ନିଶ୍ଚିନ୍ତକୋଇଲି: ନେମାଳ ଥାନା ଅନ୍ତର୍ଗତ ଝାଡ଼େଶ୍ବରପୁର ମନାନ୍‌ଗଡ଼ାଠାରେ ଗତକାଲି ବିଳମ୍ବିତ ରାତିରେ ବୋମା ଭିଡ଼ିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ବୋମା ଭିଡ଼ାଯାଉଥିବା ଘରର ଛାତ ଫାଟି ଯାଇଥିବାବେଳେ ସଟର୍‌ କବାଟ ଉଡ଼ି ପ୍ରାୟ ୫୦ ଫୁଟ ଦୂରରେ ପଡ଼ିଥିଲା। ନାହାଳପୁର ଅଞ୍ଚଳର ସେକ୍ ଦୁଖା (୫୫) ମନାନ୍‌ଗଡ଼ାଠାରେ ବ୍ୟବସାୟ ପାଇଁ ଏକ କୋଠାଘର ଭଡ଼ାରେ ନେଇଥିଲା। ସେ ଲୋକଦେଖାଣିଆ ଫେରି ବ୍ୟବସାୟ କରୁଥିବା ବେଳେ ବିଳମ୍ବିତ ରାତିରେ ଘରେ ଆପରାଧିକ କାମ କରିଆସୁଥିଲା। ଗତକାଲି ବିଳମ୍ବିତ ରାତିରେ ସେ ଘର ଭିତରେ ବୋମା ଭିଡୁଥିବା ବେଳେ ଅକସ୍ମାତ୍ ବିସ୍ଫୋରଣ ଘଟିଥିଲା। ଏଥିରେ ଦୁଖାର ହାତ ଓ ଗୋଡ଼ ଛିଣ୍ତିଯିବା ସହ ଶରୀରର ବିଭିନ୍ନ ଅଂଶ ପୋଡ଼ିଯାଇଥିଲା। ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଲୋକମାନେ ଭୟରେ ନିଜ ନିଜ ଘର ଭିତରୁ ବାହାରି ଆସିଥିଲେ। ବିସ୍ଫୋରଣରେ ଘର ଛାତ ଫାଟିଯିବା ସହ କାନ୍ଥ ଭାଙ୍ଗି ଯାଇଥିଲା।

Advertisment

ଏହାସହ ଘରର ସଟର୍‌ କବାଟ ପ୍ରାୟ ୫୦ମିଟର ଦୂରକୁ ଛିଟିକି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ନେମାଳ ପୁଲିସ୍‌ ଘଟଣାସ୍ଥଳରେ ପହ‌ଞ୍ଚି ଆହତ ଦୁଖାକୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ଅବସ୍ଥା ଗୁରୁତର ଥିବାରୁ ପୁଲିସ୍‌ କଟକ ବଡ଼ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। 

ଆଜି ସକାଳେ କଟକ ଗ୍ରାମା‌ଞ୍ଚଳ ଏସ୍‌ପି ପ୍ରତୀକ୍ ସିଂହ, ସାଲେପୁର ଏସ୍‌ଡିପିଓ ବିର‌ଞ୍ଚି ନାରାୟଣ ପତି ଓ ସ୍ଥାନୀୟ ପୁଲିସ ଅଧିକାରୀଙ୍କ ସହିତ ପୁଲିସ୍‌ ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍, ବୋମା ନିଷ୍କ୍ରିୟକାରୀ ଦଳ ବିସ୍ଫୋରଣସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଥିଲେ। ତଦନ୍ତ ବେଳେ ଘର ଭିତରୁ କିଛି ଅଫୁଟା ବୋମା ପୁଲିସ ଜବତ କରିଛି। ପ୍ରକୃତରେ ଏଠାରେ ଦୁଖା ଏକୁଟିଆ ଏହି କାର୍ଯ୍ୟ କରୁଥିଲା ନା’ ତା’ ସହିତ ଆଉ କେହି ଥିଲେ, ତାହା ତଦନ୍ତ ସାପେକ୍ଷ। ତା’ଛଡ଼ା, ବୋମା ଭିଡ଼ି ସେ ନିଜେ ଅପରାଧ କରୁଥିଲା, ନା’ ଅନ୍ୟ କୌଣସି ଅପରାଧୀଙ୍କୁ ବୋମା ଯୋଗାଉଥିଲା, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଅପରପକ୍ଷରେ, ଦୁଖାର ନିଜ ଘର ଅଳ୍ପ ଦୂରରେ ହୋଇଥିବା ବେଳେ ସେ କାହିଁକି ଏହି ଘର ଭଡ଼ା ନେଇଥିଲା ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି। ଏ ସମ୍ପର୍କରେ ନେମାଳ ଥାନାରେ ଏକ ମାମଲା (୧୩୧/୨୫) ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଥିବା ପୁଲିସ ସୂଚନା ଦେଇଛି।