ପୁଲିସ ସ୍କୁଟିରେ ଗଞ୍ଜେଇ ଚାଲାଣ: ୧୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଲିଙ୍କ୍ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ: ଏସ୍‌ପି

ସୋନପୁର: ଉଲୁଣ୍ଡା ଥାନା ଏଏସ୍‌ଆଇ ସ୍ମିତାରାଣୀ ଦାଶଙ୍କ ସ୍କୁଟିରେ ଚାଲାଣ ହେଉଥିଲା ଗଞ୍ଜେଇ। ଖୋଦ୍‌ ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍କୁଟିରୁ ୧୨ କେଜି ୬ ଶହ ଗ୍ରାମ ଗଞ୍ଜେଇ ବାହାରିଥିବା ବେଳେ ସୁବଳୟା ଥାନା ଟେଭାପଦର ଗ୍ରାମର ସଂଗ୍ରାମ କର୍ଡ଼ିଆ(୨୭)କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସୋନପୁର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ରାଜକିଶୋର ମିଶ୍ର ଏହି ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ରଙ୍କ ସୂଚନା ହେଲା, ଶୁକ୍ରବାର ରାତି ପ୍ରାୟ ୭ଟା ୨୫ ସମୟରେ ସୋନପୁର ବୁଢ଼ାରାଜା ଛକରେ ପାଟ୍ରୋଲିଂ କରୁଥିବା ସମୟରେ ପୁଲିସ ଏକ ସ୍କୁଟି (ଓଡି-୧୭ଏକ୍ସ-୯୭୭୧)କୁ ସନ୍ଦେହରେ ଅଟକାଇ ଥିଲା। ଯାଞ୍ଚ ସମୟରେ ସେଥିରୁ ଗଞ୍ଜେଇ ବାହାରିଥିଲା। ଉକ୍ତ ସ୍କୁଟି ନମ୍ବର ଯାଞ୍ଚ କରିବାରୁ ତାହା ସ୍ମିତାରାଣୀଙ୍କର ବୋଲି ଜଣାପଡ଼ିଥିବା ସେ କହିଛନ୍ତି।

ଘଟଣା ସମ୍ପର୍କରେ ସୋନପୁର ଏସ୍‌ପି ଅମରେଶ ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ‘ଘଟଣାର ତଦନ୍ତ ଚାଲିଛି। ଯଦି ସମ୍ପୃକ୍ତ ଏଏସ୍‌ଆଇଙ୍କ ଗଞ୍ଜେଇ ଚାଲାଣ କରୁଥିବା ପ୍ରମାଣ ମିଳେ, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।’ ଏ ସମ୍ପର୍କରେ ଏଏସ୍‌ଆଇ ସ୍ମିତାରାଣୀ ଦାଶଙ୍କୁ ପଚାରିବାରୁ କହିଥିଲେ, ‘ଅଭିଯୁକ୍ତ ସଂଗ୍ରାମ ମୋର ପୂର୍ବ ପରିଚିତ। ତେଣୁ ଜରୁରୀ କାମ ଅଛି ବୋଲି କହି ମାଗିବାରୁ ମୁଁ ତାକୁ ସ୍କୁଟି ଦେଇଥିଲି। ମାତ୍ର ସେ ଏଥିରେ ଗଞ୍ଜେଇ ଚାଲାଣ କରିବ ବୋଲି ଜାଣି ନ ଥିଲି।’ ଜଣେ ପୁଲିସ ଅଧିକାରୀଙ୍କ ସ୍କୁଟିରେ ଗଞ୍ଜେଇ ଚାଲାଣକୁ ନେଇ ଜନସାଧାରଣଙ୍କ ମଧ୍ୟରେ ନାନା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର