ଆସନ୍ତାକାଲି ‘ସମ୍ବାଦ’ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତିଯୋଗିତା

ଭୁବନେଶ୍ବର: ଆସନ୍ତା ୧୦ ତାରିଖ (ରବିବାର)ରେ ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ଭଳି ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ବ୍ଲକ୍, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ‌ର ସଦର ମହକୁମାରେ ଏହି ପ୍ରତିଯୋଗିତାର ପରୀକ୍ଷା ଆୟୋଜିତ ହେଉଛି। ରବିବାର ସକାଳ ୧୦ଟାରେ ପ୍ରତିଯୋଗିତା ଆରମ୍ଭ ହେବ। ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଭାଗ ନେଇ ପାରିବେ। ଏହି ପ୍ରତିଯୋଗିତାର ସମୟସୀମା ୧ଘଣ୍ଟା ରଖା ଯାଇଛି। ‘ସମ୍ବାଦ-ଆମ ଓଡ଼ିଶା’ ତରଫରୁ ପ୍ରତିଯୋଗୀମାନଙ୍କୁ ଡ୍ରଇଂସିଟ୍ ଯୋଗାଇ ଦିଆଯିବ, ଆବଶ୍ୟକ ରଙ୍ଗ ଓ ପେନସିଲ୍‌ ଆଦି ଛାତ୍ରଛାତ୍ରୀ ନିଜେ ଆଣିବେ। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ହସ୍ତାକ୍ଷର ପ୍ରତିଯୋଗିତାରେ ଭାଗ ନେଇପାରିବେ।

ଏହାର ସମୟସୀମା ୩୦ ମିନିଟ୍‌ ରହିଛି। ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ପାଇଁ ସମୟ ସୀମା ୧ଘଣ୍ଟା ଥିବାବେଳେ ସେଥିରେ ୯ମ ଓ ୧୦ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ। ପରୀକ୍ଷା ସରିବା ପରେ ପରେ ପରୀକ୍ଷା କେନ୍ଦ୍ରରେ ହିଁ ମୂଲ୍ୟାୟନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତି କେନ୍ଦ୍ରରେ ଏହି ତିନିଟି ପ୍ରତିଯୋଗିତାରେ ୧ମ, ୨ୟ, ୩ୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ‌ଯୋଗ୍ୟ ବିବେଚିତ ହେବେ। ତେବେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ପଞ୍ଜୀକରଣ କରିନଥିଲେ ମଧ୍ୟ ଆଗ୍ରହୀ ଛାତ୍ରଛାତ୍ରୀ ନିକଟତମ ପରୀକ୍ଷା କେନ୍ଦ୍ରକୁ ସିଧା ଆସି ପ୍ରତିଯୋଗିତାରେ ଭାଗ ନେଇପାରିବେ।

ସମ୍ବନ୍ଧିତ ଖବର