ଭୁବନେଶ୍ବର : ବିପଜ୍ଜନକ ହେଲାଣି ମସ୍ତିଷ୍କାଘାତ। ଯୁବରୁ ବୟସ୍କ ଯେ କୌଣସି ବର୍ଗର ଲୋକଙ୍କୁ ଅଚାନକ ଆକ୍ରମଣ କରିଦେଉଛି ଏହି ରୋଗ। ଏଥିଯୋଗୁଁ କିଏ ବିକଳାଙ୍ଗ ହୋଇ ପଡ଼ୁଛନ୍ତି ତ ଆଉ କାହାର ଅସମୟରେ ମୃତ୍ୟୁ ହୋଇ ଯାଉଛି। ଅଚାନକ ଜଣେ ବ୍ୟକ୍ତି ମସ୍ତିଷ୍କାଘାତର ଶିକାର ହେଲେ, କିନ୍ତୁ ଲକ୍ଷଣ ଜାଣିନପାରିବାରୁ ରୋଗ ଗୁରୁତର ହୋଇପଡ଼ିଲା। ଏପରିକି ରାଜ୍ୟରେ ବାର୍ଷିକ ହାରାହାରି ୨୨୫୯ ଏଥିଯୋଗୁଁ ଭିନ୍ନକ୍ଷମ ହେବା ଭଳି ଚିନ୍ତାଜନକ ତଥ୍ୟ ରହିଛି। ଯାହାକି ଜାତୀୟ ହାର ୧୨୪୩ଠାରୁ ଅଧିକ ଅଟେ। ଏଥିପାଇଁ ଅକ୍ଟୋବର ୨୯ ତାରିଖ ବିଶ୍ବ ମସ୍ତିଷ୍କାଘାତ ଦିବସ ଅବସରରେ ଏମ୍ସରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ।
୨୦୧୬ ମସିହାର ଏକ ଗବେଷଣା ଅନୁସାରେ ମସ୍ତିଷ୍କାଘାତ ଦେଶରେ ସର୍ବାଧିକ ମୃତ୍ୟୁର ଚତୁର୍ଥ କାରଣ ଏବଂ ବିକଳାଙ୍ଗ ହେବାର ପଞ୍ଚମ କାରଣଟି ଅଟେ। ଏମ୍ସ ମେଡିସିନ ବିଭାଗ ଡାକ୍ତର ଅନୁପମ ଦେଙ୍କ ଅନୁସାରେ ଦୁଇଟି ଭିନ୍ନ କାରଣରୁ ହିଁ ମସ୍ତିଷ୍କାଘାତ ହୁଏ। ଏହା ମସ୍ତିଷ୍କରୁ ଆରମ୍ଭ ହେଲେ ହେଁ ହାତ, ଗୋଡ଼, ପାଟି, କଥାରେ ମଧ୍ୟ ଏହାର ପ୍ରଭାବ ଦେଖାଯାଏ। ଅର୍ଥାତ ହାତ, ଗୋଡ଼ ବା ଶରୀରର ଗୋଟିଏ ପାର୍ଶ୍ବ ଅଚାନକ ଅଚଳ ହୋଇଯାଏ। କିମ୍ବା ଗୋଟିଏ ହାତ ବା ଗୋଡ଼ ସମ୍ପୂର୍ଣ୍ଣ କିମ୍ବା ସାମାନ୍ୟ ବା ଆଂଶିକ ଅଚଳ ବା ଦୁର୍ବଳ ହେବା ଦେଖାଯାଏ। ଦ୍ବିତୀୟତଃ ଆଉ କିଛି ବ୍ୟକ୍ତି ପୂର୍ବରୁ ସ୍ବାଭାବିକ କଥା କହୁଥିଲେ ମଧ୍ୟ ଅଚାନକ ସ୍ପଷ୍ଟ କହୁ ନାହାନ୍ତି ଏବଂ କହିବାରେ କଷ୍ଟ ଅନୁଭବ କରନ୍ତି। ତୃତୀୟତଃ ଅନ୍ୟ କିଛି ଅଛନ୍ତି, ଯେଉଁମାନେ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରନ୍ତି। ଯଥା ଅନ୍ୟର କଥା ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ବା ବୁଝନ୍ତି ନାହିଁ। ଶୋଇ ପଡ଼ନ୍ତି। ଚତୁର୍ଥତଃ ଅଚାନକ ଦୃଷ୍ଟିହୀନତା ବା ଚାଲିବାରେ ନିୟନ୍ତ୍ରଣ ହରାଇବା ମଧ୍ୟ ମସ୍ତିଷ୍କାଘାତର ଲକ୍ଷଣ ଅଟେ। ପଞ୍ଚମରେ ହଠାତ ଏଭଳି ହେବ ଯେ ଶରୀର ଠିକ୍ କିନ୍ତୁ ମୁଣ୍ଡ ବୁଲାଇବା ବା ଏଭଳି ବଥା ହେବ ଯେ ସେ ଚାଲିପାରିବେ ନାହିଁ। ଔଷଧ ଖାଇଲେ ମଧ୍ୟ ସୁସ୍ଥ ହେବେ ନାହିଁ। ତେବେ ଏହାକୁ ମଧ୍ୟ ଗୁରୁତ୍ବର ସହ ନେବା ଉଚିତ। ଏହି ସମୟରେ ରୋଗୀଙ୍କୁ ବାନ୍ତି ମଧ୍ୟ ହୁଏ।
ମସ୍ତିଷ୍କାଘାତ ଶିକାର ଅନେକ ବ୍ୟକ୍ତିଙ୍କ ମୁହଁ ବଙ୍କା ହୋଇଯାଏ। ମସ୍ତିଷ୍କ ଯେହେତୁ ସମ୍ପୂର୍ଣ୍ଣ ଶରୀରକୁ ନିୟନ୍ତ୍ରଣ କରେ, ତେଣୁ ଏହାର ପ୍ରଭାବ ମଧ୍ୟ ଶରୀରର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରେ। ଏଭଳି ଲକ୍ଷଣ ଦେଖାଗଲେ ରୋଗୀ କିମ୍ବା ପରିଜନ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ। ଉଭୟ ଯୁବ ଏବଂ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଏହା ଦେଖାଯାଉଛି। ଉଭୟ ବର୍ଗରେ ମସ୍ତିଷ୍କାଘାତ ହେବାର କାରଣ ଭିନ୍ନ ଅଟେ। ପ୍ରତିବର୍ଷ ଏଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାର ବିଭିନ୍ନ କାରଣ ମଧ୍ୟରେ ମେଦବହୁଳତା, ନିୟନ୍ତ୍ରଣହୀନ ରକ୍ତଚାପ ବା ମଧୁମେହ, ମାତ୍ରାଧିକ ଚର୍ବିଜାତୀୟ ଏବଂ ତୈଳଯୁକ୍ତ ଖାଦ୍ୟ, ଶାରୀରିକ କାର୍ଯ୍ୟ ନକରିବା, ଧୂମପାନ, କିଛି ଔଷଧର ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ଷ୍ଟ୍ରୋକର କାରଣ ଅଟେ। ଶରୀରରେ କୌଣସି ରୋଗ ଥିବ କିମ୍ବା ଜଣାପଡ଼ୁନଥିଲେ ଏହା ମସ୍ତିଷ୍କାଘାତର କାରଣ ହୁଏ। ଏମ୍ସକୁ ପ୍ରତିଦିନ ଅନେକ ସଂଖ୍ୟାରେ ଏହି ରୋଗୀ ଆସୁଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକ ଥିବାରୁ ଟ୍ରମା ଏବଂ ଏମରଜେନ୍ସି ବିଭାଗରେ ଭର୍ତ୍ତି କରାଯାଏ। ବ୍ଲଡ୍ କ୍ଲଟ୍ ହୋଇଯାଇଥିଲେ ତା’ର ନିରାକରଣ ନେଇ ଚିକିତ୍ସା କରାଯାଏ। ପକ୍ଷାଘାତ ହୋଇ ପଡ଼ିଲେ ୱାର୍ଡରେ ଭର୍ତ୍ତି କରାଯାଏ। ତାଙ୍କ ଅବସ୍ଥା ସ୍ଥିର ହେବା ପରେ ପୁନର୍ବାସ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଟେ। ଏମ୍ସର ଫିଜିକାଲ ମେଡିସିନ ପୁନର୍ବାସ ବିଭାଗ ଫିଜିଓଥେରାପି, ସ୍ପିଚ୍ ଥେରାପି ହୁଏ। ରୋଗୀ ପକ୍ଷାଘାତ ହେଲେ ଏକରୁ ଦୁଇ ମାସ ମଧ୍ୟରେ ଅବସ୍ଥାର ଉନ୍ନତି ହୁଏ ତ ଆଉ କାହାର ଲମ୍ବା ସମୟ ଲାଗିଯାଏ। ଏହି ବିପଜ୍ଜନକ ରୋଗର ନିରାକରଣ ନେଇ ଉଭୟ ରୋଗୀ ଏବଂ ପରିଜନଙ୍କୁ ସଚେତନ ହେବାକୁ ଡାକ୍ତର ପରାମର୍ଶ ଦିଅନ୍ତି।