‘ଓଡ଼ିଶା ଟେକ୍ସଟାଇଲ୍ ହବ୍ ଓ କଳାହାଣ୍ଡି ହବସପୁରୀ ହବ୍ ହୋଇପାରିବ’
ମୁଖ୍ୟମନ୍ତ୍ରୀଙ୍କ ନିରବ ଓ ନିଶ୍ଚଳ ବ୍ୟକ୍ତିତ୍ବ ରାଜନୀତି ପ୍ରତି ଆକର୍ଷିତ କରିଛି: ସୁଜିତ ମେହେର
ସେ ଓଡ଼ିଶାର ହସ୍ତତନ୍ତରେ ପାଶ୍ଚାତ୍ୟ ପରିଧାନର ଛୁଙ୍କ ଦେଇ ସେ ରାଜ୍ୟର ବିଭିନ୍ନ ଜିଲ୍ଲାର ସମୃଦ୍ଧ ହସ୍ତତନ୍ତଙ୍କୁ ବିଶ୍ବ ବଜାରରେ ପରିଚିତ କରାଇଛନ୍ତି। ହସ୍ତତନ୍ତର ପ୍ରଚାର କରିବା ସହ ବୁଣାକାରଙ୍କ ବିକାଶ ଦିଗରେ ଚିନ୍ତା କରିଛନ୍ତି। ଏଥିସହ ଲୁପ୍ତପ୍ରାୟ ହବସପୁରୀ ଶାଢ଼ି ଓ ଫେବ୍ରିକ୍ସର ପୁନରୁଦ୍ଧାର ପାଇଁ ସେ ଏବେ କାର୍ଯ୍ୟରତ। କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ତାଙ୍କ ଡିଜାଇନ ହବସପୁରି ୟୁନିଫ୍ରମ ପ୍ରଚଳନ ସହିତ ଯୁବପିଢ଼ି ମଧ୍ୟରେ ସେ ଆଦୃତ ହେଇପାରିଛନ୍ତି। ଏବେ ସେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଛନ୍ତି। ଉପେକ୍ଷିତ ଓ ସମସ୍ୟା ଭରା ଅଞ୍ଚଳର ମଣ୍ଡିଗୁଡ଼ିକ ପରିଦର୍ଶନ କରି ଯଥାସମ୍ଭବ ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରି ଚାଷୀମାନଙ୍କ ପ୍ରିୟଭାଜନ ହେଇପାରିଛନ୍ତି। ସେ ହେଉଛନ୍ତି ଅନ୍ତର୍ଜାତୀୟ ଫ୍ୟାସନ ଡିଜାଇନର୍ ସୁଜିତ ମେହେର। ତାଙ୍କ ସହ ‘ସମ୍ବାଦ’ରୁ ସାକ୍ଷାତ କରିଥିଲେ ସସ୍ମିତା ସାହୁ।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାର ପରିଚୟ ‘ହସ୍ତତନ୍ତ’କୁ ଫ୍ୟାସନ ଡିଜାଇନିଂରେ ସାମିଲ କରିବାର ବିଚାର କେମିତି ଆସିଲା?
ମହାପ୍ରଭୁ ଶ୍ରୀଜଗନ୍ନାଥ, କୋଣାର୍କ ଚକ୍ର ଓ ଆମ ହସ୍ତତନ୍ତ ସବୁବେଳେ ଓଡ଼ିଶାର ପରିଚୟ ହୋଇ ଆସିଛନ୍ତି। ଯେହେତୁ ମୁଁ ବୁଣାକାର ସମ୍ପ୍ରଦାୟରୁ ଆସିଛି ଓ ଫ୍ୟାସନ ଡିଜାଇନିଂକୁ ନେଇ ପାଠ ପଢ଼ିଛି, ଏଣୁ ମୋ ମାଟି ଓଡ଼ିଶା ପାଇଁ ମୁଁ ଅଧିକ କ’ଣ କରିପାରିବି ତାହା ଚିନ୍ତା କରୁଥିଲି। ଏଣୁ ଓଡ଼ିଶାର ହସ୍ତତନ୍ତକୁ ଆଉ ଟିକେ ଆଗକୁ ନେଇ ଏଥିରେ ଫ୍ୟାସନର ଛୁଙ୍କ ଦେବାକୁ ଚେଷ୍ଟା କରିଥିଲି। ଯାହା ଫଳରେ କି ଯୁବପିଢ଼ିଙ୍କୁ ଅଧିକରୁ ଅଧିକ ଓଡ଼ିଶା ହସ୍ତତନ୍ତ ମୁହାଁ କରିହେବ; ଆଗ୍ରହ ମଧ୍ୟ ବଢ଼ିଛି।
ଓଡ଼ିଶାର ହସ୍ତତନ୍ତ ଏବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ କେଉଁଭଳି ସ୍ଥିତିରେ ରହିଛି? ଏହାର ଅଧିକ ପ୍ରଚାରପ୍ରସାର ପାଇଁ ଅଧିକ କ’ଣ କରାଯାଇପାରେ?
୨୦୧୨ ମସିହାରେ ମୁଁ ପ୍ରଥମ ଥର ଓଡ଼ିଶାର ହସ୍ତତନ୍ତକୁ ନେଇ ବେଙ୍ଗାଲୁରୁରେ ଏକ ଫ୍ୟାସନ ସୋ’ର ଆୟୋଜନ କରିଥିଲି। ଏହା ପରେପରେ ହସ୍ତତନ୍ତକୁ ନେଇ ଜାତୀୟସ୍ତରରେ ବହୁ କ୍ରେଜ ଦେଖିବାକୁ ମିଳିଛି। ତେବେ ମୋର ଲକ୍ଷ୍ୟ କେବଳ ହସ୍ତତନ୍ତର ପ୍ରଚାରପ୍ରସାର ନୁହେଁ, ଏହା ମାଧ୍ୟମରେ ରୋଜଗାର ସୃଷ୍ଟି ମୋର ମୂଳ ଉଦ୍ଦେଶ୍ୟ। ହସ୍ତତନ୍ତକୁ ନେଇ ସମସ୍ତେ ସ୍ବାବଲମ୍ବୀ ହେଲେ, ହସ୍ତତନ୍ତ ଚିରକାଳ ତିଷ୍ଠିବ। କରୋନା ସମୟରେ ଯେତେବେଳେ ମୁଁ ଓଡ଼ିଶା ଫେରିଲି ଓ କଳାହାଣ୍ଡିରେ ରହିଲି, ମୁଁ ଦେଖିଲି ଯେ କଳାହାଣ୍ଡିର ହବସପୁରୀ ଶାଢ଼ି ଓ ଫେବ୍ରିକ୍ସ ଜିଆଇ ଟ୍ୟାଗ୍ ପାଇବା ସତ୍ତ୍ବେ ବହୁ ଅବହେଳିତ। ଏହା ମୋତେ ଅଧିକ ବ୍ୟଥିତ କରିଥିଲା। କାରଣ ହବସପୁରୀ କାରିଗରୀର ଉତ୍ପତ୍ତି ସ୍ଥଳ ଚିଚେଇଗୁଡ଼ା ମୋ ନିଜ ଜନ୍ମମାଟି। ହବସପୁରୀ ବୁଣାକାର ସ୍ବର୍ଗତ ଉଗ୍ରସେନ ମେହେର ମୋତେ ହବସପୁରୀ କାରିଗରୀ ପାଇଁ କିଛି କରିବାକୁ ପରାମର୍ଶ ଦେଇଥିଲେ। ଆଗରୁ ମାତ୍ର ୨ ଜଣ ହବସପୁରୀ ବୁଣାକାର ଥିବା ବେଳେ ଏବେ ପ୍ରାୟ ୧୫୦ରୁ ଅଧିକ ପରିବାର ଏହି କାରିଗରୀକୁ ଆସିଲେଣି।
ଆପଣ ଖୁବ୍ଶୀଘ୍ର ରାଜନୀତିରେ ସକ୍ରିୟ ହେବାକୁ ଯାଉଛନ୍ତି। କ’ଣ ସ୍ବପ୍ନ ନେଇ ରାଜନୀତିକୁ ଓହ୍ଲାଉଛନ୍ତି?
ଫ୍ୟାସନ ଡିଜାଇନିଂ ହିଁ ମୋର ସ୍ବପ୍ନ ଓ ରୁଚିରେ ଥିଲା। କିନ୍ତୁ ମୁଁ ଏବେ କଳାହାଣ୍ଡିରେ ରହିବା ପରେ ଦେଖିଲି, ମୋ ଜିଲ୍ଲାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। କେବଳ ହବସପୁରୀ ନୁହେଁ, ଏମିତି ବହୁତ କିଛି କଳା ରହିଛି ଯାହାକି ଅବହେଳିତ ଅବସ୍ଥାରେ ରହିଛି। ଦାନ ମାଝୀ ପ୍ରସଙ୍ଗ, ଭୋକର ଭୂଗୋଳ ଆଦି ବହୁ ଅପବାଦ ଏବେ କଳାହାଣ୍ଡି ସହୁଛି। କେବଳ ତ’ ହସ୍ତତନ୍ତକୁ ଆଗକୁ ନେଲେ ହେବନାହିଁ, କଳାହାଣ୍ଡି ପାଇଁ ଏକ ସାମଗ୍ରିକ ବିକାଶର ଆବଶ୍ୟକତା ରହିଛି। ଏହା ପରେ ମୋତେ ଅନୁଭବ ହେଲା ଯେ ରାଜନୀତି ହିଁ ଏଭଳି ଏକ ମାଧ୍ୟମ, ଯାହାଦ୍ବାରା ମୁଁ ମୋ ଜିଲ୍ଲାର ସାମଗ୍ରିକ ବିକାଶ କରିପାରିବି।
ଆପଣ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ ପୁତୁରା। କିନ୍ତୁ ଆପଣ ବିଜେଡିରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିବାକୁ ଚାହୁଁଛନ୍ତି।
ଅବିରତ ଭାବେ ଲମ୍ବା ସମୟ ଧରି ଶାସନ କରିଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ଏଭଳି ନିର୍ବିବାଦୀୟ ଜନମତ ଆସିବାର କାରଣ ଏକମାତ୍ର ହୋଇପାରେ ଯେ, ସେ ଲୋକଙ୍କ ସହ ଅଛନ୍ତି। ରାଜ୍ୟର ବିକାଶରେ ଅଛନ୍ତି। ଆହୁରି ମଧ୍ୟ ତାଙ୍କର ନିରବ, ନିଶ୍ଚଳ ବ୍ୟକ୍ତିତ୍ବ ମୋତେ ଅଧିକ ପ୍ରଭାବିତ ଓ ଆକର୍ଷିତ କରିଛି। ନବୀନ ପଟ୍ଟନାୟକ ବି ଦିନେ ବାହାରେ ଥିଲେ। କିନ୍ତୁ ବିଜୁ ବାବୁଙ୍କ ଦେହାନ୍ତ ପରେ ମାଟି ମା’ ପାଇଁ ସେ ଓଡ଼ିଶା ଫେରିଥିଲେ। ଠିକ୍ ସେହିଭଳି ମୁଁ ବାହାରେ ରହୁଥିବା ବେଳେ ଏବେ ମା’ ମାଟି ପାଇଁ କିଛି କରିବାକୁ ଓଡ଼ିଶା ଫେରିଆସିଛି।
କଳାହାଣ୍ଡି ବିକାଶରେ ଆପଣଙ୍କର ପ୍ରଥମ ସ୍ବପ୍ନ ବା ଯୋଜନା କ’ଣ ରହିଛି?
କଳାହାଣ୍ଡିରେ ସମ୍ବଳ ଭରପୂର ରହିଛି। କୃଷି, ପର୍ଯ୍ୟଟନ ଓ ହସ୍ତତନ୍ତ ପ୍ରତିଟି କ୍ଷେତ୍ରରେ ରହିଛି ବିପୁଳ ସମ୍ଭାବନା। ଏଠାରେ ଅନେକ ଜଳପ୍ରପାତ ଓ ଜଳାଶୟ ରହିଛି, ଯାହାକୁ ବ୍ୟବହାର କରି ଆମେ ଜଳସେଚନ ବ୍ୟବସ୍ଥା କରି ଭଲ ଫସଲ ଉତ୍ପାଦନ କରିପାରିବା। କିନ୍ତୁ ଆମେ ମୌସୁମୀ ବର୍ଷା ଉପରେ ନିର୍ଭର କରି ଫସଲ ଉତ୍ପାଦନରେ ଏବେ ପଛେଇ ଯାଉଛେ। ଆମେ ଯୁବପିଢ଼ି ନୂଆ ନୂଆ ଦୃଷ୍ଟିକୋଣ ନେଇ ରାଜନୀତିକୁ ଓହ୍ଲାଇବା ଆବଶ୍ୟକ। ଓଡ଼ିଶା କୃଷି ପ୍ରଧାନ ରାଜ୍ୟ ଓ କଳାହାଣ୍ଡି କୃଷିପ୍ରଧାନ ଜିଲ୍ଲା ହୋଇଥିବାରୁ ମୁଁ ପ୍ରଥମେ କୃଷିର ବିକାଶ ଦିଗର ସମସ୍ତ ସମ୍ଭାବନାକୁ ନେଇ ପରୀକ୍ଷାନିରୀକ୍ଷା କରିବି।
ରାଜନୀତିକୁ ଆସିଲେ ଆପଣ ଓଡ଼ିଶାର ହସ୍ତତନ୍ତ ଓ ବୁଣାକାରଙ୍କ ପାଇଁ କ’ଣ କରିବାର ଯୋଜନା ରଖିଛନ୍ତି?
ଓଡ଼ିଶାକୁ ଟେକ୍ଟଟାଇଲ୍ ହବ୍ କରିବା ମୋର ଏକ ସ୍ବପ୍ନ ରହିଛି। ଏବେ ସୁରତ ଭାରତର ଟେକ୍ଟଟାଇଲ୍ ହବ୍ ଭାବେ ସୁପରିଚିତ ହୋଇଥିବା ବେଳେ ସେଠାରେ କାମ କରୁଥିବା ସମସ୍ତ ଶ୍ରମିକ ହେଉଛନ୍ତି ଓଡ଼ିଆ। ଯଦି ଓଡ଼ିଶାର ହସ୍ତତନ୍ତକୁ ନେଇ ଓଡ଼ିଶା ଏକ ଟେକ୍ଟଟାଇଲ୍ ହବ୍ ହୋଇପାରନ୍ତା, ତେବେ ଓଡ଼ିଆମାନେ ଆଉ ବାହାରକୁ ଦାଦନ ଖଟି ଯାଆନ୍ତେନାହିଁ। ଆହୁରି ମଧ୍ୟ କଳାହାଣ୍ଡିକୁ ହବସପୁରୀ ହବ୍ କରି ହସ୍ତତନ୍ତ ସହ ପର୍ଯ୍ୟଟନକୁ ମିଶାଇବାର ମୋର ଯୋଜନା ରହିଛି। ସେଠାରେ ଶାଢ଼ି ବୁଣିବା, ଗଛ ପତ୍ର ଓ ଫୁଲରୁ ସିଧାସଳଖ ରଙ୍ଗ ତିଆରି କରିବା ଆଦିର ଲାଇଭ୍ ପ୍ରଦର୍ଶନ ଯେଭଳି ପର୍ଯ୍ୟଟକମାନେ ଦେଖିବେ ଓ ବୁଣାକାରଙ୍କଠାରୁ ସୁଲଭ ମୁଲ୍ୟରେ ଏସବୁକୁ କିଣିପାରିବେ; ସେ ସବୁର ବ୍ୟବସ୍ଥା କରିବା ମୋର ସ୍ବପ୍ନ ରହିଛି।