭ରେ ଭର୍ତ୍ତି ହୋଇଥିବା କ୍ଷେତରାଜପୁରର ସୁଦେର୍ଣ୍ଣା ସୋହୋଲା ମଧ୍ୟ ସାଲାଇନ ଡୋଜ୍‌ ଦେବା ପରେ ତାଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବା ସହିତ ହାତ ଫୁଲି ଯାଇଥିବା ଅଭିଯୋଗ କରିଛନ୍ତି। ଠିକ୍‌ ସେହିପରି ଆଜି ଶଯ୍ୟା ସଂଖ୍ୟା ୧୭୮ରେ ଚିକିତ୍ସିତ ହେଉଥିବା ମାନେଶ୍ଵର ବ୍ଲକ ଦେଓଗାଁ ପଞ୍ଚାୟତ ଗଉରଗୋଠ ଗ୍ରାମର ବୁଦ୍ଧଦେବ ଗହିରଙ୍କ ବଡ଼ଭାଇ ଏକ୍ସପାଏରି ତାରିଖ ସରିଥିବା ଓଆର୍‌ଏସ୍‌ ପାଉଡର ପିଇବାକୁ ଦିଆଯାଇଥିବା ଅଭିଯୋଗ କରିଛନ୍ତି।

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଜ୍ଞାତସାରରେ ଏଠାରେ ଏକ୍ସପାଏରି ତାରିଖ ସରିଯାଇଥିବା ଔଷଧଗୁଡ଼ିକର ଏକ ରାକେଟ କାମ କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏଠାରେ ଚାଲିଥିବା ଔଷଧ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଭାରପ୍ରାପ୍ତ ସିଡିଏମ୍ଓଙ୍କୁ ପଚାରିବାରୁ ସେ କହିଲେ, ରୋଗୀଙ୍କୁ ସାଲାଇନ୍‌ ଚଢ଼ାଇବା ପୂର୍ବରୁ ଅବଧି ଯାଂଚ କରାଯାଇଥାଏ। ରୋଗୀଙ୍କୁ ଏକ୍ସପାଏରି ସାଲାଇନ୍ ଦିଆଯିବା କଥା ନୁହେଁ। ତଥାପି, ଯେହେତୁ ଅଭିଯୋଗ ଆସିଲାଣି ଘଟଣାର ତଦନ୍ତ କରାଯାଇ ଦୋଷତ୍ରୁଟି ଥିବା ଜଣାପଡ଼ିଲେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ‌ସେ କହିଛନ୍ତି।

ସମ୍ବନ୍ଧିତ ଖବର