ଜଳସେଚନ ବିଭାଜନ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ବର: ଜିଲ୍ଲା ଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିସରରେ ଜଣେ କନିଷ୍ଠଯନ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯନ୍ତ୍ରୀଜଣକ ହେଲେ ହରେକୃଷ୍ଣ ଧଳ। ଘଟଣା ସମୟରେ ସେଠାରେ ଉପସ୍ଥିତ ବିଭାଗର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ନେଇଥିଲେ। ଏହାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇ ସେଠାରେ ଚିକିତ୍ସା‌ ଚାଲିଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, କନିଷ୍ଠ ଯନ୍ତ୍ରୀ ଶ୍ରୀ ଧଳ ପୂର୍ବରୁ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସେକ୍ସନରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରିଥିଲେ। ୪/୫ ମାସ ପୂର୍ବରୁ ଏଠାରୁ ରେଙ୍ଗାଲି ବେସିନ୍‌କୁ ତାଙ୍କର ବଦଳି ହୋଇଥିଲା। ବାଲେଶ୍ବର ଛାଡ଼ିବା ପରେ କିନ୍ତୁ ସେ ବଦଳି ସ୍ଥାନକୁ ନଯାଇ ଛୁଟିରେ ରହି ପୁଣିଥରେ ବାଲେଶ୍ବରକୁ ବଦଳି ହେବାକୁ ଚେଷ୍ଟା ଚଳାଇଥିଲେ। ଏଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଭେଟି ନିଜର ସମସ୍ୟା ଜଣାଇ ଆସୁଥିଲେ। ତେବେ କେଉଁ କାରଣରୁ ସେ ଏପରି କରିବାକୁ ଉଦ୍ୟମ କରୁଥିଲେ ତାହା ପରିବାର କିମ୍ବା କାର୍ଯ୍ୟାଳୟରେ କେହି କିଛି ଜାଣିନଥିବା କହିଛନ୍ତି।

ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଇଂ ଧଳ ଜଳସେଚନ କାର୍ଯ୍ୟାଳୟକୁ ଆସି ସେଠାରେ ନିର୍ମାଣଧୀନ ଥିବା ଏକ ବିଲ୍ଡିଂର ଉପରମହଲାକୁ ଉଠିଯାଇଥିଲେ। ସେଠାରେ ଏକ ସ୍କିପିଂ ଦଉଡ଼ି ବେକରେ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତଳେ ଥିବା ଜଣେ କର୍ମଚାରୀ ଦଉଡ଼ି ଯାଇ ତାଙ୍କୁ ଉଦ୍ଧାର କରିଥିଲା। ଏବେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ୍‌ ବିଭାଗ‌ର ୩୬ ନମ୍ବର ବେଡ୍‌ରେ ଚିକିତ୍ସାଧୀନ ଅଛନ୍ତି। ଘଟଣା ସମ୍ପର୍କରେ ଜିଲ୍ଲା ଜଳସେଚନ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ଇଂ ପ୍ରଭାସ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ ଇଂ ଧଳ କାହିଁକି ଏଭଳି କରିବାକୁ ଚାହିଁଲେ‌ ସେ ଜାଣିନାହାନ୍ତି। ଦୁଇଦିନ ପୂର୍ବରୁ ସେ କାର୍ଯ୍ୟାଳୟ ଆସିଥିଲେ ଏବଂ ତାଙ୍କୁ ଦେଖା କରି ଚାକିରିକୁ ନେଇ ବେଶ୍‌ ମାନସିକ ଚାପରେ ଥିବା ପ୍ରକା‌ଶ କରିଥିଲେ। ତେଣୁ ଏ ଘଟଣା ସମ୍ପର୍କରେ କେବଳ ଇଂ ଧଳ ନି‌େଜ ହିଁ କହିପାରିବେ ବୋଲି ଅଧୀକ୍ଷକ ଯନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର