ପୁରୀରେ ମିଳିବନି ପିଇବା ପାଣି

ସମଙ୍ଗ ଜଳସଂରକ୍ଷଣ ପ୍ରକଳ୍ପ ଶୁଖିଲା, ଆଜିଠୁ ଅଧା ସହରକୁ ଜଳଯୋଗାଣ ବନ୍ଦ

ପୁରୀ : ପାଣି ‌ପାଇଁ ଦେଖାଦେବ ହାହାକାର। ମୁନ୍ଦେ ପାଣି ବି ପିଇବାକୁ ପାଇବେନି ପୁରୀ ସହରବାସୀ। ସମଙ୍ଗ ଓ ସିରେଇକୋଣା ମୌଜାରେ ଥିବା ଜଳସଂରକ୍ଷଣ ପ୍ରକଳ୍ପକୁ ନେଇ ଦୀର୍ଘ ୧୨ ବର୍ଷ ଧରି ଲାଗି ରହିଥିବା ବିବାଦ ଆଜି ଏଭଳି ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ଯଦି ୨୪ ଘଣ୍ଟା ଭିତରେ ବିବାଦର ସମାଧାନ ନ ହୁଏ, ଆଗକୁ ପୂରା ସହରକୁ ଜଳଯୋଗାଣ ବନ୍ଦ ହୋଇଯିବ। ଜଳଯୋଗାଣ ପାଇଁ ପମ୍ପ୍‌ର ଫୁଟବଲ ମୁହଁକୁ ବି ପାଣି ଅଣ୍ଟିବନି। ଯାହାର ପ୍ରଭାବ ବି ଆଜିଠୁ ଅନୁଭୂତ ହେବା ଆରମ୍ଭ ହୋଇଛି। ଆଜି ପୁରୀ ପୌରାଞ୍ଚଳର ଅଧା ଅଞ୍ଚଳ ପିଇବା ପାଣିରୁ ବଞ୍ଚିତ ହୋଇଛନ୍ତି। ନରେନ୍ଦ୍ର‌ କୋଣ, ଦେବୀଘାଟ ଆଦି ଅଞ୍ଚଳକୁ ଜଳଯୋଗାଣ ବନ୍ଦ ରହିଛି। ସେପଟେ ଯେଉଁଠି ପୁରୀ ସହର ପାଇଁ ଦୈନିକ ୩୦ ଏମଏଲ୍‌ଡି(୩ କୋଟି ଲିଟର) ପିଇବା ପାଣି ଆବଶ୍ୟକ ପଡ଼ିଥାଏ, ସେଠାରେ ମାତ୍ର ୧୦ ଏମଏଲ୍‌ଡି(୧ କୋଟି ଲିଟର) ପାନୀୟ ଜଳ ଯୋଗାଣ ହୋଇଛି।

ପୂର୍ବରୁ ପୁରୀ ସହରର ତାଳବଣିଆ ଓ ବଳିଆପଣ୍ଡା ମଧୁର ଜଳଭଣ୍ଡାର ଅଞ୍ଚଳରୁ ସହରବାସୀଙ୍କୁ ଜଳଯୋଗାଣ ଚାଲିଥିଲା। କିନ୍ତୁ ଭୂତଳ ଜଳର ଅଭାବ କାରଣରୁ ପୁରୀବାସୀଙ୍କୁ ପିଇବା ପାଣି ନିଅଣ୍ଟ ପଡ଼ିଲା। ଶେଷରେ ସହରବାସୀଙ୍କୁ ପାନୀୟ ଜଳଯୋଗାଣ ପାଇଁ ପୁରୀ ତହସିଲ ଅଧୀନ ସମଙ୍ଗ ଓ ‌ସିରେଇକୋଣା ମୌଜାରେ ପ୍ରଶାସନ ପକ୍ଷରୁ ପ୍ରାୟ ୪ଶହ ‌ଏକର ଜମି ଅଧିଗ୍ରହଣ କରାଯାଇଛି। ଏହିଠାରୁ ଏବେ ପୁରୀ ସହର ସହ ଶାମୁକା ପ୍ରକଳ୍ପକୁ ପାନୀୟ ଜଳ ଯୋଗାଣ ଚାଲିଛି। ଏଥିପାଇଁ ସମଙ୍ଗ ଓ ସିରେଇକୋଣା ମୌଜାରେ ୧୦ରୁ ଅଧିକ ପୋଖରୀ ବି ଖୋଳାଯାଇଛି। କିନ୍ତୁ ପାନୀୟ ଜଳଯୋଗାଣ ପାଇଁ ଦୁଇଟି ପୋଖରୀକୁ ପ୍ରମୁଖ ଉତ୍ସ ଭାବେ ବ୍ୟବହାର କରାଯାଉଛି। ଗୋଟିଏ ଗୋଟିଏ ପୋଖରୀର ଲମ୍ବ ପ୍ରାୟ ୧ କିଲୋମିଟର ହେବ। ଓସାର ବି ସେହିଭଳି। ଲକ୍ଷ୍ୟ ଥିଲା ଭାର୍ଗବୀ ନଦୀ ସହ ମଙ୍ଗଳା ନଈ ଓ ମୂଷା ନଈର ଜଳକୁ ଏହି ଦୁଇ ପୋଖରୀରେ ଭର୍ତ୍ତି କରିବା ପରେ ସହରକୁ ‌ପାନୀୟ ଜଳଯୋଗାଣ କରାଯିବ। ସେଭଳି ବର୍ଷା ଜଳକୁ ବି ସଂରକ୍ଷିତ କରି ରଖିହେବ। ବର୍ଷାଦିନକୁ ଛାଡ଼ିଦେଲେ ବାକି ଦିନ ଏହି ନଦୀର ଜଳକୁ ପିଇବା ପାଣି ଭାବେ ବ୍ୟବହାର କରାଯିବ। ଏ ଭିତରେ ମୂଷା ନଈ ଓ ମଙ୍ଗଳା ନଈ ଶୁଖିଲା ପଡ଼ିଛି। ଜଳଯୋଗାଣର ପ୍ରମୁଖ ଉତ୍ସ ଭାବେ ଭାର୍ଗବୀର ଜଳକୁ ବ୍ୟବହାର କରାଯାଉଥିବାବେଳେ ଜମି ଅଧିଗ୍ରହଣ ବିବାଦ ପାଇଁ ଏହାର ଜଳପ୍ରବାହକୁ ଅଟକାଇ ଦେଇଛନ୍ତି ସିରେଇକୋଣା ଓ ଆଖପାଖ ଗାଁ ‌ଲୋକେ। ଯେଉଁଥିପାଇଁ ଜଳଯୋଗାଣ ପାଇଁ ବ୍ୟବହାର ହେଉଥିବା ପୋଖରୀ ଶୁଖି ମାଟି ଦିଶିଲାଣି।

ଏଭଳି ଏକ ଜଟିଳ ପରିସ୍ଥିତି ଠିଆ ହେବାର ପ୍ରମୁଖ କାରଣ ବି ନିଜେ ରାଜସ୍ବ ବିଭାଗ। ସେ ସମୟରେ ରାଜସ୍ବ ବିଭାଗ ସମଙ୍ଗ ମୌଜା ପାଇଁ ଏକର ପିଛା ଜମି ମୂଲ୍ୟ ୨୫ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲା। କିନ୍ତୁ ସମଙ୍ଗ ମୌଜାକୁ ଲାଗିଥିବା ସିରେଇକୋଣା ମୌଜାର ଜମିର ମୂଲ୍ୟ ମାତ୍ର ୩୫ ହଜାର ଟଙ୍କା ଧାର୍ଯ୍ୟ କରିଥିଲା। ଯାହା ଗାଁ ଲୋକଙ୍କୁ ଜମି ଅଧିଗ୍ରହଣ ବିରୋଧରେ ଯିବାକୁ ବାଧ୍ୟ କରିଥିଲା। ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ନେବାକୁ ସିରେଇକୋଣା ମୌଜାର ଲୋକେ ଅମଙ୍ଗ ପ୍ରକାଶ କରିଥିଲେ। ଯେଉଁ ବିବାଦ ଏବେ ବି ଲାଗି ରହିଛି। ସେପଟେ ଗାଁ ଲୋକେ ଏ ଉପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ମାନ୍ୟବର ହାଇକୋର୍ଟ ୨୦୧୩ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଥାପି ରାଜସ୍ବ ବିଭାଗ କି ଜିଲ୍ଲା ପ୍ରଶାସନ ଏହାକୁ ଶୁଣୁନାହାନ୍ତି। ଏବେ ଯେତେବେଳେ ଲୋକେ ମୁହଁ ଖୋଲିଲେ, ପ୍ରଶାସନ ଜମି ନେବନି ବୋଲି କହୁଛି। ଯାହା ଗାଁ ଲୋକଙ୍କୁ ଆହୁରି ତତାଇଛି। ୬ଶହ ଲୋକଙ୍କ ପ୍ରାୟ ୧୭୨.୯୫ ଏକର ଜମି ପ୍ରଶାସନ ଖୋଳିଦେଇଛି। ଲୋକଙ୍କ କହିବା କଥା ଏହି ଜମି ଆମ ପେଟକୁ ଦାନା ଦେଉଥିଲା, ପରିବାର ଚଳାଉଥିଲା। ଏହାକୁ ପ୍ରଶାସନ ନଷ୍ଟ କରି ଦେଇଛି। ତେଣୁ ସମସ୍ୟାର ସମାଧାନ ନ ହେଲେ ଆମେ ପ୍ରଶାସନକୁ ଛାଡ଼ିବୁ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

ଏ ସଂପର୍କରେ ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମିଶ୍ର କହିଛନ୍ତି, ସମଙ୍ଗ ମୌଜାରେ ଥିବା ପାନୀୟ ଜଳ ପ୍ରକଳ୍ପର ଜଳଧାରଣ କ୍ଷମତା ହେଉଛି ୪୨ ଏମଏଲଡି। କିନ୍ତୁ ଏହାକୁ ବିଶୋଧନ ପରେ ପ୍ରତିଦିନ ପୁରୀ ସହର ପାଇଁ ୩୦ ଏମଏଲଡି ଜଳଯୋଗାଣ ହେଉଛି। କିନ୍ତୁ ପୋଖରୀରେ ପାଣି ନଥିବାରୁ ଆଜି ମାତ୍ର ୧୦ ଏମଏଲଡି ଜଳଯୋଗାଣ ହୋଇଛି। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆମେ ପୋଖରୀରେ ଥିବା ପାଣିରୁ ପ୍ରତିଦିନ ୧୦ ଏମଏଲଡି ଜଳଯୋଗାଣ କରିବୁ। ତଥାପି ଆସନ୍ତାକାଲି ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା ରଖିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର