ବଦଳିବ କି ୪୮ବର୍ଷର ପୁରୁଣା ରେଙ୍ଗାଳି ପ୍ରୋଜେକ୍ଟ ମେଡିକାଲ୍‌ର ଭାଗ୍ୟ?

ତିଆରି କରିଥିଲା ଜଳସମ୍ପଦ ବିଭାଗ, ୨୦୧୨ ପରଠୁ ଥିଲା ଅବହେଳିତ

ରେଙ୍ଗାଳି : ବଦଳିବ କି ୪୮ବର୍ଷର ପୁରୁଣା ରେଙ୍ଗାଳି ପ୍ରୋଜେକ୍ଟ ମେଡିକାଲ୍‌ର ଭାଗ୍ୟ? ଦୁଇଟି ଜିଲ୍ଲାର ୧୩ଟି ପଞ୍ଚାୟତ ନିର୍ଭର କରୁଥିବା ଏହି ମେଡିକାଲ୍‌କୁ ସରକାର ଦେବେ କି ପିଏଚ୍‌ସିର ମାନ୍ୟତା? ଅନୁଗୁଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଚାରି ଜଣିଆ ଟିମ୍‌ ରେଙ୍ଗାଳି ପ୍ରୋଜେକ୍ଟ ମେଡିକାଲ୍‌ର ଭିତ୍ତିଭୂମି ଯାଞ୍ଚ କଲା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କର ଏ ଆଶା ଉଦୟ ହୋଇଛି। ଗଲା ୨୦୧୨ମସିହାଠାରୁ ଅବହେଳାର ଶିକାର ହୋଇ ଆସୁଥିବା ଏ ଡାକ୍ତରଖାନା ଏକ ନୂଆ ରୂପ ପାଇବ ବୋଲି ଆଶା କରାଯାଉଛି।

ଅବହେଳାର କାରଣ ହେଉଛି, ଜଳ ସମ୍ପଦ ବିଭାଗ। ରେଙ୍ଗାଳି ପ୍ରକଳ୍ପ ନିର୍ମାଣ ସମୟରେ ୧୯୭୫ ମସିହାରେ ଜଳସମ୍ପଦ ବିଭାଗ ଏ ଡାକ୍ତରଖାନାକୁ ସ୍ଥାପନ କରିଥିଲା। ସ୍ଥାନୀୟ ଅଞ୍ଚଳର ଶ୍ରମିକ କର୍ମଚାରୀ ଓ କ୍ଷତିଗ୍ରସ୍ତ ପ୍ରଜାଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏ ମେଡିକାଲ୍‌ର ଶୁଭାରମ୍ଭ ହୋଇଥିଲା। ମେଡିକାଲ୍‌କୁ ୩୦ଶଯ୍ୟା ବିଶିଷ୍ଟ କରାଯାଇଥିଲା। ଜଳସମ୍ପଦ ବିଭାଗ ପକ୍ଷରୁ ସେତେବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ସିଏମ୍‌ଓ ସହିତ ଦୁଇ ଜଣ ବିଶେଷଜ୍ଞ ଡାକ୍ତର, ଦୁଇ ଜଣ ଫାର୍ମାସିଷ୍ଟ, ଷ୍ଟାଫନର୍ସ, ଲାବ୍ରୋଟୋରି ଟେକ୍ନିସିଆନ ସହିତ ସବୁ ଆନୁସଙ୍ଗିକ ସ୍ୱାସ୍ଥ୍ୟ ଉପକରଣ ଯୋଗାଇ ଦେଇଥିଲେ। ରେଙ୍ଗାଳି ଡ୍ୟାମ୍ ନିର୍ମାଣ ସିନା ସରିଗଲା, କିନ୍ତୁ ଏ ଡାକ୍ତରଖାନାର ଉପଯୋଗିତା ଆଜି ବି ରହିଛି। ଏ ଡାକ୍ତରଖାନା ଉପରେ କେବଳ କଣିହାଁ ବ୍ଲକର ୮ଟି ପଞ୍ଚାୟତ ନୁହେଁ, ବରଂ ସୀମାନ୍ତ ଦେବଗଡ଼ ଜିଲ୍ଲାର୫ଟି ପଞ୍ଚାୟତର ଲୋକେ ପୂରା ନିର୍ଭରଶୀଳ। ୨୦୧୨ମସିହା ପର୍ଯ୍ୟନ୍ତ ମେଡିକାଲ୍ ସୁରୁଖୁରୁରେ ଚାଲି ଆସୁଥିଲା। ତା’ ପରଠାରୁ ମେଡିକାଲ୍‌ର ସ୍ବାସ୍ଥ୍ୟ ଅବସ୍ଥା ଏକ ପ୍ରକାର ରୁଗ୍‌ଣ ହୋଇଯାଇଛି। ଗଲା ଦଶନ୍ଧି ହେଲା କର୍ମଚାରୀ ମରୁଡ଼ି ସମସ୍ୟା ସହିତ ଡାକ୍ତରଖାନା ଯୁଝି ହେଉଛି।

ସ୍ୱାସ୍ଥ୍ୟକେନ୍ଦ୍ରଟି ଜଳସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ହେଉଥିବାରୁ ଡାକ୍ତରଖାନାରେ କେବଳ ଡାକ୍ତର ଏବଂ ଷ୍ଟାଫ୍‌ ନର୍ସଙ୍କୁ ନିଯୁକ୍ତି ବ୍ୟତୀତ ଅନ୍ୟ କୌଣସି ସହଯୋଗ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳୁନଥିବା ବେଳେ ଆଜି ସ୍ବାସ୍ଥ୍ୟ ବିଭାଗର ଚାରି ଜଣିଆ ଟିମ୍‌ ଡାକ୍ତରଖାନାର ଭିତ୍ତିଭୂମି ଯାଞ୍ଚ କଲା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କର ନୂଆ ଆଶା ଉଦୟ ହୋଇଛି। ଜାତୀୟ ସ୍ବାସ୍ଥ୍ୟ ମିସନର ଡିପିଏମ ଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ବିପିଏମ୍‌ ମୋନାଲିସା ପ୍ରଧାନ, ବ୍ଲକ ଅର୍ଥ ସଂଯୋଜକ ଅନୁପ କର ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି। ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରଶ୍ମିତା ସେଠୀ, ବିଜେଡି ନେତା ଶଶି ଶେଖର ସିଂହ, ବ୍ଲକ ଯୁବ ସଭାପତି ଗଗନ ରାଉତ, ସରପଞ୍ଚ ପ୍ରଭାତି ସେଠୀ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପର୍କରେ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସମ୍ଭବତଃ ଏ ଡାକ୍ତରଖାନାକୁ ପିଏଚ୍‌ସି ମାନ୍ୟତା ମିଳିପାରେ ବୋଲି କୁହାଯାଉଛି। ଡାକ୍ତରଖାନାକୁ ପିଏଚ୍‌ସିରେ ପରିଣତ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ଅଛି ନା ନାହିଁ, ଚାରି ଜଣିଆ ଟିମ୍‌ ତାହା ତନଖିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳର ରୋଗୀଙ୍କୁ ଦୃଷ୍ଟିରେ ରଖି ରେଙ୍ଗାଳିର ଏହି ଡାକ୍ତରଖାନାକୁ ସିଏଚ୍‌ସିର ମାନ୍ୟତା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର