ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ଝାମୁଯାତ୍ରା। ମାସକର ଉପବାସ ପରେ ପାଟୁଆ ନିଆଁ ଉପରେ ଚାଲିଛନ୍ତି। ସେହିପରି ଗଂଜାମରେ ଏହାକୁ ମେରୁଯାତ୍ରା ଭାବେ ପାଳନ କରାଯାଇଛି। ଶରୀରକୁ କଷ୍ଟଦେଇ ଦୈବୀକୃପା ପାଇବାର ଧର୍ମବିଶ୍ୱାସ ଏହି ପୂଜାପଦ୍ଧତିର ଆଧାର। ବିଜ୍ଞାନର ଯୁଗରେ ଆଜି ବି ଦେଖିବାକୁ ମିଳିଛି ପୁରୁଣା ପ୍ରଥା।
ବିଶ୍ୱାସ, ଅନ୍ଧବିଶ୍ୱାସରୁ ଉଦ୍ଧ୍ୱେ ପୁରୁଣା ପରମ୍ପରାକୁ ମାନି ଚାଲିଛି ଶକ୍ତି ଉପାସନା। ଜଗତସିଂହପୁର ମା’ ଶାରଳାଙ୍କ ପୀଠରେ ମାସ ସାରା ମାତୃ ମହିମା ଶୁଣାଇ ଝାମୁଯାତ୍ରା ଦିନ ନିଆଁରେ ଅଗ୍ନିପରୀକ୍ଷା ଦେଇଛନ୍ତି ପାଟୁଆ ସେବକ। ଶରୀରକୁ କଷ୍ଟ ଦେଇ ମା’ଙ୍କ ଆଶୀର୍ବାଦ ପାଇବା ଏହି ପୂଜାପଦ୍ଧତିର ମୁଳ ଆଧାର। ସେହିଭଳି ଗଂଜାମ ପୋଲସରା ବ୍ଲକ୍ ରୁମାଗଡ଼ ମା’ ଦଣ୍ଡକାଳୀ ମନ୍ଦିରର ଭକ୍ତ ଦେଉଛନ୍ତି ଭକ୍ତିର ପରୀକ୍ଷା। ଯେଉଁଠି ମାନସିକଧାରୀଙ୍କ ମନ କହୁଛି ଶରୀରକୁ କଷ୍ଟ ଦେଲେ ହିଁ ମିଳିବ ମାତୃକୃପା।
ବାବା ଚନ୍ଦନେଶ୍ୱର ଚଡ଼କମେଳା ଉଦଯାପନୀ ଦିନରେ ମାନସିକଧାରୀ ମାନେ ଯାହା କରୁଥିଲେ ତାହା ଆପଣଙ୍କୁ ଆଶ୍ଚଯ୍ୟ କରିବ। ଜିଭରେ କଂଟାଫୋଡ଼ି ଭକ୍ତକରୁଛନ୍ତି ଚନ୍ଦନେଶ୍ୱରଙ୍କ ଉପାସନା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ମାନସିକଧାରୀ ନିଜକୁ ଦେଉଛନ୍ତି କଷ୍ଟ। ସେହିଭଳି କେନ୍ଦ୍ରାପଡ଼ା ପାଟକୁରା ଅଂଚଳରେ ମାସକ କାଳ ଉପବାସ ପରେ ନିଆଁରେ ଭକ୍ତ ଦେଉଛନ୍ତି ଅଗ୍ନିପରୀକ୍ଷା। ମନରେ ରହିଛି ଦୈବୀକୃପା ଲାଭର ଇଚ୍ଛା। ପୂଜାର୍ଚ୍ଚନାର ରହିଛି ଅନେକ ବାଟ। ମେରୁଉତ୍ସବ ଓ ଝାମୁଯାତ୍ରା ସେଭଳି ହିଁ ଏକ ଅବସର ଯେଉଁଠି ଦୈବୀକୃପା ସାମ୍ନାରେ ମଣିଷ ଶରୀରକୁ ତୁଚ୍ଛ କରିଦିଆଯାଏ। ବିଜ୍ଞାନ ସମ୍ମତ ହୋଇନଥିଲେ ବି ପରମ୍ପରାରେ ଆଜି ବି ଏହା ଉପରେ ଲୋକଙ୍କ ଆସ୍ଥା।