୨ ମାସ ତଳେ କରିଥିଲେ ପ୍ରେମବିବାହ; ୪ ଦିନ ଧରି ଜୀବନ ସହ ସଂଘର୍ଷ ପରେ ୪ ଘଣ୍ଟା ବ୍ୟବଧାନରେ ଦମ୍ପତିଙ୍କ ମୃତ୍ୟୁ

ବୁଗୁଡ଼ା: ପାରିବାରିକ କଳହକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କରଚୁଲି ପଞ୍ଚାୟତ ଅନ୍ତର୍ଗତ ବଡ଼ତଣ୍ଡା ଗ୍ରାମରେ ଗତ ୧୨ ତାରିଖରେ ପଦ୍ମାବତୀ ଜାନି ନାମକ ଜଣେ ବିବାହିତା ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ରାଜକୁମାର ବି ଗୁରୁତର ହୋଇଥିଲେ। ୪ ଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ଆଜି ମାତ୍ର ୪ ଘଣ୍ଟା ବ୍ୟବଧାନରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଗ୍ରାମବାସୀଙ୍କୁ ସ୍ତବ୍ଧ କରିପକାଇଛି।

ମୃତ ରାଜକୁମାର ଭୁବନେଶ୍ୱରରେ ଦିନମଜୁରିଆ ଭାବେ କାମ କରୁଥିବା ବେଳେ ୨ ମାସ ତଳେ ତାକରଡ଼ା ପଞ୍ଚାୟତ ଅନ୍ତର୍ଗତ ଶୁଳିଆପଲ୍ଲୀ ଗ୍ରାମର ନବକୃଷ୍ଣ ଜାନିଙ୍କ ଝିଅ ପଦ୍ମାବତୀଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ଏହାମଧ୍ୟରେ ପାରିବାରିକ କଳହକୁ କେନ୍ଦ୍ର କରି ରାଜକୁମାରଙ୍କ ବାପା ତ୍ରିନାଥ ଜାନି ବିଷ ପିଇ ଆତ୍ମହତ୍ୟା କରିଥିଲେ। ଶ୍ବଶୁରଙ୍କ ମୃତ୍ୟୁର ୮ ଦିନ ପରେ ବୋହୂ ପଦ୍ମାବତୀ ଗତ ୧୨ ତାରିଖ ରାତିରେ ହଠାତ୍ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଏହାଦେଖି ରାଜକୁମାର ପତ୍ନୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ସେ ମଧ୍ୟ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ଗ୍ରାମବାସୀ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଦମ୍ପତିଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଉଭୟଙ୍କୁ କଟକ ବଡ଼ଡାକ୍ତରଖାନା ପଳାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ବିଜୁ ସ୍ବାସ୍ଥ୍ୟକାର୍ଡ଼ ପାଖରେ ଥାଇ ବି ଉନ୍ନତମାନର ଚିକିତ୍ସା ପାଇଁ ସେମାନେ ଆଶା ଛାଡ଼ିଦେଇଥିଲେ। ଏହାସହ ପାଖରେ ଅଧିକ ଟଙ୍କା ନଥିବାରୁ ଦମ୍ପତି ଗତ ୧୩ ତାରିଖରେ ଗାଁକୁ ଫେରିଆସିଥିଲେ। ଘରେ ସେମିତି ଭଗବାନଙ୍କ ଭରସାରେ ପଡ଼ି ରହିଥିଲେ। ତେବ‌େ ୧୫ ତାରିଖରେ ଉଭୟଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ନିଜେ ସେମାନେ ଧାରଉଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲା। ତେବେ ଆଜି ସକାଳ ୬ଟାରେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମାବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାର ମାତ୍ର ୪ ଘଣ୍ଟା ପରେ ସ୍ବାମୀ ରାଜକୁମାର ‌ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଏହି ଖବର ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଶବ ବ୍ୟବଚ୍ଛେଦ ପରେ ଗାଁକୁ ଅଣାଯାଉଥିବା ଜଣାପଡ଼ିଛି। ବାପାଙ୍କ ମୃତ୍ୟୁର ୧୩ ଦିନରେ ପୁଅବୋହୂଙ୍କ ଏଭଳି ମୃତ୍ୟୁ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର