ଡାକଘରେ ଜମାକାରୀଙ୍କ ଟଙ୍କା ହଡ଼ପ ଘଟଣା: ଅଭିଯୁକ୍ତ କର୍ମଚାରୀ ଗିିରଫ

ଦେଢ଼ଶହରୁ ଊର୍ଦ୍ଧ୍ବ ପାସବୁକ୍ ଜବତ, ଅଭିଯୁକ୍ତକୁ ପୁଣି ରାମାଣ୍ଡରେ ଆଣିପାରେ ପୁଲିସ

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ଡାକଘରେ ଜମାକାରୀଙ୍କ ଜମାଖାତାରୁ ଟଙ୍କା ଗାଏବ ଘଟଣାରେ ଶେଷରେ ପୁଲିସ ଫେରାର ଥିବା ଡାକ ବିଭାଗ କର୍ମଚାରୀ ବୃନ୍ଦାବନ ଦଳପତି (କୁନୁ)ଙ୍କକୁ  ଗିରଫ କରିବାରେ ସଫଳ ହୋଇଛି। ଏଥିସହ ତାଙ୍କ ନିକଟରୁ ପ୍ରାୟ ଦେଢ଼ ଶହ ପାସବୁକ୍ ଜବତ କରାଯାଇଛି। ଏପର୍ଯ୍ୟନ୍ତ ପ୍ରାୟ ୫୦ ଜଣ ଜମାକାରୀଙ୍କ ଠାରୁ ପ୍ରାୟ ୮ଲକ୍ଷ ୭୩ହଜାର ହଡ଼ପ କରିଥିବା ଜଣାପଡ଼ିଛି। ତେବେ ତଦନ୍ତ ଚାଲିଥିବାରୁ ଏହାର ପରିଣାମ ଆହୁରି ଅଧିକ ହୋଇପାରେ। ତେବେ ଜବତ ପାସବୁକ୍ ଗୁଡ଼ିକର ଯାଞ୍ଚ ପରେ ଅସଲି କି ନକଲି ଜଣାପଡ଼ିବ ବୋଲି ଆଜି ନାରାୟଣପାଟଣା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ରଘୁନାଥ ମାଝୀ ସୂଚନା ଦେଇଛନ୍ତି।

ଶ୍ରୀ ମାଝୀ ଏହି ଘଟଣା ସହ ଆହୁରି ଏକ ବିସ୍ଫୋରକ ସୂଚନା ଦେଇଛନ୍ତି। ନାରାୟଣପାଟଣା-ଲକ୍ଷ୍ମୀପୁର ରାସ୍ତାରେ କୁନୁ ହିଁ ବାରମ୍ବାର ବିଏସଏନଏଲ କେବୁଲ କାଟୁଥିଲା ଏବଂ ଏନେଇ କୁନୁ ପୁଲିସ ନିକଟରେ ସ୍ବୀକାର କରିଥିବା ଆଇଆଇସି ଶ୍ରୀ ମାଝୀ କହିଛନ୍ତି। ତେବେ ଡାକ ବିଭାଗ ଯଦି ଚାହିଁବେ ତାହାହେଲେ କୁନୁକୁ ରିମାଣ୍ଡରେ ଆଣିବୁ ବୋଲି ସେ କହିଛନ୍ତି। ଡାକ କର୍ମଚାରୀ କୁନୁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ନିଜ ସଂପର୍କୀୟଙ୍କ ଘରେ ଲୁଚି ରହିଥିବା ନେଇ ସ୍ଥାନୀୟ ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ପୁଲିସର ଏକ ଟିମ୍ ଗତ ବୁଧବାର ଦିନ ଉକ୍ତ ଅଞ୍ଚଳରେ ଚଢ଼ଉ କରି କୁନୁକୁ କାବୁ ନାରାୟଣପାଟଣା ଆଣି ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲା।

ତେବେ ଟଙ୍କା ହଡ଼ପ ଘଟଣା ସଂପର୍କରେ କୁନୁଙ୍କୁ ପଚାରିବାରୁ ବ୍ୟବସାୟରେ କ୍ଷତି ହୋଇଥିବା କହିଛନ୍ତି। ଅପରପକ୍ଷରେ ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହେଲା। ହେଲେ ଜମାକାରୀ ସେମାନଙ୍କ ଟଙ୍କା କେବେ ଫେରିପାଇବେ ତାହା ଦେଖିବାକୁ ବାକି ରହିଲା।

ସୂଚନା ଥାଉକି, କୁଲି ମଜୁରି କରି କଷ୍ଟାର୍ଜିତ ଟଙ୍କା ସଂଚୟ କରିବା ଉଦ୍ଦେଶ୍ୟରେ ନାରାୟଣପାଟଣା ଅଞ୍ଚଳର ଅନେକ ଲୋକ ଡାକଘରେ ଆକାଉଣ୍ଟ ଖୋଲି ଟଙ୍କା ଜମା କରିଥିଲେ। ହେଲେ ଆବଶ୍ୟକ ସମୟରେ ଟଙ୍କା ଉଠାଇବା ପାଇଁ ଡାକଘରକୁ ଗଲା ବେଳକୁ ଆକାଉଣ୍ଟରେ ଟଙ୍କା ନଥିବା ଜଣାପଡ଼ିବା ପରେ ହିତାଧିକାରୀଙ୍କ ହୋସ୍ ଉଡ଼ିଯାଇଛି। ଏମିତି ଜଣେ କି ଦି ଜଣ ନୁହଁ ଶତାଧିକ ଜମାକାରୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବା ଜଣାପଡ଼ିଥିଲା। ପ୍ରଥମେ ନାରାୟଣପାଟଣା ବ୍ଲକ୍ ସଦର ମହକୁମା ଉପକଣ୍ଠସ୍ଥ ପାଲାପୁଟ ଗ୍ରାମର ଲାଛି ହୁଇକାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଥିଲା।

 

ସମ୍ବନ୍ଧିତ ଖବର