ଭୁବନେଶ୍ୱର : ସମସ୍ତଙ୍କ ପାଖରେ କୌଣସି ନା କୌଣସି କ୍ଷେତ୍ରରେ ବିସ୍ମୟତା ରହିଛି। ଆମେ ତାକୁ ଖୋଜି ସେହି ଦିଗରେ ବାଟ କଢ଼ାଇବା ଦରକାର। ଏପରି ହେଲେ ସମସ୍ତେ ଜିନିୟସ୍ ହୋଇ ପାରିବେ ବୋଲି ବିସ୍ମୟ ବାଳକ କୌଟିଲ୍ୟ ପଣ୍ଡିତ କହିଛନ୍ତି। ‘ଦ କୌଟିଲ୍ୟ’ ଏ କମ୍ପ୍ଲିଟ୍ ଟ୍ୟୁଟରିଆଲ ସଲ୍ୟୁସନ୍ ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି। ଏହି ଅବସରରେ କୌଟିଲ୍ୟ ଏହାର ବ୍ରୋସିଓର ଉନ୍ମୋଚିତ କରିଥିଲେ। ‘ସମ୍ବାଦ’, ରେଡିଓ ଚକ୍ଲେଟ୍, କନକ ଟିଭି, କେଏମ୍ବିବି, ହେରାଲ୍ଡ ଆଡଭର୍ଟାଇଜିଂ ସହାୟତାରେ ଏହି ଅନୁଷ୍ଠାନର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୂର୍ବତଟ ରେଳବାଇ ଅଡିଟୋରିୟମ୍ ପରିସରରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଅନୁଷ୍ଠାନରୁ ଶତାଧିକ ବିଦ୍ୟାର୍ଥୀଙ୍କ ସମେତ ଅଭିଭାବକ ଉପସ୍ଥିତ ଥିଲେ। ଏହି ଅବସରରେ କୌଟିଲ୍ୟ କୁନି କୁନି ବିଦ୍ୟାର୍ଥୀଙ୍କ ଶତାଧିକ ପ୍ରଶ୍ନର ଉତ୍ତର ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କୌଟିଲ୍ୟଙ୍କ ସହ ଅତିଥି ଭାବରେ ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସିଏଟି(ସେଣ୍ଟ୍ରାଲ ଆଡ୍ମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ) ମେମ୍ବର ଜଷ୍ଟିସ୍ ଅଶୋକ ପଟ୍ଟନାୟକ, ସେଞ୍ଚୁରିଅନ୍ ୟୁନିଭରସିଟି କୁଳପତି ଡ.ହରିବନ୍ଧୁ ପଣ୍ଡା, ରୋଟାରି ଇଣ୍ଟରନ୍ୟାସନାଲ ଡିଜି ଅଜୟ ଅଗ୍ରଓ୍ଵାଲ ପ୍ରମୁଖ ଯୋଗଦେଇଛନ୍ତି। ସମ୍ବାଦ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ର ଡିନ୍ ଓ ଦ କୌଟିଲ୍ୟ ଗ୍ରୁପ୍ ମେଣ୍ଟର୍ ଡ. ଦେବୀତୋଷ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଦ କୌଟିଲ୍ୟ ଗ୍ରୁପ୍ ନିର୍ଦେଶକ ଡ. ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ ଏହି ଅନୁଷ୍ଠାନ ସଂପର୍କରେ ସୂଚନା ଦେଇଥିଲେ। ତିନିଟି ଅଧିବେଶନରେ କୌଟିଲ୍ୟଙ୍କ ସହ ଆଲୋଚନା ହୋଇଥିଲା। ପ୍ରଥମ ଅଧିବେଶନରେ ‘ଷ୍ଟାଣ୍ଡାର୍ଡ ଅଫ୍ ଇଣ୍ଡିଆନ୍ ଏଜୁକେସନ ସିଷ୍ଟମ୍ ଇନ୍ ଗ୍ଲୋବାଲ ପ୍ଲାଟଫର୍ମ’ ବିଷୟରେ ଆଲୋଚନା ହୋଇଥିଲା। ଏହା ଉପରେ ମତ ରଖି ସେ କହିଥିଲେ ବର୍ତମାନର ସରକାରୀ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଜରୁରୀ। ଶିକ୍ଷା ପଦ୍ଧତିରେ ନା ଚାକିରି କରିବା ପାଇଁ, ନା ଜ୍ଞାନ ବଢ଼ାଇବା ପାଇଁ ବ୍ୟବସ୍ଥା ଅଛି। ଶିକ୍ଷା ବ୍ୟବସ୍ଥାରେ କୌଣସି ନିର୍ଦିଷ୍ଟ ଲକ୍ଷ୍ୟ ନାହିଁ। ସେହିଭଳି ଦ୍ୱିତୀୟ ଅଧିବେଶନରେ ‘ଶିକ୍ଷା ବ୍ୟବସ୍ଥାରେ ଗଣମାଧ୍ୟମ ଓ ରାଜନୀତିର ପ୍ରଭାବ’ ଉପରେ ଆଲୋଚନା ହୋଇଥିଲା। ଏଥିରେ ଗଣମାଧ୍ୟମଠାରୁ ରାଜନୀତିର ମାତ୍ରାଧିକ ହସ୍ତକ୍ଷେପ ରହିଥିବା କୌଟିଲ୍ୟ ମତବ୍ୟକ୍ତ କରିଥିଲେ। ପରବର୍ତୀ ଅଧିବେଶନରେ ଶିକ୍ଷାନୁଷ୍ଠାନରେ ବାଳିକାମାନଙ୍କର ସୁରକ୍ଷା ଉପରେ ରହିଥିଲା। ଏହାକୁ ନେଇ କୌଟିଲ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଅଧିକାଂଶ ଉତ୍ପୀଡ଼ନ ଶିକ୍ଷାନୁଷ୍ଠାନ ଭିତରେ ହେଉଥିବା ସେ ଅନୁମାନ କରିଥିଲେ। ଆଗକୁ ସ୍ଥିତି ଜଟିଳ ହେବାକୁ ଯାଉଛି। ଏବେଠାରୁ ଶିକ୍ଷା ବ୍ୟବସ୍ଥାରେ ବାଳିକାମାନଙ୍କ ସୁରକ୍ଷା ପାଇଁ ବାଧ୍ୟତାମୂଳକ ବ୍ୟବସ୍ଥା ହେବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ଶେଷ ପର୍ଯ୍ୟାୟରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନର ସେ ଉତ୍ତର ରଖିଥିଲେ। କୁନି କୁନି ପିଲା ପ୍ରଶ୍ନ ପଚାରି ପଚାରି ଥକି ଯାଇଥିଲେ ସିନା ବିସ୍ମୟ ବାଳକ କୌଟିଲ୍ୟ ଥକି ନଥିଲେ। କୌଟିଲ୍ୟ ଗ୍ରୁପ୍ ଏକାଡେମିକ୍ କୋଅର୍ଡିନେଟର ଅଭିଷେକ ଜେନା ଧନ୍ୟବାଦ ଅର୍ପଣ କରିଛନ୍ତି।