ପରିବା ଦର ଆକାଶଛୁଆଁ:ବାଇଗଣ କିଲୋ ୬୦, ଲେମ୍ବୁ ଗୋଟାକୁ ୧୦

ବାରିପଦା: ତେଲ ଲିଟର ୧୮୦, ଡାଲି କେଜି ୧୪୦, ରନ୍ଧନ ଗ୍ୟାସ୍‌ ୧୦୦୦ ଟଙ୍କା ଉପରେ। ମଧ୍ୟବିତ୍ତ ଓ ଗରିବ ପରିବାରଙ୍କୁ ଏହି ଦରଦାମ ଢ଼େର ବାଧୁଛି। ଆଉ ଏବେ ପରିବା ଦର ଆକାଶଛୁଆଁ ହେବାପରେ ଲୋକେ ତ୍ରାହି ତ୍ରାହି ଡାକିଲେଣି। ମୟୂରଭଞ୍ଜରେ ପରିବା ଦର ଉପରେ ଲଗାମ ନାହିଁ। ଜିଲ୍ଲା ସଦର ମହକୁମା ବାରିପଦା ସମେତ ରାଇରଙ୍ଗପୁର, କରଞ୍ଜିଆ, ଠାକୁରମୁଣ୍ଡା, ଉଦଳା, ବାଙ୍ଗିରପୋଷି, ଯଶିପୁରରେ ବିକ୍ରି ହେଉଥିବା ପରିବା ଦରରେ ହାତ ମାରି ହେଉନାହିଁ।

ଆଜି ବାଇଗଣ କେଜି ୬୦ ଟଙ୍କାରେ ବିକ୍ରି ହୋଇଛି। ୨-୩ ଦିନ ପୂର୍ବେ ବାଇଗଣ କେଜି ୩୦ ଟଙ୍କା ଥିଲା ଥିଲାବେଳେ ଆଜି ହଠାତ୍ ୨ ଗୁଣା ଦର ବଢିଛି। ଏ ନେଇ ଆଜି କିଛି ଚାଷୀଙ୍କ ସହ ଆଲୋଚନା ସମୟରେ ପରିବା ଦର ବଢିବାର କାରଣ ସମ୍ପର୍କରେ ଜଣା ପଡ଼ିଥିଲା। ବାଙ୍ଗିରିପୋଷି ଅଞ୍ଚଳର ଚାଷୀ ଦିବାକାର ମହାନ୍ତଙ୍କ କହିବା ଅନୁଯାୟୀ ବାଇଗଣ କେଜି ୩୦ ଟଙ୍କାରେ ବିକ୍ରି କରୁଥିଲି। ଆଜି ବି ବାରିପଦା ପରିବା ବଜାରକୁ ଆସି ବିକ୍ରି କରିବା ସମୟରେ କିଛି ବେପାରୀ ସବୁତକ ବାଇଗଣ ନେବାକୁ କହିଥିଲେ। ହେଲେ ଖାଉଟିଙ୍କୁ ବିକ୍ରି କରିବୁ ବୋଲି କହିବାରୁ ସେମାନେ ନାଲିଆଖି ଦେଖାଇବା ସହ ବାଇଗଣ କେଜି ୬୦ ଟଙ୍କାରେ ବିକ୍ରି କରିବ ବୋଲି କହିଗଲେ। ବାଧ୍ୟ ହୋଇ ସେହି ଦର କଲୁ ହେଲେ ଉଚ୍ଚା ଦର ଶୁଣି ବହୁ ଖାଉଟି ଫେରିଗଲେ ବୋଲି କହିଛନ୍ତି ଦିବାକାର ଓ ଦିବ୍ୟରଂଜନ ମଲ୍ଲିକ ନାମକ ଚାଷୀ। ବେପାରୀମାନେ ହସ୍ତକ୍ଷେପ ନ କଲେ ଏବଂ ଜିଲ୍ଲା ବାହାରକୁ ପରିବା ରପ୍ତାନୀ ନ ହେଲେ ଜିଲ୍ଲାବାସୀଙ୍କୁ ଚଢା ଦରରେ ପରିବା କିଣିବାକୁ ପଡନ୍ତା ନାହିଁ ବୋଲି ଏହି ଦୁଇ ଚାଷୀ କହିଛନ୍ତି।

ଏହା ବାଦ୍ ଚାଷୀ ବଜାରରେ ପହଞ୍ଚିବା ପୂର୍ବରୁ ଘରେ ପହଞ୍ଚି ଯାଉଛନ୍ତି ବେପାରୀ। କୌଣସି ମ‌ତେ ଫୁସୁଲାଫୁସୁଲି କରି କମ୍ ଦରରେ ପରିବା କିଣୁଛନ୍ତି। ଆଉ ବଜାରରେ ପସରା ମେଲାଇ ଦୁଇଗୁଣା ଦରରେ ପରିବା ବିକ୍ରି କରୁଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ଦରକାର ‌ବୋଲି ଖାଉଟି ଦିବ୍ୟରଂଜନ ମହାନ୍ତି ଓ ଜ୍ୟୋତିର୍ମୟ ମାରାଣ୍ଡି କହିଛନ୍ତି। ସେହିପରି ଉତ୍ପାଦିତ ପରିବା ସାଇତି ରଖିବା ନିମନ୍ତେ ଜିଲ୍ଲା‌ରେ ଶୀତଳ ଭଣ୍ଡାର ନଥିବାରୁ ପରିବାର ଦର ବୃଦ୍ଧି ପାଉଛି।

ଆଜି ବଜାରରେ ବାଇଗଣ କେଜି ୬୦ଟଙ୍କା ରହିଥିବା ବେଳେ କଲରା, ଭେଣ୍ଡି, କୁନ୍ଦୁରି କେଜି ୮୦ ଟଙ୍କା ଉପରେ ରହିଥିଲା। ଜହ୍ନି କେଜି ୬୦, ବିନସ୍ ୧୨୦ ଟଙ୍କା ରହିଥିବା ‌ବେଳେ ଲେମ୍ବୁ ଗୋଟା‌କୁ ୧୦ ଟଙ୍କାରେ ବିକ୍ରି ହୋଇଥିଲା। ଆଗକୁ ପରିବା ଦର ଆହୁରି ବଢିବ ବୋଲି ଆଶଙ୍କା ରହିଛି। ସେହିପରି ପରିବା ଦରଠାରୁ ଅଧିକ ବାଧୁଛି ମାପ ଓ ଓଜନରେ ଠକେଇ। କିଛି ଅସାଧୁ ବେପାରୀ ଓଜନରେ ଖାଉଟିଙ୍କୁ ଠକୁଛନ୍ତି। ବଟକରା ବର୍ଷବର୍ଷ ଧରି ନବୀକରଣ ହୋଇ ନଥିବା ବେଳେ କିଛି ବେପାରୀ କମ୍ପ୍ୟୁଟର କଣ୍ଟାରେ ବି ଠକିବାକୁ ପଛାଉ ନାହାନ୍ତି। ଏନେଇ ପ୍ରଶାସନ ଆଖି ବୁଜି ଦେଇଥିବା ଯୁବ ସମାଜସେବୀ ଚନ୍ଦନ ସେଜପଡା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର