ଭିଜିଲାନ୍‌ସ ଜାଲ‌ରେ କରିତ୍‌କର୍ମା ଏମ୍‌ଭିଆଇ: କେବଳ ରାଜଧାନୀରେ ୩୧ ପ୍ଲଟ୍‌, ୧୦ ବେନାମୀ

ଏକାଧିକ ବେନାମୀ ଦୁଇ-ଚାରି ଚକିଆ ଯାନ ଠାବ, ଟଙ୍କା ନଦେଲେ ଗାଡ଼ିଚାଳନାରେ ଫେଲ୍‌ କରୁଥିଲେ

ନୟାଗଡ଼: ବର୍ଷ ଆରମ୍ଭରୁ ଭିଜିଲାନ୍‌ସ ଜାଲରେ ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର କୋଟିପତି ଏମ୍‌ଭିଆଇ ପଞ୍ଚାନନ ବେହେରା। ଶ୍ରୀ ବେହେରା ବେଶ୍‌ ଚତୁରତାର ସହିତ ବେନାମୀ ସ୍ଥାବର, ଅସ୍ଥାବର ସମ୍ପତ୍ତି ବଢ଼ାଇ ସଭିଁଙ୍କ ଆଖିରେ ଧୂଳି ଦେବାକୁ ଯାଇ ଫସିଛନ୍ତି। ପ୍ରାୟ ଏକ ବର୍ଷ ହେବ ସେ ଜଗତସିଂହପୁର ଆର୍‌ଟିଓରୁ ଆସି ନୟାଗଡ଼ରେ ଯୋଗ ଦେଇଥିଲେ। ବେଆଇନ ଭାବେ ଆୟ ବହିର୍ଭୂତ, ବେନାମୀ ସମ୍ପତ୍ତି ଅର୍ଜନ କରିଥିବା ଜଣାପଡ଼ିଛି। ଯାହା ମଧ୍ୟରେ ରାଜଧାନୀ ଭୁବନେଶ୍ବରର ପ୍ରମୁଖ ସ୍ଥାନ‌ରେ ୩୧ଟି ପ୍ଲଟ୍‌ ଥିବା ବେଳେ ସେଥିରୁ ୧୦ଟି ‌ବେନାମୀ ପ୍ଲଟ୍‌ ଥିବା ଜଣାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ୨.୧୦ କୋଟି ଟଙ୍କାରୁ ଅଧିକ ହେବ।

ବାସ୍ତବରେ ଏହାର ମୂଲ୍ୟ ଆହୁରି ଅଧିକ ହେବ, ଏନେଇ ଆକଳନ ଚାଲିଥିବା ଭିଜିଲାନ୍‌ସ ସୂଚନା ଦେଇଛି। ସେହିଭଳି ତାଙ୍କର ୪ଟି ବେନାମୀ ଚାରିଚକିଆ, ୨ ଚକିଆ ଯାନ ମଧ୍ୟ ରହିଛି। ଭୁବନେଶ୍ବରର ଶୈଳଶ୍ରୀବିହାରରେ ତିନିହଜାର ବର୍ଗଫୁଟର ୨ ମହଲା କୋଠା, ପାଣ୍ଡରା ସତ୍ୟବିହାର‌ରେ ଗୋଟିଏ ଏକ ମହଲା କୋଠା ରହିଛି। ଭୁବନେଶ୍ବରର ପଥରଗାଡ଼ିଆ ମୌଜାରେ ୧୨ଟି ପ୍ଲଟ୍‌, ଦାରୁଠେଙ୍ଗରେ ଗୋଟିଏ, ଭୁବନେଶ୍ବର ସହର ମୌଜା, ଶ୍ୟାମ୍‌ପୁର (ସଁପୁର) ‌ମୌଜା, ପାଣ୍ଡରା, ରଘୁନାଥପୁର ମୌଜା‌ରେ ଗୋଟିଏ ଲେଖାଏଁ ପ୍ଲଟ୍‌ ଠାବ କରାଯାଇଛି। ୧୦ ବେନାମୀ ପ୍ଲଟ୍‌ ମଧ୍ୟରେ ଭୁବନେଶ୍ବରର ପଥର ଗାଡ଼ିଆ, ରଣସିଂହପୁର ଆଦି ମୌଜାରେ ରହିଛି।

ଏକାଧିକ ବେନାମୀ ଦୁଇ-ଚାରି ଚକିଆ ଯାନ ଠାବ
ଟଙ୍କା ନଦେଲେ ଗାଡ଼ିଚାଳନାରେ ଫେଲ୍‌ କରୁଥିଲେ
ବିଭିନ୍ନ ଆଳରେ ଲାଞ୍ଚ ନେଉଥିବା ଅଭିଯୋଗ

ଖବର ଲେଖା ହେବା ସୁଦ୍ଧା ଏହି ସମସ୍ତ ପ୍ଲଟ୍‌ର ମୂଲ୍ୟ ଭିଜିଲାନ୍‌ସ ବୈଷୟିକ ଟିମ୍‌ ଦ୍ବାରା ଆକଳନ କରାଯାଉଛି। ବ୍ୟାଙ୍କ, ବୀମାରେ ୭୨.୮୦ ଲକ୍ଷ ଟଙ୍କା ଜମା, ସୁନା ଅଳଙ୍କାର ସମେତ ନଗଦ ୧୫ ଲକ୍ଷ ଟଙ୍କା, ସୋଆ ବିଶ୍ବବିଦ୍ୟାଳୟରେ ତାଙ୍କ ପୁଅର ଡାକ୍ତରୀ ପାଠ ପଢ଼ା ବାବଦରେ ୫୦ ଲକ୍ଷ ଟଙ୍କା ଶ୍ରୀ ବେହେରା ଖର୍ଚ୍ଚ କରିଥିବ‌ା ଭିଜିଲାନ୍‌ସ ସୂଚନା ଦେଇଛି। ଶ୍ରୀ ବେହେରାଙ୍କ ପୈତୃକ ଗ୍ରାମ କଟକ ଜିଲ୍ଲା ସାଲେପୁରର ବାଲିଆପଦା ସମେତ ଖୋର୍ଦ୍ଧାର ନୀଳଗିରିପାଟଣା ଥାନା ଅଧୀନ ଗୋବିନ୍ଦପୁରର ସମ୍ପର୍କୀୟଙ୍କ ଘର, ପାଣ୍ଡରା ସତ୍ୟବିହାରସ୍ଥିତ ସମ୍ପର୍କୀୟଙ୍କ ଘର, ଭୁବ‌ନେଶ୍ବର ସମେତ ନୟାଗଡ଼ସ୍ଥିତ ଭଡ଼ା ଘର, ଆର୍‌ଟିଓ ନୟାଗଡ଼ ପରିସରରେ ଥିବା ତାଙ୍କ ପ୍ରକୋଷ୍ଠରେ ମଧ୍ୟ ଚଢ଼ଉ କରାଯାଇଥିଲା। ଶ୍ରୀ ବେହେରା ଭିଜିଲାନ୍‌ସ ଜାଲରେ ପଡ଼ିବା ପରେ ନୟାଗଡ଼ର ବିଭିନ୍ନ ବ୍ୟକ୍ତି ତାଙ୍କର କାର୍ଯ୍ୟକଳାପ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା, ଡିଏଲ୍‌ ନିମନ୍ତେ ଗାଡ଼ି ଚାଳନା ପରୀକ୍ଷା ଦେବାକୁ ଯାଉଥିବା ଚାଳକଙ୍କଠାରୁ ଟଙ୍କା ନ ପାଇଲେ ସେମାନଙ୍କୁ ‌ଫେଲ୍‌ କରୁଥିବା, ବିଭିନ୍ନ ଆଳ ଦେଖାଇ ଚାଳକଙ୍କୁ ଜରିମାନା ଭୟ ଦେଖାଇ ଲାଞ୍ଚ ଖାଉଥିବା ଅଭିଯୋଗ କରି ବିଭିନ୍ନ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ‌ପୋଷ୍ଟ କରିଛନ୍ତି। ଓଡ଼ିଶା ଭିଜିଲାନ୍‌ସ ବିଭାଗର ୬ ଜଣ ଡିଏସ୍‌ପି, ୩ ଇନ୍ସପେକ୍ଟର, ୮ ଏଏସ୍‌ଆଇ ଏହି ଚଢ଼ଉରେ ସାମିଲ୍‌ ‌ହୋଇଥିଲେ।

ସମ୍ବନ୍ଧିତ ଖବର