୨ ମାସ ହେଲା ଜିଲ୍ଲାରେ ଛତୁଆ ଯୋଗାଣ ବନ୍ଦ: ଗାଁଗାଁରେ ଶିଶୁ ଓ ଗର୍ଭବତୀ ପୁଷ୍ଟିଯୁକ୍ତ ଖାଦ୍ୟରୁ ବଞ୍ଚିତ

ଦଶପଲ୍ଲା: ଗହମ ଯୋଗାଣ ବନ୍ଦ ହେତୁ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଗତ ୨ ମାସ ହେଲା ବନ୍ଦ ହୋଇପଡ଼ିଛି ଛତୁଆ ଯୋଗାଣ। ରାଜ୍ୟରୁ ପୁଷ୍ଟିହୀନତା ଦୂର କରିବା ପାଇଁ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ କୋମଳମତି ଶିଶୁ, ଗର୍ଭବତୀ ଏବଂ ପ୍ରସୂତି ମହିଳାଙ୍କୁ ପ୍ରତିମାସରେ ପୁଷ୍ଟିଯୁକ୍ତ ଛତୁଆ, ବାଦାମ ଲଡ଼ୁ, ସୁଜି ଓ ଅଣ୍ତା ଆଦି ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ହେଲେ ଯୋଜନାର କାର୍ଯ୍ୟକାରୀତା ଅନୁଯାୟୀ ହିତାଧିକାରୀଙ୍କ ନିକଟରେ ଏସବୁ ସାମଗ୍ରୀ ପହଞ୍ଚିବାରେ ଫେଲ୍ ମାରୁଛି। ଜିଲ୍ଲାରେ ପ୍ରାୟ ୬ ମାସରୁ ଊର୍ଦ୍ଧ୍ବ ହେବ ସଠିକ୍ ଭାବେ ଛତୁଆ ଯୋଗାଣ ହୋଇପାରୁନଥିବା ଅଙ୍ଗନବାଡ଼ି କର୍ମୀ ପ୍ରକାଶ କରିଛନ୍ତି। କେତେବେଳେ ଏକକାଳୀନ ୩ ମାସର ମିଳୁଛି ତ ପୁଣି କେତେବେଳେ ୨ ମାସର। ଗହମ ଯୋଗାଣ ହୋଇ ପାରୁନଥିବା ଆଳ ଦେଖାଇ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନେ ହାତବାନ୍ଧି ବସିଛନ୍ତି। ଫଳରେ ସଠିକ୍ ସମୟରେ ପୁଷ୍ଟିକର ଖାଦ୍ୟ ନପାଇ ଗାଁଗାଁରେ ବହୁ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି।

ଆର୍‌ବିଏସ୍‌କେ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଏପ୍ରିଲ୍ ୧ ତାରିଖଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୯ ମାସ ମଧ୍ୟରେ ଦଶପଲ୍ଲା ବ୍ଲକ୍‌ରୁ କେବଳ ୭୮ ଜଣ ଶିଶୁ ଅତିଶୟ ପୁଷ୍ଟିହୀନତାର (ସି–ମାମ୍)ର ଶିକାର ହୋଇଥିବା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୩୪ ଜଣ ଶିଶୁ ପୁଷ୍ଟି ପୁନର୍ବାସ ସଂସ୍ଥା ବା ଏନ୍ଆର୍‌ସିରେ ଭତ୍ତିର୍ ହୋଇଛନ୍ତି। ଅବଶିଷ୍ଟ ଶିଶୁ ବା ଯେଉଁ ଶିଶୁ ଏନ୍ଆର୍‌ସିରେ ଭର୍ତ୍ତି ନହୋଇ ପାରିବ ସେହି ପିଲାଙ୍କ ପାଇଁ ୧୨୦ ଦିନ ପର୍ଯ୍ୟନ୍ତ ଦୈନିକ ଗୋଟିଏ ଅଣ୍ତା ଓ ଶହେ ଗ୍ରାମ ଛତୁଆ ଅଙ୍ଗନବାଡି କେନ୍ଦ୍ରରେ ଅଧିକାରୀଙ୍କ ଉପସ୍ଥିତିରେ ଖାଇବାକୁ ଦେବାର ନିୟମ ରହିଛି। ହେଲେ ଅଧିକାରୀଙ୍କ ଜାଣତରେ ଏହାକୁ ହରିଲୁଟ୍ କରାଯାଉଛି। ଖାଲି ସେତିକି ନୁହେଁ, କିଛି ମାସ ହେଲା ୧୫ ବର୍ଷରୁ ୧୮ ବର୍ଷ ୧୧ ମାସ ପର୍ଯ୍ୟନ୍ତ କିଶୋରୀ ବାଳିକାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ବା ଏମ୍ଏସ୍‌ପିୱାଇ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରତି ମାସରେ କିଶୋରୀ ବାଳିକାଙ୍କୁ ରାଶି ଓ ବାଦାମମିଶା ଲଡ଼ୁ, ଖଜରା, ମୁଢ଼ି ଏବଂ ଅଣ୍ତା ଆଦି ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ହେଲେ ବର୍ତ୍ତମାନ କେବଳ ମୁଢ଼ି ଓ ବୁଟ ଦିଆଯାଇଥିବା ବେଳେ ଅଣ୍ତା ଦରବୃଦ୍ଧି ହେତୁ ୧୬ଟି ସ୍ଥାନରେ ୧୨ଟି ଅଣ୍ତା ଦିଆଯାଉଛି। ନିୟମ ଅନୁଯାୟୀ, ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପ୍ରତ୍ୟେକ ମାସର ୫ରୁ ୭ ତାରିଖ ମଧ୍ୟରେ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଏସବୁ ଖାଦ୍ୟ ଯୋଗାଇ ଦେବା କଥା। ଗହମ ଯୋଗାଣ ବନ୍ଦ ହୋଇଥିବାରୁ ଗତ ଡିସେମ୍ବର ମାସରୁ ଜିଲ୍ଲାରେ ଛତୁଆ ଯୋଗାଣ ବନ୍ଦ ହୋଇଛି। ଦଶପଲ୍ଲା ମହିଳା ଓ ଶିଶୁ ବିକାଶ ଅଧିକାରୀ ରୀନା ସରିତା ଲରେନ୍ସଙ୍କ କହିବା ଅନୁଯାୟୀ, ଦଶପଲ୍ଲାରେ ସମୁଦାୟ ୨୨୯ଟି ଅଙ୍ଗନବାଡ଼ି କେନ୍ଦ୍ରରେ ୨ ହଜାର ୮ଶହ ୭୧ ଜଣ କିଶୋରୀ ବାଳିକା ରହିଛନ୍ତି। ୬ ଶହ ୯୨ ଜଣ ଗର୍ଭବତୀ ରହିଥିବା ବେଳେ ଶୂନଠାରୁ ୬ ମାସ ମଧ୍ୟରେ ୬ ଶହ ୭୮ ଜଣ ପ୍ରସୂତି ରହିଛନ୍ତି। ସେହିପରି ୬ ମାସଠାରୁ ୩ ବର୍ଷ ମଧ୍ୟରେ ୩ ହଜାର ୫ ଶହ ୧୪ ଜଣ ଶିଶୁ ରହିଛନ୍ତି।

ସମ୍ବନ୍ଧିତ ଖବର