ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିପଡ଼ିଛି ୨.୨୬ ଲକ୍ଷ ପଦବି

ଭୁବନେଶ୍ବର : ୨୦୨୧-୨୨ ଆର୍ଥିକ ବର୍ଷ(୨୦୨୧ ଡିସେମ୍ବର ସୁଦ୍ଧା) ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲି ପଡ଼ିଛି। ‘ଗ୍ରୁପ୍‌-ଏ’ରେ ୧୨ ହଜାର ୩୩୭, ‘ଗ୍ରୁପ୍‌-ବି’ରେ ୪୫ ହଜାର ୯୬୯, ‘ଗ୍ରୁପ୍‌-ସି’ରେ ୧ ଲକ୍ଷ ୧୩ ହଜାର ୫୩୬, ‘ଗ୍ରୁପ୍‌-ଡି’ରେ ୩୫ ହଜାର ୯୮ ଓ ଗ୍ରାଣ୍ଟ-ଇନ୍‌-ଏଡ୍‌ରେ ୧୯ ହଜାର ୬୧୯ ପଦ ଖାଲି ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସବୁଠାରୁ ଅଧିକ ୬୧ ହଜାର ୮୩୬, ସ୍ବାସ୍ଥ୍ୟ ବିଭାଗରେ ୩୬ ହଜାର ୪୫, ଗୃହ ବିଭାଗରେ ୨୬ ହଜାର ୭୯୫, ରାଜସ୍ବ ବିଭାଗରେ ୧୨ ହଜାର ୭୬୧, ଉଚ୍ଚଶିକ୍ଷା ବିଭାଗରେ ୧୧ ହଜାର ୫୨୨ ପଦ ଖାଲି ରହିଛି। ଆର୍ଥିକ ଓ ପ୍ରଶାସନିକ ସଂସ୍କାର କାର୍ଯ୍ୟକାରୀ ହେବା ପରଠାରୁ ୧୯୯୯ରୁ ୨୦୦୮ ମଧ୍ୟରେ ବିଭିନ୍ନ ବିଭାଗର ୪୫ ହଜାର ୫୧୩ଟି ମୂଳ ପଦବୀ ଉଚ୍ଛେଦ ହୋଇଛି। ଠିକା ଭିତ୍ତିରେ ସେବା ଯୋଗାଣ ସଂସ୍ଥା ଜରିଆରେ ଏବଂ ଅବସରପ୍ରାପ୍ତଙ୍କୁ କେତେ ସଂଖ୍ୟାରେ ନିଯୁକ୍ତି ଦିଆଯାଇଛି ସେନେଇ ସମ୍ପୃକ୍ତ ବିଭାଗ ପାଖରେ ତଥ୍ୟ ଥିବ ବୋଲି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା କହିଛନ୍ତି।

ସମ୍ବନ୍ଧିତ ଖବର