ଦୁଇ ଦିନିଆ ଜୟପୁର ମହୋତ୍ସବ ନେଇ ଉଠିଲା ଦାବି

ଜୟପୁର: କୋରାପୁଟ ଜିଲ୍ଲାର ରାଜ୍ୟସ୍ତରୀୟ ଲୋକମହୋତ୍ସବ ‘ପରବ’ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ କିମ୍ବା ଦୁଇ ଦିନ ପରେ ଦୁଇ ଦିନିଆ ଜୟପୁର ମହୋତ୍ସବ ନାଁରେ ଲୋକସାଂସ୍କୃତିକ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଜୟପୁର ସହରରେ କରାଯିବାକୁ ବିଭିନ୍ନ ମହଲରେ ଉଠିଛି ଦାବି। ଗତ ୨ ବର୍ଷ ହେବ ଉତ୍ସବର ଦୁଇ ଦିନ ଧରି କାର୍ଯ୍ୟକ୍ରମ ଜୟପୁରରେ କରାଯିବାକୁ ଜୟପୁରର ବୁଦ୍ଧିଜୀବୀ ଓ କଳାକାରମାନେ ବିଧାୟକଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ବି କରିଥିଲେ।

କୋଭିଡ୍ ସଂକ୍ରମଣ ଓ କଟକଣା ନାଁରେ ଗୋଟିଏ ବର୍ଷ, ଗତ ବର୍ଷ ଅନୁଦାନ କମ୍ ନାଁରେ ହୋଇ ନଥିଲା। ଗତ ବର୍ଷ ପରବ ଲୋକ ମହୋତ୍ସବରେ ଯେଭଳି ଟ୍ରାଫିକ ସମସ୍ୟା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଠିକରେ ହୋଇପାରିନଥିଲା। ଜୟପୁର ଉପଖଣ୍ଡରୁ ଲୋକେ ପରବ ଦେଖିବାକୁ ଯାଇ ଦିନ ତମାମ ଟ୍ରାଫିକ ସମସ୍ୟାରେ ପସି ନାହିଁ ନଥିବା ହଇରାଣ ହେବାକୁ ପଡ଼ିଥିଲା। ନେଇଥିବା ଚାରି ଚକିଆ ଓ ୨ଚକିଆ ଗୋଟିଏ ସ୍ଥାନରେ ପାର୍କିଂ କରି ୩ରୁ ୫କିଲୋ ମିଟର ଛୋଟ ପିଲାଛୁଆ, ମହିଳା ଆଦିଙ୍କୁ ନେଇ ଯିବା ଆସିବା କରିବା ବହୁ ମୁସ୍କିଲରେ ପଡ଼ିଥିଲେ।

ସେଭଳି ପରବ ଲୋକ ମହୋତ୍ସବରେ ବହୁ କଳାକାରଙ୍କୁ ମଂଚ ମିଳୁନଥିବା ବି ଅଭିଯୋଗ ହେଉଛି। ଖାସ୍ କରି ଜୟପୁର ଓ କୋରାପୁଟ କଳାକାରଙ୍କ ମଧ୍ୟରେ ଏଭଳି ସମୟରେ ପାତର ଅନ୍ତର ହେଉଥିବା ବି ଅଭିଯୋଗ ହେଉଛି। ପଡୋଶୀ ‌ରାୟଗଡ଼ା, ଜିଲ୍ଲାରେ ରାୟଗଡ଼ାରେ ଚଇତି ଓ ଗୁଣୁପୁରରେ ବଂଶଧାରା, କଳାହାଣ୍ଡିରେ ଭବାନୀପାଟଣା ସହ ଧର୍ମଗଡ ଓ ଜୁନାଗଡରେ ପୃଥକ ପୃଥକ ଭାବେ ଏଭଳି କାର୍ଯ୍ୟକ୍ରମ କରାଯାଉଛି। ତେଣୁ ଜୟପୁରରେ ଏହି ସ୍ଥିତିରେ ଦୁଇ ଦିନିଆ କାର୍ଯ୍ୟକ୍ରମ ‌ଜୟପୁରରେ କରାଯିବାକୁ କେଏଫଏସଡିର ସଭାପତି ରବିନ୍ଦ୍ର ପାତ୍ର, ସଂପାଦକ ଅମର ମିଶ୍ର,  ଚାମ୍ବର ଅଫ କମର୍ସର ସଭାପତି ଭି. ପ୍ରଭାକର, ବ୍ୟବସାୟୀ ସଂଜୟ ଜୈନ, କିଶୋର ଚୌଧୁରୀ, ସଂଦୀପ ସାମନ୍ତରାୟ, ସୂର୍ଯ୍ୟ ପଟ୍ଟନାୟକ, କଳାକାର ମନୋଜ ପାତ୍ର, ସୁଧାକର ପଟ୍ଟନାୟକ, ମୁରଲୀ ପଟ୍ଟନାୟକ, କାର୍ତ୍ତିକ ରାଉତ, ବୁଦ୍ଧିଜୀବୀ ଅନୁପ ପାତ୍ର, ସଦାଶିବ ତ୍ରିପାଠୀ,ଜିଲ୍ଲା ଆଇନଜୀବୀ ସଂଘର ସଭାପତି ବିରେଶ ପଟ୍ଟନାୟକ, ପୂର୍ବତନ ସଭାପତି ସରୋଜ ଦାଶ, ସଂପାଦକ  ପିଣ୍ଟୁ ମାଝୀ, ପୂର୍ବତନ ସଂପାଦକ ଆନନ୍ଦ ରଥ, କୋଷାଧ୍ୟକ୍ଷ ଗିରିଧର ଖରା, ବରିଷ୍ଠ ଆଇନଜୀବୀ ଲାଲୁ ମିଶ୍ର ,ଆରତୀ ମହାନ୍ତି ପ୍ରମୁଖ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର