ଦର୍ଶନ ବେଳେ ହବିଷ୍ୟାଳି ଅସୁସ୍ଥ: ଜଣଙ୍କୁ କାମୁଡ଼ିଲା ମାଙ୍କଡ଼, ଭିଡ଼ରେ ପଡ଼ି ଜଣେ ଆହତ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଆଜି ଦୁଇଜଣ ହବିଷ୍ୟାଳି ଅସୁସ୍ଥ ହୋଇଛନ୍ତି। ଜଣେ ଭିଡ଼ରେ ଠେଲାପେଲାରେ ପଡ଼ି ଆହତ ହୋଇଥିବାବେଳେ ଅନ୍ୟ ଜଣଙ୍କୁ ମାଙ୍କଡ଼ କାମୁଡ଼ି କ୍ଷତାକ୍ତ କରିଛି। ଆଜି ସକାଳ ପ୍ରାୟ ୮ଟାରେ ଏହି ଘଟଣା ଘଟିଛି। ଶ୍ରୀମନ୍ଦିରରେ ପଡ଼ି ଆହତ ହୋଇଥିବା ବୃଦ୍ଧା ହେଲେ ଭୁବନେଶ୍ବର ବାପୁଜୀନଗରର ଅନ୍ନପୂର୍ଣ୍ଣା ତ୍ରିପାଠୀ(୬୭)। ସେ ଅକ୍ଷୟ ପାତ୍ର ହାବିଷ୍ୟାଳି କେନ୍ଦ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି। ମାଙ୍କଡ଼ କାମୁଡ଼ାରେ କ୍ଷତାକ୍ତ ବୃଦ୍ଧା ମୋଚିସାହି କଲ୍ୟାଣ ମଣ୍ଡପ ହବିଷ୍ୟାଳି ଶିବିରରେ ରହି କାର୍ତ୍ତିକ ବ୍ରତ ପାଳନ କରୁଥିବାବେଳେ ତାଙ୍କ ପରିଚୟ ମିଳିପାରିନି।

ମିଳିଥିବା ସୂଚନା ମୁତାବକ, ଆଜି ଅନ୍ନପୂର୍ଣ୍ଣା ଗରୁଡ଼ ସ୍ତମ୍ଭ ନିକଟରେ ମୁଣ୍ଡିଆ ମାରୁଥିବାବେଳେ ହଠାତ୍‌ ଅସମ୍ଭାଳ ଭିଡ଼ ଭିତରେ ପଡ଼ିଯାଇଥିଲେ। ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଭକ୍ତମାନେ ତାଙ୍କୁ ଭିଡ଼ରୁ ବାହାରକୁ ନେଇ ଆସିଥିଲେ। ପରେ ହାପିନେସ୍‌ ଫାଉଣ୍ଡେସନ୍‌ର କିଛି ସ୍ବେଚ୍ଛାସେବୀ ଷ୍ଟ୍ରେଚର୍‌ରେ ବୃଦ୍ଧା ହବିଷ୍ୟାଳିଙ୍କୁ ଶ୍ରୀମନ୍ଦିର ଭିତର ବେଢ଼ାରୁ ଉତ୍ତରଦ୍ବାର ଦେଇ ଆମ୍ବୁଲାନ୍ସ ନିକଟକୁ ଆଣିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେହିଭଳି ମୋଚିସାହି କଲ୍ୟାଣମଣ୍ଡପରେ ରହୁଥିବା ବୃଦ୍ଧ ହବିଷ୍ୟାଳି ଶ୍ରୀମନ୍ଦିର ଭିତର ବେଢ଼ା ପରିକ୍ରମା କରିବା ବେଳେ ଏକାଧିକ ମାଙ୍କଡ଼ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ସେହିପରି ବାଗେଡିଆ ଧର୍ମଶାଳା ହବିଷ୍ୟାଳି କେନ୍ଦ୍ରର ରହୁଥିବା ଜଣେ ହବିଷ୍ୟାଳି ଅତ୍ୟଧିକ ଔଷଧ ଖାଇଦେବାରୁ ଗୁରୁତର ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ହବିଷ୍ୟାଳି ଜଣକ ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟ କଲ୍ୟାଣପୁର ଗାଁର ପାଲି ପ୍ରଧାନ(୬୩)ଗୋଡ଼ ବିନ୍ଧିବାରୁ ହବିଷ୍ୟାଳି ଜଣକ ପାଖରେ ରଖିଥିବା ଔଷଧ ଖାଇଥିଲେ। ପରେ ମୁଣ୍ଡ ବୁଲାଇବା ସହ ବାନ୍ତି ହେବାରୁ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା।

ସମ୍ବନ୍ଧିତ ଖବର