ଆର୍‌ପିଡିଏସି ବୈଠକରେ ଜନପ୍ରତିନିଧିଙ୍କ ଉଦ୍‌ବେଗ: ‘ବିସ୍ଥାପିତଙ୍କ ଦୁଃଖ ଶୁଣୁନି ଏମ୍‌ସିଏଲ୍‌’

ଅନୁଗୁଳ: ବିସ୍ଥାପିତଙ୍କ ଦୁଃଖ ବୁଝୁନି ଏମ୍‌ସିଏଲ୍‌। ଥଇଥାନ ବ୍ୟବସ୍ଥା ବାଟବଣା ହୋଇଥିଲା ବେଳେ ପାରିପାର୍ଶ୍ବିକ ଉନ୍ନୟନ ଚୁଲିକୁ ଗଲାଣି। ଏଥିନେଇ ଯେତେ କହିଲେ ବି ଏମ୍‌ସିଏଲ୍‌ ଶୁଣୁନି। ଆଗାମୀ ଦିନରେ ଏହାର ଫଳ ଏମ୍‌ସିଏଲ୍‌ ଭୋଗିବ ବୋଲି ଚେତାବନୀ ଦେଇଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ଆଜି ମହାନଦୀ କୋଲଫିଲଡ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ଥଇଥାନ ଓ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶଦାତା କମିଟି (ଆର୍‌ପିଡିଏସି) ବୈଠକ ପରେ ବିଧାୟକ କହିଛନ୍ତି ଯେ ‌ବୈଠକରେ ହେଉଥିବା ନିଷ୍ପତ୍ତିକୁ ଠିକ୍‌ ଭାବେ ଏମ୍‌ସିଏଲ୍‌ କାର୍ଯ୍ୟକାରୀ କରୁନି।

ଆଜି ଏମ୍‌ସିଏଲ୍‌ର ଆର୍‌ପିଡିଏସି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା। ଉତ୍ତରାଞ୍ଚଳ ରାଜସ୍ବ କମିସନର ଶ୍ରୀକାନ୍ତ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏମ୍‌ସିଏଲ୍‌ର କାର୍ଯ୍ୟକଳାପ ନେଇ ଜନପ୍ରତିନିଧି ଓ ପ୍ରଭାବିତ ଲୋକଙ୍କ ପ୍ରତିନିଧି ‌ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଏମ୍‌ସିଏଲ୍‌ ବିସ୍ଥାପିତ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆଗ୍ରହ ଦେଖାଉନି ବୋଲି ଅଭିଯୋଗ କରିଥିଲେ। ଠିକ୍‌ ସମୟରେ କାହିଁକି ଆର୍‌ପିଡିଏସି ବୈଠକ କରାଯାଉନି ବୋଲି ମଧ୍ୟ ସେମାନେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ବୈଠକରେ ଗରମାଗରମ ଆଲୋଚନା ହୋଇଥିଲା। ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ସଭାନେତ୍ରୀ ବବିତା ପ୍ରଧାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତି ବେହେରା ଓ ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ୧୬ଟି ବିଷୟରେ ଆଲୋଚନା କରାଯାଇଥିଲା। ତାଳଚେରର ଗୋପାଳପ୍ରସାଦ, ଖମାର, ପଥରମୁଣ୍ଡା, କଣିହାଁ, ଏକଡାଳ, ହିଲୋଇ (ନୂଆସାହି), ସୋଲଡ଼ା ଓ ବଲଣ୍ଡା ଗ୍ରାମର ବିସ୍ଥାପିତ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ଛେଣ୍ଡିପଦା ସୁଭଦ୍ରା ଏରିଆ କୋଇଲା ଖଣିର ଗ୍ରାମର ବିସ୍ଥାପିତଙ୍କ ସମସ୍ୟାକୁ ନେଇ ଆଲୋଚନା କରାଯାଇଛି। ପରିବେଶ ପ୍ରଦୂଷଣ ରୋକିବା ନିମନ୍ତେ ଏମ୍‌ସିଏଲ୍‌ ପକ୍ଷରୁ ବିଭିନ୍ନ ପଦକ୍ଷେପ ଓ ଖନନ ଶେଷ ହୋଇଥ‌ିବା ଖଣିଗୁଡ଼ିକୁ ବାଲିରେ ପୋତିବା ସମ୍ପର୍କରେ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକ ଶେଷରେ ଉତ୍ତରାଞ୍ଚଳ ରାଜସ୍ବ କମିସନର ଶ୍ରୀକାନ୍ତ ପୃଷ୍ଟି କହିଥିଲେ, ଲୋକଙ୍କ ଯେଉଁ ସମସ୍ୟା ରହିଛି, ତାକୁ ଠିକଣା ସମୟରେ ସାରିବା ପାଇଁ ଏମ୍‌ସିଏଲ୍‌କୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକ ଆରମ୍ଭରେ ଅନୁଗୁଳ ଜିଲ୍ଲାପାଳ ମହମ୍ମଦ ଅବ୍‌ଦାଲ୍ ଅଖତର ପ୍ରାରମ୍ଭିକ ସୂଚନା ଦେଇଥିଲେ। ଗତ ୨୦୧୨୧ ଅଗଷ୍ଟ ୩୧ରେ ହୋଇଥିବା ଆର୍‌ପିଡିଏସି ବୈଠକର ବିବରଣୀକୁ ଅନୁମୋଦନ କରାଯିବା ସହ ଏମ୍‌ସିଏଲ୍‌ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟ ସଂପର୍କରେ ସୂଚନା ଦିଆଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଡିଏଫଓ ବିବେକ କୁମାର, ଅତିରିକ୍ତ ଏସ୍‌ପି ବିକ୍ରମ କେଶରୀ ଭୋଇ, ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟେନ୍ଦୁ ମହାନ୍ତି, ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ, ବିସ୍ଥାପିତ ଗ୍ରାମବାସାଙ୍କ ପ୍ରତିନିଧି ରାଜେନ୍ଦ୍ର ସିଂହ, ଝୁଲୁ ପରିଡ଼ା, ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି ଚିତ୍ତ ରଂଜନ ପ୍ରଧାନ, ବିଭୂତି ଭୂଷଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏମ୍‌ସିଏଲ ପକ୍ଷରୁ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଉଦୟ କାଉଲେ, ମହାପ୍ରବନ୍ଧକ (ଭୂରାଜସ୍ବ) ପ୍ରଦୀପ କୁମାର ମିଶ୍ର, ନିର୍ଦ୍ଦେଶକ କେଶବ ରାଓ, ଯୁଗଳ କୁମାର ବୋରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର