ନବମରୁ ଯୁକ୍ତ ୨ ପିଲାଙ୍କ ପାଇଁ ‘ସାହିତ୍ୟ ସଂପାନ’

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟର ଜ୍ଞାନ ଆହରଣ ବୃଦ୍ଧି ଗୁରୁତ୍ୱ ଦୃଷ୍ଟିରୁ ନବମରୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ସାହିତ୍ୟ ଚର୍ଚ୍ଚା କାର୍ଯ୍ୟକ୍ରମ ‘ସାହିତ୍ୟ ସଂପାନ’ ଆୟୋଜନ କରାଇବା ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି। ଆସନ୍ତା ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କିତ ପଦକ୍ଷେପ ନେବା ପାଇଁ ଶ୍ରୀ ସାହୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭାଗୀୟ ବିଭିନ୍ନ କାର୍ଯ୍ୟକୁ ନିଷ୍ଠାର ସହ ସଂପାଦନ କରିବାକୁ ଆଜି ପୂର୍ବାହ୍ନରେ ଶ୍ରୀ ସାହୁ ରାଜ୍ୟର ସମସ୍ତ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ସହିତ ଅନୁଷ୍ଠିତ ଏକ ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସମେତ ସମସ୍ତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ବୈଠକରେ କଳାକାରମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ରହିଥିବା ହିତାଧିକାରୀଙ୍କ ନାମ ଚଳିତ ମାସ ଶେଷ ସୁଦ୍ଧା ଶୀଘ୍ର ଚୟନ କରି ବିଭାଗକୁ ପ୍ରେରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯୋଗ୍ୟ ଅଥଚ କୌଣସି କାରଣରୁ ସିଟିଏମ୍‌ଏସ୍‌ରେ ନାମ ପଞ୍ଜୀକରଣ କରିପାରି ନ ଥିବା ନୂଆ ସାଂସ୍କୃତିକ ଦଳମାନଙ୍କର ପଞ୍ଜୀକରଣ ମାର୍ଚ୍ଚ ୧ ରୁ ୩୧ ତାରିଖ ମଧ୍ୟରେ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି ।

ବିଭିନ୍ନ ଜିଲ୍ଲାରେ ନିର୍ମାଣାଧୀନ ସଂସ୍କୃତି ଭବନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ୭ ଦିନରେ ଥରେ ସଂସ୍କୃତି ଅଧିକାରୀମାନେ ନିର୍ମାଣସ୍ଥଳ ପରିଦର୍ଶନ କରିବା, ରାଜ୍ୟରେ ଥିବା ୨୧୭ଟି ସୁରକ୍ଷିତ ଐତିହ୍ୟ କୀର୍ତ୍ତିରାଜିକୁ ପରିଦର୍ଶନ କରି ଏହାର ଅଧିକ ସୁରକ୍ଷା ଓ ସୌନ୍ଦର୍ଯ୍ୟୀକରଣ ପାଇଁ ଆବଶ୍ୟକତା ସଂପର୍କରେ ପ୍ରସ୍ତାବ ଦେବା, ବିଭିନ୍ନ ପାଠାଗାରରେ ପୁସ୍ତକ ପହଞ୍ଚିଛି କି ନାହିଁ ଅନୁଧ୍ୟାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନିଷ୍ପତ୍ତି ହୋଇସାରିଥିବା ବିଭିନ୍ନ ଜିଲ୍ଲାରେ ସ୍ଥାପିତ ହେବାକୁ ଥିବା ମହାପୁରୁଷ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଶୀଘ୍ର ସ୍ଥାନ ନିରୂପଣ କରାଯିବା, ଜିଲ୍ଲାଗୁଡ଼ିକରେ ଥିବା ବରପୁତ୍ରମାନଙ୍କର ଜୟନ୍ତୀ ବା ଶ୍ରାଦ୍ଧୋତ୍ସବରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା, ମନ୍ମଥ-ମନୋଜ (ବାଲେଶ୍ୱର ଜିଲ୍ଲା) ସ୍ମାରକୀ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ନିୟମିତ ବୈଠକ କରାଯିବା, ଐତିହ୍ୟ ଗ୍ରାମ ଭାବେ ବିକଶିତ କରାଯାଉଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ‘ସୁଆଣ୍ଡୋ’ ଗ୍ରାମ ପରିଦର୍ଶନ କରି ଏହାର ବିକାଶ କାର୍ଯ୍ୟକୁ ତଦାରଖ କରାଯିବାକୁ ସଂପୃକ୍ତ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆହୁରି ମଧ୍ୟ ଜିଲ୍ଲାରେ ପରିବେଷଣ କରାଯିବାକୁ ଥିବା କର ମୁକ୍ତ ମାଲେରିଆ ନିରାକରଣ ସଚେତନତା ଧର୍ମୀ ଚଳଚିତ୍ର ‘ଦମନ’କୁ ସରକାରୀ କାର୍ଯ୍ୟ ନିର୍ଘଣ୍ଟ ସମୟ ବ୍ୟତିରେକ ପ୍ରଦର୍ଶନ ବ୍ୟବସ୍ଥା କରାଯିବା ଆଦି ସଂପର୍କରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନେବା ସଂପର୍କରେ ବୈଠକରେ ପରାମର୍ଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର