ଛାତ୍ର ସାଜିଛନ୍ତି ପରୀକ୍ଷା ନିରୀକ୍ଷକ: ଏନ୍‌ସି କଲେଜରେ ଅବ୍ୟବସ୍ଥା

ଘଟଣାର ଯାଞ୍ଚ କରାଯିବ: ଅଧ୍ୟକ୍ଷ

ଯାଜପୁରସଦର: ପରୀକ୍ଷାକେନ୍ଦ୍ରରେ ନିରୀକ୍ଷକ ସାଜିଛନ୍ତି କଲେଜ ଛାତ୍ର। ନିଜେ ଯେଉଁ ହଲ୍‌ରେ ବସି ପରୀକ୍ଷା ଦେଉଛନ୍ତି, ସେହି ହଲ୍‌ରେ ନିଜେ ନିରୀକ୍ଷକ ଭାବେ ପରିଚାଳନା କରୁଛନ୍ତି। ସାଧାରଣତଃ ପରୀକ୍ଷା ସମୟରେ ହଲ୍‌ରେ କୌଣସି ଶିକ୍ଷକ କିମ୍ବା ଅଧ୍ୟାପକ ଏହି ଦାୟିତ୍ବ ତୁଲାଇଥାନ୍ତି। ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ଛାତ୍ରମାନେ ନିରୀକ୍ଷକ ସାଜିଥିବା ଦୃଶ୍ୟ ଏବେ ସାମ୍‌ନାକୁ ଆସିବା ପରେ ଉଚ୍ଚଶିକ୍ଷାରେ ଅବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଜି ଏନ୍‌ସି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଛାତ୍ରଛାତ୍ରୀଙ୍କ ଚତୁର୍ଥ ସେମିଷ୍ଟାରର ଇଣ୍ଟରନାଲ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ଅଧ୍ୟାପକ ବଦଳରେ କଲେଜର କିଛି ଛାତ୍ର ପରୀକ୍ଷା ହଲ୍‌ରେ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ଗୋଟିଏ ହଲ୍‌ରେ ଜଣେ କଲେଜ ୟୁନିଫର୍ମ ପିନ୍ଧିଥିବା ଛାତ୍ର ବାଣିଜ୍ୟ ବିଭାଗର ପରୀକ୍ଷା ପରିଚାଳନା, ପ୍ରଶ୍ନପତ୍ର ବଣ୍ଟନ କରୁଥିଲେ। ଅନ୍ୟ ଏକ ହଲ୍‌ରେ ଜଣେ ବିନା କଲେଜ ୟୁନିଫର୍ମରେ ରହିଥିବା ଛାତ୍ର ପରୀକ୍ଷା ହଲ୍‌ ଜଗିଥିବାର ଦେଖିବାକୁ ମିଳିଥିଲା। ଅଧ୍ୟାପକ ‌ପରୀକ୍ଷା ହଲ୍‌କୁ ଯାଇ ସେହି ଛାତ୍ରମାନଙ୍କ ସହ ଆଲୋଚନା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଜିଲ୍ଲାର ଏକ ପ୍ରତିଷ୍ଠିତ ସ୍ବୟଂଶାସିତ ଶିକ୍ଷାନୁଷ୍ଠାନରେ ଏପରି ପରୀକ୍ଷା ପରିଚାଳନା ବ୍ୟବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ, ଏନେଇ ପରୀକ୍ଷାର୍ଥୀ କିମ୍ବା ଅଧ୍ୟାପକକୌଣସି ପ୍ରତିକ୍ରିୟା ଦେବାକୁ ଚାହିଁନାହାନ୍ତି।

କଲେଜର ପୁରାତନ ଛାତ୍ର ତରୁଣ କୁମାର ନନ୍ଦ କହିଛନ୍ତି, କେବଳ ମାଳମାଳ କୋଠା ନିର୍ମାଣ ହେଉଛି। ଏଣେ ଅଧ୍ୟାପକ ଅଭାବରୁ ଏପରି ଅବ୍ୟବସ୍ଥା ଦେଖାଯାଉଛି। ସେ ମଧ୍ୟ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ସମ୍ପର୍କରେ କଲେଜର ଅଧ୍ୟକ୍ଷ ରଂଜନ ବେହେରା କହିଛନ୍ତି, ଏପରି ଘଟଣା ଆଦୌ ଗ୍ରହଣୀୟ ନୁହେଁ। ଏହାର ଯାଞ୍ଚ କରାଯିବ ଏବଂ ତ୍ରୁଟି କରିଥିବା ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯିବ।

ସମ୍ବନ୍ଧିତ ଖବର