୧୪ରୁ ଦୂରଦର୍ଶନରେ ‘ସ୍ବରାଜ’ ଧାରାବାହିକ

୭୫ ଅଧ୍ୟାୟ ବିଶିଷ୍ଟ ହେବ

ଭୁବନେଶ୍ବର : ‘ସ୍ୱରାଜ –ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା’। ୭୫ ଅଧ୍ୟାୟ ବିଶିଷ୍ଟ ଏହି ଧାରାବାହିକ ଦୂରଦର୍ଶନର ଡିଡି ନାସନାଲ ଚାନେଲରେ ୧୪ ଅଗଷ୍ଟ ଠାରୁ ପ୍ରସାରିତ ହେବ। ପ୍ରତି ରବିବାର ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ଏହା ପ୍ରଦର୍ଶିତ ହେବ । ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ ବଳିଦାନ ବିଷୟରେ ଅନେକ ଆଲୋଚିତ ଓ ଅନାଲୋଚିତ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଧାରାବାହିକ। ଏହାକୁ ନଅଟି ଆଞ୍ଚଳିକ ଭାଷା ଏବଂ ଇଂରାଜୀରେ ଡବିଂ କରାଯାଉଛି ।

ଆଞ୍ଚଳିକ ଭାଷାରେ ଧାରାବାହିକର ପ୍ରସାରଣ ଅଗଷ୍ଟ ୨୦ ରୁ ରାତି ୯ଟାରୁ ୧୦ଟା ମଧ୍ୟରେ ଦୂରଦର୍ଶନର ଆଞ୍ଚଳିକ ଚାନେଲରେ କରାଯିବ। ଏହି ସବୁ ଭାଷା ହେଲା ତାମିଲ, ତେଲୁଗୁ, କନ୍ନଡ଼, ମାଲାୟଲମ, ମରାଠୀ, ଗୁଜରାଟୀ, ଓଡ଼ିଆ, ବଙ୍ଗଳା ଏବଂ ଅହମୀୟା। ଏହାକୁ ଅଗଷ୍ଟ ୨୦ ରୁ ଆକାଶବାଣୀର ବିଭିନ୍ନ କେନ୍ଦ୍ର ଦ୍ବାରା ପ୍ରତ୍ୟେକ ଶନିବାର ଦିନ ୧୧ଟାରୁ ମଧ୍ୟ ପ୍ରସାରଣ କରାଯିବ। ଏହି ଧାରାବାହିକର ଆରମ୍ଭ ସେହି ସମୟରୁ ହୋଇଛି ଯେତେବେଳେ ୧୪୯୮ରେ ଭାସ୍କୋ-ଡା-ଗାମା ଭାରତ ମାଟିରେ ପାଦ ଥାପିଥିଲେ। ଏହାପରେ ପର୍ତ୍ତୁଗାଲ, ଫରାସୀ, ଡଚ ଏବଂ ଇଂରେଜମାନେ ଭାରତରେ ଉପନିବେଶ ପ୍ରତିଷ୍ଠା କରିବା ଲାଗି ପ୍ରୟାସ କରିଥିଲେ । ସେ ସମୟ ଠାରୁ ଆରମ୍ଭ କରି ଭାରତ ସ୍ୱାଧୀନ ହେବା ପର୍ଯ୍ୟନ୍ତ ସମୟର ସଂଘର୍ଷ ଏବଂ ଆମ ସ୍ୱାଧୀନତାର ନାୟକମାନଙ୍କ ଗୌରବ କଥା ଏ ଧାରାବାହିକରେ ପ୍ରଦର୍ଶିତ ହେବ ।

ସମ୍ବନ୍ଧିତ ଖବର