ଖଣି ବିସ୍ଥାପିତଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି ସରକାର: କିଶୋର ପଟେଲ

ଲୋକଙ୍କ ପାଇଁ ଉତ୍ତରଦାୟୀ ପ୍ରଶାସନ କମ୍ପାନି ସେବାରେ

ସୁନ୍ଦରଗଡ଼: ‘ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବହୁ ଖଣି ଓ ତାକୁ ନେଇ ଅନେକ କଳକାରଖାନା ଗଢ଼ି ଉଠିଛି। ହେମଗିରରୁ ରାଜଗାଙ୍ଗପୁର, କୋଇଡ଼ା ଯାଏ ଭୂତଳୁ କୋଇଲା ଠାରୁ ଆରମ୍ଭ କରି ଲୁହପଥର, ଚୂନପଥର ଆଦି ଖଣିଜ ସମ୍ପଦ ଉତ୍ତୋଳିତ ହେଉଛି। ସାମ୍ପ୍ରତିକସ୍ଥିତିରେ ଦେଶର ବିକାଶ ପାଇଁ ଏହା ଅପରିହାର୍ଯ୍ୟ। କିନ୍ତୁ ଏଥିପାଇଁ ଭିଟାମାଟି, ଜମିବାଡ଼ି, ଘର ହରାଉଥିବା ଆଦିବାସୀ ତଳିତଳାନ୍ତ ହୋଇଛନ୍ତି। ଏଯାଏ ଠିକ୍ ଭାବେ କାହାକୁ କ୍ଷତିପୂରଣ, ଥଇଥାନ, ପୁନର୍ବାସ କରାଯାଇପାରି ନାହିଁ। ହେମଗିର କୋଇଲା ଖଣି ଅଞ୍ଚଳର ବିସ୍ଥାପନ ନୀତି ଓ ଅଧିବାସୀଙ୍କ ସ୍ଥିତିକୁ ଦେଖିଲେ, ଦେଶର ବୃହତ୍ତର ସ୍ବାର୍ଥ ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିବା ଭୂମିପୁତ୍ରଙ୍କ ପ୍ରତି ସରକାର ଆଦୌ ସମ୍ବେଦନଶୀଳ ଥିଲା ଭଳି ମନେ ହେଉ ନାହିଁ।

ସାଧାରଣଲୋକଙ୍କ ପାଇଁ ଉତ୍ତରଦାୟୀ ପ୍ରଶାସନ ଏଠାରେ କମ୍ପାନିର ସୁରକ୍ଷାରେ ଲାଗିଛି’। ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଆଣି ସରକାରଙ୍କ ଆଭିମୁଖ୍ୟର କଡ଼ା ସମାଲୋଚନା କରିଛନ୍ତି ଓଡ଼ିଶାର ପୂର୍ବତନ ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତା କିଶୋରଚନ୍ଦ୍ର ପଟେଲ। ମହାନଦୀ ଖୋଲା ମୁହଁ କୋଇଲା ଖଣି ଠାରୁ ଜାମକାନି କୋଇଲା ଖଣି ଯାଏ ସବୁଠି ବିସ୍ଥାପିତ ନ୍ୟାୟ ମାଗି ମାଗି ଥକି ପଡ଼ିଥିବା ସେ ଅଭିଯୋଗ କରିଛନ୍ତି। ବିସ୍ଥାପିତଙ୍କୁ ନୀତି ନିୟମ ଅନୁଯାୟୀ ନ୍ୟାଯ୍ୟ କ୍ଷତିପୂରଣ, ପୁନର୍ବାସ ଓ ଥଇଥାନ ଦେବାରେ କମ୍ପାନି ବିଭିନ୍ନ ଆଳରେ ଦିନ ଗଡ଼ାଇ ନେଉଛନ୍ତି। ଏପରିକି ଲୋକଙ୍କୁ ସବୁମତେ ନ୍ୟାୟ ଦେବାକୁ ନିଯୁକ୍ତ ପ୍ରଶାସନ ମଧ୍ୟ ବିସ୍ଥାପିତଙ୍କ ଉପେକ୍ଷା କରିଚାଲିଛନ୍ତି, ଏବଂ ଜୋର୍ କରି ଖଣି ଖନନ କରି ନେଉଛନ୍ତି।

ଏପରିକି ଅନେକ ଖଣି ଅଞ୍ଚଳରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ବେ ସରକାର, ପ୍ରଶାସନ ଏଯାଏ ତାକୁ କାର୍ଯ୍ୟକାରୀ କରି ନାହାନ୍ତି। ଅନେକ ସ୍ଥାନରେ ୨୦୧୩ ନୀତି ଲାଗୁ, ନ୍ୟାୟପୂର୍ଣ୍ଣ କ୍ଷତିପୂରଣ, ସହ ଥଇଥାନ, ପୁନର୍ବାସ ଓ ନିଯୁକ୍ତି ଦାବିରେ ବିସ୍ଥାପିତ ବିଭିନ୍ନ ସମୟରେ ଧାରଣା, ଆନ୍ଦୋଳନ କରୁଛନ୍ତି। ପୁନର୍ବାସ ଓ ଥଇଥାନ ନକରି ଖଣି ଖନନକୁ ଲୋକେ ବିରୋଧ କରି ଆସୁଛନ୍ତି। ହେଲେ ବିସ୍ଥାପିତଙ୍କ ଦାବି ଉପରେ ଏଯାଏ ନା ପ୍ରଶାସନ ନା କମ୍ପାନି କେହି ମଧ୍ୟ ନ୍ୟାୟ ଦେବାକୁ ଆଗ୍ରହ ଦେଖାଉ ନଥିବା ଶ୍ରୀ ପଟେଲ ଅଭିଯୋଗ କରିଛନ୍ତି। ସରକାର, ପ୍ରଶାସନ ତୁରନ୍ତ ନ୍ୟାୟପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟେଲଙ୍କ ସହ ନଗର କଂଗ୍ରେସ ସଭାପତି ନେପାଳଚନ୍ଦ୍ର ସାହୁ, ଜିଲ୍ଲା ଉପସଭାପତି ଅଜିତ ପ୍ରସାଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର