ଦଳ ଛାଡ଼ିଲେ କନ୍ଧମାଳ ଜିଲ୍ଲା ମହିଳା ବିଜେଡି ସଭାପତି

ଦଳ ବି ବହିଷ୍କୃତ କଲା

ଫୁଲବାଣୀ/ଖଜୁରୀପଡ଼ା: ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଅନିମା କହଁର ଆଜି ପୂର୍ବାହ୍ନରେ ବିଜୁ ଜନତା ଦଳର ସମସ୍ତ ପଦପଦବି ଏବଂ ପ୍ରାଥମିକ ସଦସ୍ୟା ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଥିଲେ। ତାଙ୍କ ଇସ୍ତଫା ପତ୍ର ସେ ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ପ୍ରେରଣ କରିଥିବା ସୂଚନା ଦେଇଥିଲେ। ଦଳରେ ତାଙ୍କୁ ଗୁରୁତ୍ବ ଦିଆଯାଉ ନଥିବା ଅନୁଭବ କରି ଇସ୍ତଫା ଦେଇଥିବା ସେ ଉଲ୍ଲେଖ କରିଥିଲେ।

ଅନ୍ୟ ପକ୍ଷରେ ଫୁଲବାଣୀ ବିଧାନସଭା ପାଇଁ ବିଜେଡି ଟିକେଟ ଆଶାୟୀ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଦଳରୁ ଇସ୍ତଫା ଦେବା ସହ ସମାଜବାଦୀ ପାର୍ଟିରେ ଯୋଗ ଦେଇ ସେହି ଦଳରୁ ଟି‌କଟ ପାଇ ବର୍ତ୍ତମାନ ଫୁଲବାଣୀ ବିଧାନସଭା ଆସନରୁ ଲଢ଼ୁଛନ୍ତି। ଦେବେନ୍ଦ୍ରଙ୍କ ଭଉଣୀ ଅନିମା କହଁର ଏବଂ ଭାଇ ତଥା ଜିଲ୍ଲା ବିଜେଡି ସମ୍ପାଦକ ରାଜେନ୍ଦ୍ର କହଁରଙ୍କୁ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଆଜି ବିଜେଡିରୁ ବହିଷ୍କାର କରାଯାଇଛି ବୋଲି ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍‌ ଇସ୍ତାହାର ଜରିଆରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର