ମହିଳା ଉଦ୍ୟୋଗୀଙ୍କ ଉତ୍‌ଥାନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗ ରହୁଛି: ରଶ୍ମି ସାହୁ

କଟକ: ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ତଥା ସେମାନଙ୍କ ଉତ୍‌ଥାନରେ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଭାରତ ସରକାରଙ୍କ ମହିଳା ବିକାଶ ନିଗମ ଦ୍ୱାରା ଆରମ୍ଭ ହୋଇଥିବା ଉଦ୍ୟୋଗିନୀ ଯୋଜନା, ମୁଦ୍ରା ଋଣ, ଅନ୍ନପୂର୍ଣ୍ଣା ଯୋଜନା, ସ୍ତ୍ରୀ ଶକ୍ତି ଯୋଜନା ପରି ବିଭିନ୍ନ ଯୋଜନା ମାଧ୍ୟମରେ ଦେଶର ବହୁତ ମହିଳା ଆଗକୁ ଆସିବା ସହ ନିଜର ପ୍ରତିଭାର ପରିଚୟ ଦେଇ ପାରିଛନ୍ତି। ଏସ୍‌ଏଚ୍‌ଜି ଗଠନ ଯୋଜନାରେ ରାଜ୍ୟ ସରକାର ଗ୍ରାମ ଓ ସହର ତଥା ପଛୁଆ ଅଞ୍ଚଳର ଅନେକ ଗରିବ ମହିଳାଙ୍କୁ ଆଗକୁ ବଢିବାରେ ସହଯୋଗ ଦେଇ ଆସୁଛନ୍ତି ବୋଲି କହିଛନ୍ତି ରୁଚି ମସଲା ଉଦ୍ୟୋଗ ତଥା ଫ୍ରୋଜିଟ୍‌ର ନିର୍ଦ୍ଦେଶିକା ରଶ୍ମି ସାହୁ। ରାଜ୍ୟ, ରାଜ୍ୟ ବାହାରେ ତଥା ବିଦେଶରେ ଫ୍ରୋଜିଟ୍‌ର ଉଲ୍ଲେଖନୀୟ ସଫଳତା ସଂପର୍କରେ ସୂଚନା ଦେଇ ଶ୍ରୀମତୀ ସାହୁ କହିଛନ୍ତି ଯେ ରୁଚି ଫୁଡ୍ କ୍ରାଫ୍ଟ ଇନଷ୍ଟିଚ୍ୟୁଟ ୨୦୦୨ରେ ଏକ ଅଭିନବ ପ୍ରୟାସ ଭାବେ ‌ଆରମ୍ଭ ହୋଇ ଏବେ ଉଲ୍ଲେଖନୀୟ ସଫଳତା ହାସଲ କରି ପାରିଛି। ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାରେ ଏବଂ ନୂଆ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ଏହି ସଂସ୍ଥା ସଫଳ ହୋଇ ପାରିଛି।

ନିକଟରେ ‌ଉତ୍ତରପ୍ରଦେଶର ନୋଏଡାରେ ଆୟୋଜିତ ଖାଦ୍ୟ ମେଳାରେ ଫ୍ରୋଜିଟ୍ ସାମଗ୍ରୀର ଗ୍ରହଣୀୟତା ସଂପର୍କରେ ସୂଚନା ଦେଇ ଶ୍ରୀମତୀ ସାହୁ କହିଛନ୍ତି ଯେ କୋଭିଡ଼ ପରବର୍ତ୍ତୀ ସମୟରୁ ​ପ୍ୟାକେଜ୍‌ଡ ଫୁଡ୍‌ର ଚାହିଦା ବଢ଼ିବାରେ ଲାଗିଛି। ସମସ୍ତେ ସ୍ୱାସ୍ଥ୍ୟକର ଏବଂ ଶୁଦ୍ଧ ଖାଦ୍ୟ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। ଗ୍ରାହକଙ୍କ ବିଶ୍ବାସ ଜିଣିବା ହେଉଛି ବ୍ୟବସାୟରେ ସଫଳତାର ମୂଳ ସୂତ୍ର। କିନ୍ତୁ ଗ୍ରାହକମାନଙ୍କୁ ବି ଖାଦ୍ୟର ମାନକୁ ନେଇ ସଚେତନ ଓ ସତର୍କ ହେବାକୁ ପଡ଼ିବ। କେଉଁଠି ବି ମାନ ହ୍ରାସ ପାଇବା ଅନୁଭବ କଲେ ତୁରନ୍ତ ଅଭି‌ଯୋଗ ଆଣିବାକୁ ପଡ଼ିବ। ରୁଚି ଫ୍ରୋଜିଟ୍ ସାମଗ୍ରୀ ଏବେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ତଥା ସମ୍ପୂର୍ଣ ଦକ୍ଷିଣ–ପୂର୍ବ ରାଜ୍ୟରେ ପହଞ୍ଚିବା ସହିତ ବିଦେଶରେ ୟୁଏଇରେ ଉଲ୍ଲେଖନୀୟ ଗ୍ରହଣୀୟତା ହାସଲ କରି ପାରିଛି। ଓଡ଼ିଶା ଏବେ ପ୍ରତ୍ୟେକ କ୍ଷେତ୍ରରେ ନିଜର ସଫଳତା ହାସଲ ଦିଗରେ ଅଗ୍ରସର ହେଉଛି। ରାଜ୍ୟରେ ନୂଆ ଶିଳ୍ପାଞ୍ଚଳ ସୃଷ୍ଟି ହେବା ପ୍ରକ୍ରିୟା ତ୍ବରାନ୍ବିତ ହେଉଛି। ରୁଚି ଇତିମଧ୍ୟରେ ୪୮ ବର୍ଷର ସଫଳଯାତ୍ରାରେ ଗ୍ରାହକଙ୍କ ବିଶ୍ବାସ ଓ ଭରସା ଜିତିବାରେ ସଫଳ ହୋଇଥିବା ‌ବେଳେ ଏହି ଧାରା ବଜାୟ ରଖିବାକୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ନୂଆ ପରୀକ୍ଷାନିରୀକ୍ଷା ସହିତ ଅତ୍ୟାଧୁନିକ ଉପକରଣ ପ୍ରୟୋଗ କରି ଉନ୍ନତ ମାନର ଖାଦ୍ୟ ସାମଗ୍ରୀ ଗ୍ରାହକଙ୍କୁ ଭେଟି ଦେବାକୁ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କରୁଛି ବୋଲି ଶ୍ରୀମତୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର