ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ: ବିଜେଡି ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବା ଚକ୍କର୍‌ରେ କଂଗ୍ରେସ

ପାଟପୁର/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ସାନମେଖୁଣ୍ଡିକୁ ଦଲଖ କରିଛି କଂଗ୍ରେସ। ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ଭାବେ ପରିଚିତ ତଥଶ ବର୍ତ୍ତମାନର ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ସାନମେଖୁଣ୍ଡି ବିଧାୟକ ଭାବେ ଦ୍ବିତୀୟ ଥର ନିର୍ବାଚିତ ହୋଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ସେ ତାଙ୍କର କ୍ଷେତ୍ର ମଜଭୁତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସେପଟେ ବିଜେଡି କିପରି ଏହି ନିର୍ବାଚନମଣ୍ଡଳୀକୁ ଦ୍ବିତୀୟ ଥର କବ୍‌ଜା କରିବା ସେ ନେଇ ରଣନୀତି ପ୍ରସ୍ତୁତ କରୁଛି। ହେଲେ ସାନଖେମୁଣ୍ଡି ବିଜେଡିରେ ଦେଖା ଦେଇଥିବା ଗୋଷ୍ଠୀକନ୍ଦଳ ଏଥିରେ ବାଧା ସୃଷ୍ଟି କରିପାରେ ବୋଲି ଆଲୋଚନା ହେଉଛି। ସାନଖେମୁଣ୍ଡି ବ୍ଲକ୍‌ ବିଜେଡିର ଜଣେ ପରେ ଜଣେ କର୍ମକର୍ତ୍ତା ନିଜର ଦାୟିତ୍ବରୁ ଓହରି ଯାଉଛନ୍ତି। ଏଣୁ କଂଗ୍ରେସ ଏଭଳି ସ୍ଥିତିର ଫାଇଦା ଉଠାଇ ପାରେ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନୀବନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ୧୫ ତାରିଖରେ ସାନଖେମୁଣ୍ଡି ବ୍ଲକ୍‌ ବିଜେଡି ସଭାପତି ନୀଳମାଧବ ରାଉତଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରାଯାଇଥିଲା। ଏହାପରେ ଗତ ୨୦ତାରିଖରେ ସାନଖେମୁଣ୍ଡିର ବିଜେଡି ନେତାଙ୍କୁ ନେଇ ଧରାକୋଟ ରାଜବାଟୀରେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ତତ୍ତ୍ବାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ କର୍ମୀମାନଙ୍କ ସହମତିରେ ବିଜେଡି ନେତା ସଂଜୟ ରାଉତଙ୍କୁ ସାନଖେମୁଣ୍ଡି ବ୍ଲକ୍‌ ବିଜେଡି ନୂତନ ସଭାପତି କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଏହାର ଦୁଇଦିନ ପରେ ବ୍ଲକ୍‌ ବିଜେଡିର ସାଧାରଣ ସମ୍ପାଦକ ଅମିନ ପ୍ରଧାନ ନିଜ ପଦବିରୁ ଇସ୍ତଫା ଦେଇଥିବା ନେଇ ଜିଲ୍ଲା ସଭାପତିଙ୍କ ନିକଟକୁ ଚିଠି ପଠାଇଥିଲେ। ଏହାର ଦିନକ ପରେ ବ୍ଲକ୍‌ ବିଜେଡି ଉପସଭାପତି ପଦରୁ ଏରେଣ୍ଡ୍ରା ପଞ୍ଚାୟତର ସରପଞ୍ଚ ଧୋବା ସ୍ୱାଇଁ ମଧ୍ୟ ନିଜ ପଦବିରୁ ଇସ୍ତଫା ଦେଇଥିଲେ।

ସେହିଭଳି ଏରେଣ୍ଡ୍ରା ଗ୍ରାମର ଛାତ୍ରନେତା ଧୀରେନ୍‌ କୁମାର ରଣା ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ପଦବିରୁ ଇସ୍ତଫା ଦେଇଛନ୍ତି। ଜଣେ ପରେ ଜଣେ କର୍ମକର୍ତ୍ତା ଇସ୍ତଫା ଦେବା ଘଟଣାରୁ ସ୍ପଷ୍ଟ ହେଉଛି ଯେ, ବ୍ଲକ୍‌ ସଭାପତି ଚୟନକୁ ନେଇ ବିଜେଡିରେ ଫାଟ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି, ସାନମେଖୁଣ୍ଡି ବ୍ଲକ୍‌ର ଯେଉଁ କର୍ମକର୍ତ୍ତା ତାଙ୍କ ପଦବିରୁ ଇସ୍ତଫା ଦେଇଛନ୍ତି, ସେମାନଙ୍କୁ ବୁଝାଶୁଝା କରାଯାଇଛି। ସେମାନଙ୍କ ଅଭିଯୋଗ ଶୁଣି ସମସ୍ୟା ସମାଧାନ କରିବା ପାଇଁ ଉଦ୍ୟମ ଚାଲିଛି। ସେମାନେ ଦଳରେ ଅଛନ୍ତି। ଖୁବ୍‌ଶ୍ରୀଘ ସମସ୍ୟା ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୦୦୯ରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ଗଠନ ହୋଇଥିଲା ଓ ସେହି ନିର୍ବାଚନରେ କଂଗ୍ରେସରୁ ରମେଶ ଚନ୍ଦ୍ର ଜେନା ବିଜୟୀ ହୋଇଥିଲେ। ୨୦୧୪ରେ ଧରାକୋଟ ରାଣୀସାହେବା ନନ୍ଦିନୀ ଦେବୀ ବିଜେଡି ଟିକଟରେ ଲଢ଼ି ରମେଶ ଜେନାଙ୍କୁ ପରାସ୍ତ କରି ବିଧାୟିକା ହୋଇଥିଲେ। କିନ୍ତୁ ୨୦୧୯ରେ ବିଜେଡିରେ କନ୍ଦଳ ଓ ବିଶ୍ବାସଘାତ ଯୋଗୁଁ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଜେନା ଦ୍ବିତୀୟ ଥର ବିପୁଳ ଜନସମର୍ଥନ ପାଇ ବିଜୟୀ ହୋଇଥିଲେ। ୨୦୨୪ ନିର୍ବାଚନ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବା ସମ୍ଭାବନା ରହିଛି। ମୁଖ୍ୟତଃ କଂଗ୍ରେସ ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି। ସେପଟେ ବିଜେପି ମଧ୍ୟ ଏଥର ପୂରା ଦମ୍‌ ଲଗାଇବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର