ଭଞ୍ଜନଗର : ବଢ଼ିବାରେ ଲାଗିଛି ରକ୍ତଶିକୁଳି ତଥା ସିକ୍ଲସେଲ୍ ରୋଗୀଙ୍କ ସଂଖ୍ୟା। ଏହା ଏକ ବଂଶଗତ ରୋଗ। କ୍ରମାଗତ ଭାବେ ଗତ କିଛିବର୍ଷ ଧରି ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣରେ ବୃଦ୍ଧି ପାଇବାରେ ଲାଗିଛି। ନିୟମିତ ବ୍ୟବଧାନରେ ରକ୍ତଶିକୁଳି, ଥାଲେସେମିଆ ଓ ହିମୋଫୋଲିଆ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ପଡ଼ୁଛି। କିନ୍ତୁ, ସେହି ଅନୁପାତରେ ଶିବିର ମାଧ୍ୟମରେ ରକ୍ତର ଯୋଗାଡ଼ ହୋଇପାରୁନି। ବିଶେଷକରି ଗର୍ଭବତୀ ଏବଂ ଦୁର୍ଘଟଣାରେ ଆହତ ଏଭଳି ଦୁରାରୋଗ୍ୟରେ ପୀଡ଼ିତ ହୋଇଥିଲେ ସେମାନଙ୍କ ପାଇଁ ଆବଶ୍ୟକସ୍ଥଳେ ରକ୍ତ ଯୋଗାଡ଼ ଚିନ୍ତାର କାରଣ ପାଲଟିଛି। ବର୍ତ୍ତମାନ ଶିଶୁମାନେ ମଧ୍ୟ ରକ୍ତଶିକୁଳି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅନେକ ଗ୍ରାମାଞ୍ଚଳରେ ପିଲାମାନେ ରକ୍ତଶିକୁଳି ରୋଗରେ ଆକ୍ରାନ୍ତ ହେଲେ ମଧ୍ୟ ସଚେତନତା ଅଭାବରୁ ସଠିକ୍ ସମୟରେ ଚିକିତ୍ସା ସେବା ପାଇ ପାରୁନଥିବାରୁ ଅକାରଣରେ ଜୀବନ ଚାଲିଯାଉଛି।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର କଥାକୁ ବିଚାରରେ ନେଲେ, ଏଠାରେ ଗତ ୭ ବର୍ଷ ମଧ୍ୟରେ ୯୧୭ ଜଣ ରକ୍ତଶିକୁଳି ରୋଗୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ୨୦୧୬ରୁ ଅକ୍ଟୋବର ୨୦୧୮ ମସିହା ପର୍ଯ୍ୟନ୍ତ ଡାକ୍ତରଖାନାରେ ୨୭୫ ଜଣ ରକ୍ତଶିକୁଳି ରୋଗୀ, ୮ ଜଣ ଥାଲାସେମିଆ ଏବଂ ଜଣେ ହେମୋଫୋଲିଆ ରୋଗୀ ପଞ୍ଜୀକୃତ ହୋଇଥିଲେ। ନଭେମ୍ବର ୨୦୧୮ରୁ ୨୦୧୯ ମଧ୍ୟରେ ୫୦୨ ଜଣ ରକ୍ତଶିକୁଳି, ୮ ଜଣ ଥାଲାସେମିଆ ଏବଂ ୨ଜଣ ହେମୋଫୋଲିଆ ରୋଗୀ ପଞ୍ଜୀକୃତ ହୋଇଥିଲେ।
ତେବେ କୋଭିଡ୍ ସମୟରେ ଏହି ସଂଖ୍ୟା ହ୍ରାସ ପାଇଥିଲା। ୨୦୨୦ ରେ ୭ ଜଣ ରକ୍ତଶିକୁଳି ରୋଗୀ, ଥାଲାସେମିଆ ଓ ହେମୋଫୋଲିଆରେ ଆକ୍ରାନ୍ତ ୨ଜଣ ଲେଖାଏଁ ରୋଗୀ ନାମ ପଞ୍ଜୀକରଣ କରିଥିଲେ। ୨୦୨୧ରେ ୨୩ ଜଣ ରକ୍ତଶିକୁଳି, ୫ ଜଣ ଥାଲାସେମିଆ ଏବଂ ୨୦୨୨ରେ ୪୯ ଜଣ ରକ୍ତଶିକୁଳି ରୋଗୀ, ୨ଜଣ ଥାଲାସେମିଆ ଓ ଜଣେ ହେମୋଫୋଲିଆ ରୋଗୀ ପଞ୍ଜୀକୃତ ହୋଥିଲେ। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୨୮ଜଣ ରକ୍ତଶିକୁଳି ରୋଗୀ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି।
ଉକ୍ତ ରୋଗରେ ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଇଲୋକ୍ଟ୍ ରୋଫରେସିସ୍ ଯନ୍ତ୍ରରେ ଏଚପି ଏଲ୍ସି ପରୀକ୍ଷା କରିବା ଜରୁରୀ ହୋଇଥାଏ। ପୂର୍ବରୁ ବ୍ରହ୍ମପୁର ଠାରେ ଏହି ପରୀକ୍ଷା କରାଯାଉଥିବା ବେଳେ ଗତ ୫ ମାସ ହେଲା ଭଞ୍ଜନଗର ମେଡିକାଲ୍ରେ ମଧ୍ୟ କାର୍ଯ୍ୟକାରୀ ହୋଇଥିବା ବେଳେ ପଞ୍ଜୀକୃତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ତେବେ, ଏହି ବଂଶଗତ ରୋଗର ନିରାକରଣ ଓ ଚିକିତ୍ସା ପାଇଁ ସରକାର ବହୁ ପଦକ୍ଷେପ ନେଲେ ମଧ୍ୟ ଗ୍ରାମାଞ୍ଚଳରେ ଅଧିକ ସଚେତନତାର ଆବଶ୍ୟକତା ରହିଛି। ରକ୍ତଶିକୁଳି ରୋଗ ହେଲେ ରକ୍ତରେ କଣିକା ଗୁଡିକର ବୃଦ୍ଧି ଘଟେ ନାହିଁ। ଯାହାଫଳରେ ନିଃଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ସୃଷ୍ଟି ହେବା ସହ ରକ୍ତହୀନତା ଦେଖାଦିଏ। ଅନେକସମୟରେ ମେଡିସିନ୍ ଦ୍ବାରା ଚିକିତ୍ସା କରାଯାଉଥିବା ବେଳେ ଗୁରୁତର ହେଲେ ରକ୍ତ ନିୟମିତ ବ୍ୟବଧାନରେ ଦେବାକୁ ପଡ଼େ। ବିଶେଷକରି ରକ୍ତଶିକୁଳି ସାଙ୍ଗକୁ ଥାଲାସେମିଆ ଓ ହିମୋଫୋଲିଆ ଆକ୍ରାନ୍ତ ରୋଗୀମାନଙ୍କ ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଉକ୍ତ ରୋଗରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ ରୋଗୀଙ୍କ ପଞ୍ଜୀକରଣ କରିବା ସହ ସେମାନଙ୍କୁ ମାସିକ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନିୟମିତ ନଜର ରଖିବା ପାଇଁ ଡାକ୍ତରଙ୍କ ପରମର୍ଶ ମଧ୍ୟ ଦିଆଯାଉଛି। କିନ୍ତୁ ସଚେତନ ଅଭାବରୁ ଅନେକ ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଏହି ସେବାରୁ ବଞ୍ଚିତ ରହୁଛନ୍ତି।