ତେଲନଦୀ ପୋଲ ଉପରେ ବନ୍ୟାଜଳ: କେନ୍ଦୁଝର-ମୟୂରଭଞ୍ଜ ଯାତାୟାତ ପ୍ରଭାବିତ

କେନ୍ଦୁଝର/ଉଦୟପୁର : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳର ଉପରମୁଣ୍ଡରେ ବର୍ଷା ଯୋଗୁଁ ତେଲ‌ନଦୀରେ ବନ୍ୟା ଆସିଛି। କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍‌ କୁମୁଳାବାହାଳି ନିକଟରେ ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଏହି ନଦୀ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ସୀମା ଦେଇ ପ୍ରବାହିତ ହେଉଥିବାରୁ ଉଭୟ ଜିଲ୍ଲା ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲା ପାଇଁ  ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାରୁ ଆସନ୍ତାକାଲିଠାରୁ ବର୍ଷା ବଢ଼ିବାର ସମ୍ଭାବନା ରହିଛି।

କେନ୍ଦୁଝର ଜିଲ୍ଲାରେ ଗତକାଲି କିଛି ସ୍ଥାନରେ ଅଳ୍ପ ବର୍ଷା ହୋଇଥିଲା। ଆଜି ଜିଲ୍ଲାରେ ପାଗ ମେଘୁଆ ଥିଲେ ବି ବର୍ଷା ନଥିଲା। ଗତକାଲିଠାରୁ ଶିମିଳିପାଳର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ତେଲନଦୀର ବନ୍ୟାଜଳ ପ୍ରବାହିତ ହୋଇଛି। ଆଜି ସାହାରପଡ଼ା ବ୍ଲକ୍‌ ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ କୁମୁଳାବାହାଳି ନିକଟରେ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ରାସ୍ତା ଓ ପୋଲ ଉପରେ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା। ଅପରାହ୍‌ଣ ବେଳକୁ ଧୀରେଧୀରେ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଯାତାୟାତ ସ୍ବାଭାବିକ ହୋଇପାରି ନାହିଁ। ସେହିପରି ନଦୀକୂଳରେ ଥିବା ଦୁଇଟି ଗାଁ ବେଲସରେଇ ଓ ଗୋଳକୁଣ୍ଡ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା। ପୋଲ ଉପରେ ପାଣି ଚାଲୁଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା। ଏନେଇ ସାହାରପଡ଼ା ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତିଙ୍କୁ ପଚାରିବାରୁ ତାଙ୍କ ପାଖରେ ଏ ସମ୍ପର୍କରେ କୌଣସି ଖବର ନାହିଁ ବୋଲି କହିଛନ୍ତି।

ତେବେ ସମ୍ଭାବ୍ୟ ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ମେମୋ ନମ୍ବର- ୧୨୮୨/୧୫.୭.୨୩ରେ ଜିଲ୍ଲା ଜରୁରି କାର୍ଯ୍ୟାଳୟ ପକ୍ଷରୁ ଏନେଇ ସମସ୍ତ ବିଭାଗକୁ ଚିଠି କରାଯାଇ କୌଣସି ପରିସ୍ଥିତିରେ ସରକାରୀ କର୍ମଚାରୀମାନେ ମୁଖ୍ୟାଳୟ ନ ଛାଡ଼ିବାକୁ କୁହାଯାଇଛି। ସେହିପରି କ୍ଷେତ୍ରସ୍ତରରେ ବିଭାଗୀୟ ଅଧିକାରୀମାନଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ତଳି ଅଞ୍ଚଳରେ ଥିବା ଲୋକଙ୍କୁ ଉଦ୍ଧ‌ାର କରିବା ଉପରେ ଗୁରୁତ୍ବ ଦେବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର