ବଦଳିବ ରାଜଧାନୀ କଲେଜ ଚେହେରା

ଖଣ୍ଡଗିରି: ରାଜଧାନୀ ଡିଗ୍ରି କଲେଜର ଉନ୍ନତୀକରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂତନ ନାମଫଳକ ସମେତ ଛାତ୍ରାବାସ ଓ କ୍ୟା‌ମ୍ପସ ଆଲୋକୀକରଣ ପାଇଁ ୭ ଲକ୍ଷ ୮୩ ହଜାର ୬୦୦ ଟଙ୍କା ମଞ୍ଜୁର ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ହେବାକୁ ଥିବା ଏହି କାର୍ଯ୍ୟ ଭୁବନେଶ୍ବରର ଆର୍‌ ଆଣ୍ଡ୍‌ ବି ଡିଭିଜନ୍‌-୩ କରିବ। ମହାବିଦ୍ୟାଳୟରେ ଥିବା ଛାତ୍ରାବାସରେ ଏଲ୍ଇଡି ଲାଇଟ୍‌ ପାଇଁ ୪ ଲକ୍ଷ ୯୯ ହଜାର ୩୦୦ ଟଙ୍କା ଏବଂ ମହାବିଦ୍ୟାଳୟର ଲାଇଟିଂ ହେଉଥିବା ସାଇନ୍‌ ବୋର୍ଡ ବାବଦରେ ୨ ଲକ୍ଷ ୮୪ ହଜାର ୩୦୦ ଟଙ୍କା ଖର୍ଚ୍ଚ ହେବ। ୩.୬X୧୬ ଫିଟ୍‌ର ଏହି ବୋର୍ଡରେ ଓଡ଼ିଆ ଓ ଇଂରାଜୀ ଅକ୍ଷରରେ ନାମଫଳକ ରହିବ। ନିୟମ ଅନୁଯାୟୀ, ସମସ୍ତ କାମ କରାଯିବ। ଧାର୍ଯ୍ୟ ସମୟରେ କିଭଳି କାର୍ଯ୍ୟ ଶେଷ ହେବ, ଡିଭିଜନ୍‌ କର୍ତ୍ତୃପକ୍ଷ ସେଥିପ୍ରତି ଗୁରୁତ୍ବ ଦେବେ। ଶାରୀରିକ ଓ ଆର୍ଥିକ ‌ବିକାଶ ରିପୋର୍ଟ ନିୟମିତ ଭାବେ ଉଚ୍ଚଶିକ୍ଷା ବିଭାଗ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ କାମ ପାଇଁ ଅର୍ଥ ଦିଆଯାଇଛି, ତାହା ଯେପରି ଆଉ କୌଣସି କାର୍ଯ୍ୟରେ ବ୍ୟବହାର ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ବିଭାଗ ପକ୍ଷରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

ନାମଫଳକ ଲାଗିବ, ଆଲୋକୀକରଣ ହେବ

ନୂତନ ବିଲ୍‌ଡିଂ ପାଇଁ ଅର୍ଥ ଅନୁମୋଦନ

ସେହିପରି ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦେଖି ଯୁକ୍ତ୨, ସ୍ନାତକ(ୟୁଜି) ପରେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ଏକାଧିକ ବିଭାଗ ଏଠାରେ ଖୋଲାଯାଇଛି। ମହାବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ୩ହଜାର ୧୩୬ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ସମସ୍ୟ‌ା ସୃଷ୍ଟି ହେଉଛି। ତାହାକୁ ନଜରରେ ରଖି ବର୍ତ୍ତମାନ ନୂଆ ବିଲ୍‌ଡିଂ କାମ ପାଇଁ ୩୭ କୋଟି ଟଙ୍କା ଅନୁମୋଦିତ ହୋଇଛି। ଟେଣ୍ଡର୍‌ ହେବା ପ‌ରେ ଏହାର କାମ ଆରମ୍ଭ ହେବ। ମହାବିଦ୍ୟାଳୟ ଅତି ନିକଟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ରହିଥିବାରୁ ବିଲଡିଂକୁ ଅଧିକ ମହଲା ବିଶିଷ୍ଟ କରା ନ ଯାଇ ଗ୍ରାଉଣ୍ଡ୍‌ ଫ୍ଲୋର୍‌ ସହ ଆ‌ଉ ଦୁଇ ମହଲା ତିଆରି କରାଯିବ। ୧୫ ଏକର ଜମିରୁ ୬ ଏକର ବ୍ୟବହାର ‌ହୋଇଥିବା ବେଳେ ବାକି ଖାଲି ସ୍ଥାନରେ ଏହି ନୂତନ ଅଟ୍ଟାଳିକା‌ ନିର୍ମାଣ ହେବ।

ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଅରୁଣ କୁମାର ସାମଲ କହିଛନ୍ତି, ସ୍ନାତକରେ ୫ଟି ଓ ସ୍ନାତକୋତ୍ତରରେ ୧୩ଟି ନୂତନ ବିଭାଗ ଖୋଲିଛି। ଶ୍ରେଣୀଗୃହ ଅଭାବ ଦୂର ପାଇଁ ସରକାରଙ୍କୁ ଜଣାଇବା ପରେ ଏବେ ପ୍ରାରମ୍ଭିକ ସ୍ତ‌ରରେ ଗୋଟିଏ ନୂତନ ଏକାଡେମିକ ବ୍ଲକ ନିର୍ମାଣ ପାଇଁ ୩୭କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଆର୍‌ ଆଣ୍ଡ୍‌ ବି ଖୁବ୍‌ଶୀଘ୍ର କାମ ଆରମ୍ଭ କରିବ। ଆଗାମୀ ଦିନରେ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଆଶା। ଅନ୍ୟ ସ୍ଥାନରେ ଆବଶ୍ୟକ ହେଉଥିବା କାମ ପାଇଁ ସରକା‌ରଙ୍କ ପକ୍ଷରୁ ଏବେ ଅର୍ଥ ଅନୁମୋଦନ ହୋଇଛି।

କଲେଜ ନାମ ପରିବର୍ତ୍ତନ ହେଉ

ଭୁବନେଶ୍ବରରେ ସରକାରୀ ମହାବିଦ୍ୟାଳୟ ସଂଖ୍ୟା ହାତଗଣତି ରହିଥିବା ‌ବେଳେ ସେଥିମଧ୍ୟରୁ ରାଜଧାନୀ ମହାବିଦ୍ୟାଳୟ ଅନ୍ୟତମ। ତେଣୁ ୟୁପିଏସ୍‌ସି, ଓପିଏସ୍‌ସି ଭଳି ବଡ଼ ବଡ଼ ନିଯୁକ୍ତିମୂଳକ ପରୀକ୍ଷା ଏବେ ଏହି ମହାବିଦ୍ୟାଳୟରେ ହେଉଛି। ତେବେ ରାଜଧାନୀ ନାମରେ ଅନ୍ୟ ଏକ ବେସରକାରୀ ଇଞ୍ଜିନିୟରିଂ କଲେଜ ଥିବାରୁ ଅନେକ ସମୟରେ ଛାତ୍ରଛାତ୍ରୀ ଭୁଲ୍‌ରେ ସେଠାକୁ ଯିବା ସହ ପରୀକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି। ବେ‌ଳେ‌ବେ‌ଳେ ପରୀକ୍ଷାକୁ ଆସିବା ପୂର୍ବରୁ ସେଣ୍ଟର୍‌ରୁ ଫେରିବାକୁ ହେଉଛି। ଏଭଳି ବିଭ୍ରାନ୍ତିକୁ ଦୂର କରିବା ପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ରାଜଧାନୀ ମହାବିଦ୍ୟାଳୟ ବଦଳରେ ରାଜଧାନୀ ସରକାରୀ ମହାବିଦ୍ୟାଳୟ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ଦିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର