‘ଡବଲ୍‌ ଇଞ୍ଜିନ୍ ଥିଓରି’: ବାପାଙ୍କ କଥାକୁ କାଟିଲେ ପୁଅ

ବିକାଶ ପାଇଁ ଡବଲ୍‌ ଇଞ୍ଜିନ୍ ସରକାର ଆବଶ୍ୟକ : ଜୟନ୍ତ ସିହ୍ନା

ଭୁବନେଶ୍ବର : ଡବଲ୍‌ ଇଞ୍ଜିନ୍ ଥିଓରି ସଂଘୀୟ ବ୍ୟବସ୍ଥା ପ୍ରତି ବିପଜ୍ଜନକ ବୋଲି ୧୦ ଦିନ ତଳେ ଭୁବନେଶ୍ବରରେ କହିଥ‌ିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୋବନ୍ତ ସିହ୍ନା। ଆଜି ତାଙ୍କ ପୁଅ ତଥା ବର୍ତ୍ତମାନର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ବାପାଙ୍କ କଥାକୁ ରୋକ୍‌ଠୋକ୍ କାଟିଛନ୍ତି। ସେ କହିଛନ୍ତି, ବିକାଶକୁ ତ୍ବରାନ୍ବିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାରକୁ କ୍ଷମତାସୀନ କରିବାକୁ ପଡ଼ିବ। ଝାଡ଼ଖଣ୍ଡରେ ଯେମିତି ଡବଲ୍‌ ଇଞ୍ଜିନ ବେଗରେ ବିକାଶ ହେଉଛି, ଓଡ଼ିଶାରେ ମଧ୍ୟ ବିଜେପି ସରକାର ଆସିଲେ ଦ୍ରୁତ ବିକାଶ ହେବ।

ତାଙ୍କ ବାପା ଭିନ୍ନ ମତ ଦେଇଥିବା ସମ୍ପର୍କରେ ପ୍ରଶ୍ନ ହେବାରୁ ସେ କହିଥିଲେ, ବ୍ୟକ୍ତିଗତ ଭାବେ ସମସ୍ତଙ୍କ ମତ ଭିନ୍ନ ରହିବ। କିନ୍ତୁ ବିକାଶ ପାଇଁ ଡବଲ୍‌ ଇଞ୍ଜିନ ଥିଓରିର ଆଜି ଦିନରେ ପ୍ରାସଙ୍ଗିକତା ରହିଛି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିହ୍ନା କହିଲେ, ଓଡ଼ିଶାର ଆର୍ଥିକ ବିକାଶ ପାଇଁ ବିମାନବନ୍ଦରର ବିକାଶ ଓ ବିମାନ ଚଳାଚଳ ବୃଦ୍ଧିର ଆବଶ୍ୟକତା ରହିଛି। ତାହାକୁ ଦୃଷ୍ଟିରେ ରଖି ମୋଦୀ ସରକାର ଓଡ଼ିଶାରେ ନାଗରିକ ଉଡ଼ାଣ ଯୋଜନାକୁ ପ୍ରାଧାନ୍ୟ ଦେଇଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ସମ୍ପ୍ରସାରଣ ପାଇଁ ଅନେକ ନୂଆ ଯୋଜନା କରାଯାଇଛି। ଅଧିକ ଯାତ୍ରୀଙ୍କ ସୁବିଧା ପାଇଁ ୯୩୫ କୋଟି ଟଙ୍କାର ଏକ ନୂଆ ଟର୍ମିନାଲ ଭୁବନେଶ୍ବର ବିମାନ ବନ୍ଦରରେ ନିର୍ମାଣ ହେବ। ଭୁବନେଶ୍ବର ବିମାନ ବନ୍ଦରର ଆଜିର କ୍ଷମତାରେ ତିନି ଗୁଣ ବୃଦ୍ଧି କରାଯିବ। ଭବିଷ୍ୟତରେ ବିମାନବନ୍ଦରକୁ ଆହୁରି ଆଧୁନିକୀକରଣ କରାଯିବ। ଦେଶର ଅନ୍ୟ ସମସ୍ତ ବିମାନବନ୍ଦର ତୁଳନାରେ ଭୁବନେଶ୍ବର ବିମାନବନ୍ଦରରେ ବିମାନ ସେବାର ଗତି ୪୦ ପ୍ରତିଶତ ଅଧିକ ହାରରେ ବୃଦ୍ଧି ପାଇଛି। ସେହିପରି ଝାରସୁଗୁଡ଼ା ବିମାନବନ୍ଦରରୁ ଏବେ ଦେଶର ପ୍ରମୁଖ ସହର ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଲକାତାକୁ ବିମାନ ସେବା ଆରମ୍ଭ ହେବ। ଏହା ବାଦ୍ ରାଉରକେଲା ଓ ଜୟପୁର ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଜୋର୍‌ସୋର୍ ଚାଲିଛି ଓ ଏହାକୁ ଉଡ଼ାଣ ଯୋଜନାରେ ଖୁବ୍‌ଶୀଘ୍ର ସାମିଲ କରାଯିବ।

ରାଜ୍ୟ ସରକାରଙ୍କୁ ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀ କହିଲେ, କେନ୍ଦ୍ରର ବହୁ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଠାରୁ ସହଯୋଗ ମିଳୁନି। କେଉଁଠି ଜମି ମିଳୁନି ତ କେଉଁଠି ଆବଶ୍ୟକ ଅନୁମତି ମିଳୁନି। ପାରାଦୀପ ରିଫାଇନାରି, ଜାତୀୟ ରାଜପଥ, ରେଳ ପ୍ରକଳ୍ପ ଅଧପନ୍ତରିଆ ଭାବେ ରହିଛି। ଏପରିକି ‌କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ରାଜନୈତିକ ଏଜେଣ୍ଡା ପାଇଁ କାର୍ଯ୍ୟକାରୀ କରାଗଲା ନାହିଁ। ଗରିବ ଲୋକଙ୍କ ପ୍ରତି ନବୀନ ବାବୁଙ୍କ ଦରଦ ନାହିଁ ବୋଲି ପ୍ରମାଣିତ ହୋଇଗଲା। ସେଥି ପାଇଁ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାରର ଆବଶ୍ୟକତା ରହିଛି ବୋଲି ଶ୍ରୀ ସିହ୍ନା କହିଥିଲେ।

ସମ୍ବନ୍ଧିତ ଖବର